Latest Odisha News

BREAKING NEWS

ଭାଷା ଭାଗବତ : ନିଜେ ନିଜ ସ୍ତାବକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ନିଜେ ନିଜ ସ୍ତାବକ ହୋଇ
ଯିଏ ବି ଯାହା ବି ଲେଖଇ
ତହଁର ବିଶ୍ବସନୀୟତା
ବୁଝିପାରେନି ମୋର ମଥା

ଆତ୍ମପ୍ରଶଂସାକାରୀ ବ୍ୟକ୍ତି
ହରାଇ ଅଂତର୍ଗତ ଶକ୍ତି
କରିଲେ ନିଜ ଗୁଣଗାନ
ହୁଏନି ବିଶ୍ବାସଭାଜନ

କରିଲେ ନିଜର ପ୍ରଚାର
ହିତ ହୁଏନି ଲୋକଂକର
ଗଢ଼ିଲେ ନିଜ ଭାବମୂର୍ତି
ମିଳିଥାଏ ବିକୃତ ତୃପ୍ତି

ଏପରି ତୃପ୍ତିଲାଭ ପାଇଁ
ଅନେକ ସ୍ଥାନ ଯେ ବୁଲଇ
ହୁଏ ଦକ୍ଷ ଭ୍ରମଣକାରୀ
ହୁଏନି କେବେ ଉପକାରୀ

ପାଏ ଶହେ ଓ ରଖେ ଅଶୀ
କୋଡ଼ିଏଠାରୁ ଗୋଟେ ବେଶି
କେବେ ତ ଦିଏନାହଁ ବାଂଟି
ହୋଇପାରେନି ଶୁଦ୍ଧ, ଖାଂଟି

ଉଚ୍ଚାସନ ନିମଂତେ ଲୋଭ
ମନରେ ଭରେ ଯେଉଁ କ୍ଷୋଭ
ଭୁକ୍ତଭୋଗୀ ହିଁ ତାହା ଜାଣେ
ନିଜକୁ ‘ ଉପେକ୍ଷିତ ‘ ମଣେ

‘ ହେବା ‘ ଓ ‘ କରିବା ‘ ମଧ୍ୟରେ
ବହୁ ବିଭେଦ ଥାଇପାରେ
ଏହା ବୁଝଂତିନାହିଁ ଲୋକେ
ରହିଥାଆଂତି ନିଜ ଦୁଃଖେ

ନେତା ହେଲେ ହେଁ ଗୋପାଳକ
ଗାଈ ନୁହଂତି ଯେଣୁ ଲୋକ
ସହଜେ ମାନଂତିନି ପୋଷା
ଏହା ହିଁ ମୌଳିକ ସମସ୍ୟା

Comments are closed.