Latest Odisha News

BREAKING NEWS

କ୍ଷୟ ହେଉଛି ମହାକାଳେଶ୍ବର ଶିବ ଲିଙ୍ଗ, ଯାଞ୍ଚ ପାଇଁ ଗଲା ପୂଜା ସାମଗ୍ରୀ

ଭୋପାଳ: କ’ଣ ବନ୍ଦ ହୋଇଯିବ କି ମହାକାଳେଶ୍ବରଙ୍କର ଭାଙ୍ଗ ଶୃଙ୍ଗାର? ବିଭିନ୍ନ ପ୍ରକାର ପୂଜା ପଦ୍ଧତି ରୁ କ’ଣ ବଞ୍ଚିତ ହେବେ ମହାକାଳ? ଏବେ ଭକ୍ତ ଓ ସେବାୟତ ଙ୍କ ମନରେ ଏପରି ଅନେକ ପ୍ରଶ୍ନ । କାରଣ ଧିରେ ଧିରେ କ୍ଷୟ ହେଉଛି ମଧ୍ୟପ୍ରଦେଶର ଉଜୈନରେ ଥିବା ମହାକାଳେଶ୍ୱର ମନ୍ଦିରର ଶିବ ଲିଙ୍ଗ । ଆଉ ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯାହା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜିଏସଆଇ) ଟିମ୍ ଦ୍ୱାରା ନିରନ୍ତର ନଜର ରଖାଯାଉଛି । ତେବେ ଆଜି ଉକ୍ତ ଟିମ୍ ଯାଞ୍ଚ ପାଇଁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ଯେଉଁଠାରେ ପୂଜାପାଠ ସାମଗ୍ରୀର ନମୁନା ମଧ୍ୟ ନିଆଯାଇଥିଲା ।

ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଡାଇରେକ୍ଟର ରାଧେଶ୍ୟାମ ଶର୍ମା କହିଛନ୍ତି ଯେ, ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱର ମନ୍ଦିରର ଶିବ ଲିଙ୍ଗ କ୍ଷୟ ସମ୍ପର୍କରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଯାହା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଏସଆଇ ର ଏକ ଟିମ୍ ଅନେକ ସମୟରେ ମନ୍ଦିରରେ ସର୍ଭେ କରୁଛି । ଏହି ଟିମ୍ ମନ୍ଦିରରେ ଏକ ସର୍ଭେ କରି ତଥ୍ୟ ସଂଗ୍ରହ କରିଛି ।

ବର୍ତ୍ତମାନ ମନ୍ଦିରର ଗର୍ଭଗୃହରେ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ମନ୍ଦିର କମିଟି ଏହା ମଧ୍ୟ କହିଛି ଯେ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର କମିଟି ଦ୍ୱାରା ଆରଓ (RO) ଜଳ ଭଗବାନଙ୍କୁ ଅର୍ପଣ କରାଯାଉଛି । ଏହା ବ୍ୟତୀତ ସଂପୂର୍ଣ୍ଣ ନିର୍ଦ୍ଦେଶାବଳୀ ମଧ୍ୟ ପାଳନ କରାଯାଉଛି । ମହାକଲେଶ୍ୱର ମନ୍ଦିର କମିଟି ପ୍ରଶାସକ ସନ୍ଦୀପ ସୋନି କହିଛନ୍ତି ଯେ ଜିଏସଆଇ ଦଳ ଏପର୍ଯ୍ୟନ୍ତ କୌଣସି ନୂତନ ଗାଇଡଲାଇନ ଜାରି କରିନାହାଁନ୍ତି ।

ଜିଏସଆଇ ର ଏକ ଦଳ ପୂଜା ସାମଗ୍ରୀର ନମୁନା ନେଇଛି । ଏହି ନମୁନା ପରୀକ୍ଷା ପାଇଁ ପଠାଯିବ । ମହାକାଳେଶ୍ୱର ମନ୍ଦିରରେ ଦୈନିକ ଆଳତୀରେ ବ୍ୟବହୃତ ପୂଜା ସାମଗ୍ରୀ ବିଷୟରେ ମଧ୍ୟ ପଚାରି ବୁଝିଥିଲା ଟିମ୍ । ବ୍ରାହ୍ମ ମୁହୂର୍ତ୍ତ ସମୟରେ ମନ୍ଦିରରେ ଭଷ୍ମ ଆଳତୀ କରାଯାଏ, ଯେଉଁଥିରେ ପ୍ରଭୁଙ୍କୁ କ୍ଷୀର, କଦଳୀ, ମହୁ ଇତ୍ୟାଦିରେ ସ୍ନାନ କରାଯିବା ପରେ ଭାଙ୍ଗ ରେ ସୁସଜ୍ଜିତ କରାଯାଏ । ଏହା ପରେ ସକାଳ ଆଳତୀ, ଭୋଗ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ଶୟନ ଆଳତୀରେ ବ୍ୟବହୃତ ପୂଜା ସାମଗ୍ରୀ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଛି ।

Comments are closed.