Latest Odisha News

ରାଉରକେଲାରେ ୫୨ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଲୁଟ୍, ୨ ଅଭିଯୁକ୍ତ ଗିରଫ

ରାଉରକେଲା: ରାଉରକେଲାରେ ସୁନା ଭର୍ତ୍ତି ବ୍ୟାଗ୍‌ ଲୁଟ୍‌ ଘଟଣାରେ ଆଜି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୫୧୨ ଗ୍ରାମ୍‌ ଅଳଙ୍କାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ହେବ । ତେବେ ଗତ ୧୫ ତାରିଖରେ ରାଉରକେଲା ଉଦିତନଗର ଥାନା ଅଧୀନ ବାସନ୍ତୀ କଲୋନିର ମାଲଗୋଦାମ କାଳୀମନ୍ଦିର ନିକଟରେ ଏହି ଲୁଟ୍‌ ହୋଇଥିଲା ।

ଗିରଫ ଅଭିଯୁକ୍ତମାନେ ହେଲେ ଉଦିତନଗର ଥାନା ବାସନ୍ତୀ କଲୋନିର ରେ ରହୁଥିବା ଉମାନାଥ ପ୍ରସାଦଙ୍କ ଦୁଇ ପୁଅ ଅଭିରାଜ ସୋନି (୨୬) ଓ ଆୟୁଷ ରାଜ୍ ପ୍ରସାଦ (୨୩)। ତେବେ ଉଭୟଙ୍କ ନିକଟରୁ ପୋଲିସ ୫୧ ଟି ସୁନା ଚେନ୍ ଜବତ କରିଛି । ଯାହାର ଓଜନ ୩୯୪.୨୩୦ ଗ୍ରାମ ହେବ । ସେହିପରି ୨୦ ଟି ହାତ ମୁଦି, ଯାହାର ଓଜନ ୩୭.୫୧୦ ଗ୍ରାମ ଜବତ କରିଛି । ଏଥି ସହିତ ଆହୁରି ୮୧.୦୫୦ ଗ୍ରାମ ସୁନା ଜବତ କରିଛି। ଅଭିଯୁକ୍ତମାନଙ୍କ ଠାରୁ ମୋଟ ୫୧୨.୭୯୦ ଗ୍ରାମ ସୁନା ଜବତ କରିଛି ।

ସୂଚନାନୁସାରେ, ପ୍ଲାଣ୍ଟ ସାଇଟ୍ ପୋଲିସ୍ ସୀମା ଅନ୍ତର୍ଗତ ଏକ ଅଳଙ୍କାର ଦୋକାନରେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ସୋନି ଅନ୍ୟ ଏକ ଜୁଏଲାରୀ ଦୋକାନର କର୍ମଚାରୀଙ୍କ ସହ ସୁନା ଅଳଙ୍କାର କିଣିବାକୁ କୋଲକାତା ଯାଇଥିଲେ । ସେମାନେ ଡିସେମ୍ବର ୧୪ ରାତିରେ କୋଲକାତା ଠାରୁ ଆଜାଦ ହିନ୍ଦ ଏକ୍ସପ୍ରେସରେ ଆସି ପରଦିନ ସକାଳେ ରାଉରକେଲାରେ ପହଞ୍ଚିଥିଲେ । ଉଭୟ ରେଲୱେ କଲୋନୀ ନିକଟରେ ଏକ ବ୍ୟାଗରେ ୮୬୦ ଗ୍ରାମ ସୁନା ଅଳଙ୍କାର ନେଉଥିବା ପ୍ରଦୀପ ସୋନିଙ୍କୁ ଅଟକାଇ ଛୁରୀରେ ଆକ୍ରମଣ କରିଥିଲେ । ଏହା ପରେ ସେମାନେ ତାଙ୍କ ଠାରୁ ସୁନା ଭର୍ତ୍ତି ବ୍ୟାଗ ଛଡ଼ାଇ ନେଇ ପଳାଇ ଯାଇଥିଲେ । ସୁନା ବ୍ୟବସାୟୀ ଶମ୍ଭୁ କୁମାର ସୋନିଙ୍କ ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

 

Comments are closed.