Latest Odisha News

ଭାଷା ଭାଗବତ : ଶବ୍ଦ ମିଳାମିଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଶବ୍ଦାର୍ଥ ସଂଧାନୀ ସଜ୍ଜନ
ଏଣିକି ଶବ୍ଦର ଗଠନ
ଆଡ଼କୁ ଦେଲେ ଟିକେ ଧ୍ୟାନ
ବୁଝିବେ ଆଦାନପ୍ରଦାନ

ବହୁ ଉତ୍ସରୁ ଶବ୍ଦ ଆସି
ଭାଷାରେ ଯାଇଥାଂତି ପଶି
ତା’ପରେ ଯାଇଥାଂତି ମିଶି
ହୁଅଂତି ବହୁ ଭାଷା-ବାସୀ

ତେଣୁ ଶବ୍ଦର ସମାନତା
ଅଟେ ଭାଷାର ବାସ୍ତବତା
ଶବ୍ଦଟେ ଅନେକ ଭାଷାରେ
ସ୍ବଚ୍ଛଂଦେ ସ୍ଥାନ ପାଇପାରେ

ଶବ୍ଦ ଉପରେ ସ୍ବାଧିକାର
ନ ଥାଏ କୌଣସି ଭାଷାର
ଶବ୍ଦ ଯେହେତୁ ଉଡ଼ା-ମଂଜି
ମନରେ ହୋଇଥାଏ ଖଂଜି

ଶବ୍ଦଟେ ପଡ଼େ ଯେବେ କାନେ
ରହେ ନିଶ୍ଚୟ ଶ୍ରୋତା ମନେ
ଶବ୍ଦାଦି ହେଲେ ଗତିଶୀଳ
ଭାଷାକୁ କରଂତି ସବଳ

ସମଗୋତ୍ରୀ ଭାଷାରେ ଥାଏ
ଅନେକ ଶବ୍ଦ ଏକପ୍ରାୟେ
ସେ ସବୁ ଯେଣୁ କୋଠ-ଧନ
ଦିଶଂତି ପ୍ରାୟତଃ ସମାନ

ଭାଷାକାଶରେ ଶବ୍ଦ ଉଡ଼ି
ଅନେକ ଭାଷା ସହ ଯୋଡ଼ି
ହୁଏ ଓ ରହେ ସେଠି ପଡ଼ି
କିଂବା ପାରଇ ନିଜେ ବଢ଼ି

ଆଗତ ଶବ୍ଦଂକୁ ସ୍ବାଗତ
କଲେ ଅବଶ୍ୟ ହୁଏ ହିତ
ବଳିଷ୍ଠ ହେବେ ସବୁ ଭାଷା
ଶବ୍ଦ ହୋଇଲେ ମିଳାମିଶା

Comments are closed.