Latest Odisha News

BREAKING NEWS

ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ

ନୂଆଦିଲ୍ଲୀ: ଭାରତରେ ଜର୍ମାନ ଦୂତାବାସର ରାଜନୈତିକ ବ୍ୟାପାର ମୁଖ୍ୟ ତଥା ମନ୍ତ୍ରୀ ପରାମର୍ଶଦାତା ମାରିୟସ୍ ଓସୱାଲ୍ଡ ଏକ ଭାରତୀୟ ଗାଁକୁ ଯାଇ ଗ୍ରାମୀଣ ଜୀବନଶୈଳୀ ଏବଂ କୃଷି କାର୍ଯ୍ୟର ଅନନ୍ୟ ଅଭିଜ୍ଞତା ହାସଲ କରିଛନ୍ତି। ସେ ଗାଁରେ ପହଞ୍ଚି ସ୍ଥାନୀୟ ଚାଷୀ ପ୍ରମୋଦ ଶର୍ମାଙ୍କ ସହ ଭେଟଘାଟ କରିବା ସହ ବିଭିନ୍ନ ଚାଷ କାମରେ ହାତ ବଢ଼ାଇଥିଲେ।ଭାରତୀୟ ଗ୍ରାମୀଣ ପରମ୍ପରାକୁ ଆପଣାଇ ସେ ଗାଈଙ୍କୁ ଖାଦ୍ୟ ଖୁଆଇବା ସହିତ ହାତରେ କୁଟା କଟା ଯନ୍ତ୍ର ଚଳାଇଥିଲେ। ସବୁଠୁ ବଡ଼ କଥା ହେଲା, ସେ ଗାଁର ଜଣେ ସାଧାରଣ ଚାଷୀଙ୍କ ପରି ଗାମୁଛା ପିନ୍ଧି ଗୋବର ମଧ୍ୟ ହାତରେ ଉଠାଇଥିଲେ। ପ୍ରଥମେ ଗୋବର ଛୁଇଁବାକୁ ସେ ସାମାନ୍ୟ ସଙ୍କୋଚ କରୁଥିଲେ ହେଲେ ପରେ ପଚାରିଲେ, “ଏହା ଅଳିଆ ନୁହଁ କି?” ଚାଷୀ ଜଣକ ଏହା ପଶୁଙ୍କର ଏକ ଅଂଶ ବୋଲି ବୁଝାଇଥିଲେ। ଏହାପରେ “ମୁଁ ଆପଣଙ୍କୁ ଭରସା କରୁଛି” ବୋଲି କହି ସେ ଖାଲି ହାତରେ ଗୋବର ଉଠାଇ ପାତ୍ରରେ ପକାଇଥିଲେ।

ଜର୍ମାନ ଦୂତାବାସ ପକ୍ଷରୁ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯିବା ପରେ ଏହା ଭାଇରାଲ ହୋଇଛି। କୂଟନୈତିକ ସ୍ତରରୁ ବାହାରି ଜଣେ ବିଦେଶୀ କୂଟନୈତିକ ଏପରି ଭାରତୀୟ ଗ୍ରାମୀଣ ପରିବେଶରେ ମିଶିବା ଏବଂ କଠିନ ପରିଶ୍ରମ କରିବାକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବେଶ୍ ପ୍ରଶଂସା କରିଛନ୍ତି। “ଯଦି ଭାରତୀୟମାନେ ଜର୍ମାନୀରେ ସଫଳ ହୋଇପାରିବେ, ତେବେ ଜର୍ମାନମାନେ ମଧ୍ୟ ଭାରତରେ ନିଜକୁ ପ୍ରମାଣିତ କରିପାରିବେ” ବୋଲି ଦୂତାବାସ ପକ୍ଷରୁ ମତପ୍ରକାଶ ପାଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।ଘଟଣାଟି ଏବେ ବିଶ୍ୱବ୍ୟାପୀ ସୋସିଆଲ ମିଡିଆରେ ଆଦୃତି ଲାଭ କରିବା ସହ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.