Latest Odisha News

୪ ବର୍ଷରୁ କମ୍ ପିଲାମାନଙ୍କୁ ଏହି ଔଷଧ ମନା, ପରାମର୍ଶ ଦେଲା ସିଡିଏସସିଓ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ ପକ୍ଷରୁ ନିଷେଧାଦେଶ । ୪ ବର୍ଷରୁ କମ ବୟସର ଶିଶୁଙ୍କୁ ଦିଆଯିବ ନାହିଁ ଟି-ମିନିକ ଓରାଲ ଡ୍ରପ, ଆସ୍କୋରିଲ ଫ୍ଲୁ ସିରପ ଓ ସଲଭିନ କୋଲ୍ଡ ସିରପ । ଏହି ୩ଟି ସିରପକୁ ୪ ବର୍ଷରୁ କମ ବୟସର ପିଲାଙ୍କୁ ନଦେବା ଲାଗି ପରାମର୍ଶ ଦେଇଛି ସିଡିଏସସିଓ । ଗ୍ଲାସ୍କୋସ୍ମିଥକ୍ଲିନର ଟି-ମିନିକ ଓରାଲ ଡ୍ରପ, ଗ୍ଲେନମାର୍କର ଆସ୍କୋରିଲ ଫ୍ଲୁ ସିରପ ଓ ଆଇପିସିଏ ଲାବରେଟୋରିଜର ସଲଭିନ କୋଲଡ ସିରପ ଲାଗି ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଅଧିକାଂଶ ପିତାମାତା ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ଏହି ଔଷଧ ପିଲାଙ୍କୁ ଦେଉଥିବାରୁ ଉଦବେଗ ପ୍ରକାଶ କରିଛି ସିଡିଏସସିଓ । ଏହି ଔଷଧରେ ସାଧାରଣତଃ କ୍ଲୋରୋଫେନିରାମିନ ମାଲିଏଟ ଓ ଫେନାଇଲଫ୍ରିନର ମିଶ୍ରଣ ରହିଥାଏ । ଥଣ୍ଡା, ଫ୍ଲୁ, ଆଖିରୁ ଲୁହ ବାହାରିବା, ନାକରୁ ପାଣି ପଡିବା, ଛିଙ୍କ, ଗଳାଦରଜ ଆଦି କ୍ଷେତ୍ରରେ ଏହି ଔଷଧକୁ ସାଧାରଣ ବ୍ୟବହାର କରାଯାଇଥାଏ । ଗତ ଡିସେମ୍ବର ୧୮ରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିକଟକୁ ପଠାଯାଇଥିବା ପତ୍ରରେ ଏଥିପ୍ରତି ସତର୍କ ରହିବା ଲାଗି କୁହାଯାଇଛି ।

କ୍ଲୋରୋଫେନିରାମିନ ମାଲିଏଟ ଓ ଫେନାଇଲଫ୍ରିନ ମିଶ୍ରିତ ଔଷଧ ସରକାରଙ୍କ ଦ୍ବାରା ସ୍କାନରରେ ରହିଛି । ଏହି ଦୁଇ ପଦାର୍ଥ ମିଶ୍ରିତ ଔଷଧକୁ ଶିଶୁମାନଙ୍କୁ ପ୍ରଦାନ କରା ନଯିବା ଉପରେ ଗୁରୁତ୍ବ ଦିଆଯାଉଛି । ଏହି ଧରଣରେ ମେଡିସିନ ଓ ପ୍ୟାକେଜ ଉପରେ ଓ୍ବାର୍ଣ୍ଣିଂ ସୂଚନା ଦେବା ଲାଗି ଫାର୍ମଗୁଡିକୁ ବି ପରାମର୍ଶ ଦିଆଯାଇଛି । ୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଔଷଧ ନଦେବା ଲାଗି ଓ୍ବାର୍ଣ୍ଣିଂରେ ରହିବା ଜରୁରୀ ବୋଲି କୁହାଯାଇଛି । ଆମେରିକା ଓ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରରେ ଏହି ଔଷଧ ବି ଶିଶୁମାନଙ୍କ କ୍ଷେତ୍ରରେ ନିଷିଦ୍ଧ କରାଯାଇଛି । ଆମେରିକାରେ ଏହି ଧରଣର ଔଷଧ ସେବନ କରି ୭ ହଜାରରୁ ଅଧିକ ଶିଶୁ ଏମର୍ଜେନସି ବିଭାଗରେ ଭର୍ତ୍ତି ହେଉଛନ୍ତି । ଏହି ଔଷଧର ବିଭିନ୍ନ ପାର୍ଶ୍ବ ପ୍ରତିକ୍ରିୟା ରହିଛି ବୋଲି ସୂଚନା ମିଳିଛି।

Comments are closed.