Latest Odisha News

BREAKING NEWS

ଶିଶୁ କବିତା : ଯାତରା ଦେଖା

ପୂଣ୍ୟପ୍ରଭା ଦେବୀ 

ବୁଢ଼ା ଡାକି କହେ ବୁଢୀ ଲୋ
ପିନ୍ଧିନେ ଭଲ ଶାଢୀ ଲୋ
ବୁଲିବାକୁ ଯିବା ଝୁଲଣ ଯାତରା
କିଣିବା ତୋ ପାଇଁ ଚୁଡ଼ି ଲୋ।

ବୁଢ଼ା ବୁଢୀ ହୋଇ ସାଥିରେ
ଗଲେ ସେ ଝୁଲଣ ରାତିରେ
ଦେଖିଲେ ବସିଛି ଦୋକାନ ବଜାର
କିଣା ବିକା ନାନା ଜାତିରେ।

ବୁଢ଼ା ସିନା ନେଲା ବୁଢ଼ୀକି
କିଣି ଦେବ ବୋଲି ଚୁଡ଼ିକି
ଲାଳ ବୋହିଲା ତା ପାଟିରୁ
ଦେଖି ସେ ମିଠେଇ ଦୋକାନ ଧାଡ଼ିକି।

ପଇସା ହିସାବ କରିକି
ବୁଢୀ କି ସାଥିରେ ଧରିକି
ଲଡୁ,ରସଗୋଲା, ଜିଲାପି କାକରା
ଖାଇଲେ ସେ ମନ ଭରି କି ।

ଖାଇ ପିଇ ସାରି ଦୁହେଁ ସେ
ପାଣି ଦେଲେ ନିଜ ମୁହେଁ ସେ
ପାଉଣା ଦେବାକୁ ପକେଟ ଉଣ୍ଡାଲେ
ଆଉ କି ପଇସା ପାଏ ସେ !

ବୁଢ଼ାର ପକେଟ କାଟିକି
ନେଇଥିଲା କିଏ ଛାଣ୍ଟିକି
ଭୁଲିଗଲେ ଦୁହେଁ ମିଠେଇ ସୁଆଦ
ପାକୁଳି କରିବା ପାଟିକି।

ଦୋକାନୀ କହିଲା ମଉସା
ଦିଅଦିଅ ବେଗି ପଇସା
ବୁଢ଼ା ବୁଢୀ ଦୁହେଁ କାଠ ପାଲଟିଲେ
ଛାଡିଦେଇ ନିଜ ବେଉସା।

Leave A Reply

Your email address will not be published.