ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ବିଭିନ୍ନ ସମୟରେ ଘଟିଥିବା ଅଘଟଣ ବିଷୟରେ ଆଲୋଚନା ବେଳେ ଆମେ ଆଲୋଚନା କରୁଥିଲେ ୧୮୭୫ ମସିହା କଥା, ଯେତେବେଳେ ଗର୍ଭଗୃହର ୪୦ ଫୁଟ ଉଚ୍ଚତା ରୁ ବଡ଼ ବଡ଼ ପଥର ଖସି ପଡିଥିଲା। ଏ ବିଷୟ ରେ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିଅରଙ୍କଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ବ୍ରିଟିଶ ସାହେବମାନେ ଏହାର ପ୍ରତିକାର ଓ ତୁରନ୍ତ ମରାମତି ବିଷୟରେ ଚିନ୍ତା ଆରମ୍ଭ କରିଦେଇଥିଲେ। କିନ୍ତୁ ପୁରୀରେ ପଣ୍ଡିତ ଓ ସେବକମାନଙ୍କ ଚିନ୍ତା ଅଲଗା ପ୍ରକାର ଥିଲା। ମୁଖ୍ୟ ଦ୍ଵନ୍ଦର ବିଷୟ ଥିଲା ମନ୍ଦିର ମରାମତି ସମୟରେ ଶ୍ରୀଜୀଉ ମାନେ ସ୍ଥାପନା ହେବେ କେଉଁଠି? ପୁରୀ ଗଜପତିଙ୍କ ସହ ମହନ୍ତ ନାରାୟଣ ଦାସ ଓ ପଣ୍ଡିତ ଗୋପୀନାଥ ମିଶ୍ର ଙ୍କ ମତ ଥିଲା, ସମସ୍ତ ମରାମତି କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଶ୍ରୀଜୀଉ ମାନେ ଜଗମୋହନ ରେ ସ୍ୱତନ୍ତ୍ର ଆସନ ନିର୍ମିତ୍ତ ହୋଇ ରହିବେ। ଅନ୍ୟ ପକ୍ଷରେ ପଣ୍ଡିତ ମାର୍କଣ୍ଡେୟ ମହାପାତ୍ରଙ୍କ ସହ କିଛି ମହନ୍ତ ଓ ସେବକ ଙ୍କ ମତ ଥିଲା ଶ୍ରୀଜୀଉମାନେ ସେମିତି ରତ୍ନ ସିଂହାସନ ଉପରେ ରହିବେ ଓ ତାଙ୍କ ମୁଣ୍ଡ ଉପରେ ଗୋଟିଏ ଶକ୍ତ ଭାଡ଼ି ବନ୍ଧା ହେବ। ଏହି ମତ ପଛରେ ଦୃଢ଼ ଯୁକ୍ତି ଥିଲା ଯେ ଶ୍ରୀଜୀଉମାନେ ରତ୍ନ ସିଂହାସନ ବ୍ୟତୀତ ଅନ୍ୟ ସ୍ଥାନରେ ବସି ଶ୍ରୀଜୀଉ ମାନେ ଅନ୍ନ ଭୋଗ ଗ୍ରହଣ କରିବେ ନାହିଁ। ଏହି ଯୁକ୍ତିକୁ ଅବଶ୍ୟ ମହନ୍ତ ନାରାୟଣ ଦାସ ମହୋଦୟ ମାଦଳା ପାଞ୍ଜି ଆଧାରରେ ଖଣ୍ଡନ କରିଥିଲେ। କିନ୍ତୁ ସେବକମାନଙ୍କ ଏକାଜିଦ ଶ୍ରୀଜୀଉମାନେ ରତ୍ନ ସିଂହାସନରେ ହିଁ ରହିବେ କାରଣ ସେମାନଙ୍କର ଭୟ ଥିଲା ଶ୍ରୀଜୀଉମାନଙ୍କୁ ଅନ୍ୟତ୍ର ସ୍ଥାନିତ କଲେ ଭକ୍ତମାନେ କାଳେ ଶ୍ରୀମନ୍ଦିର ଆସିବେନି। କିନ୍ତୁ ଗଜପତି ମହାରାଜ ସେବକ ମାନଙ୍କ ପ୍ରସ୍ତାବ କୁ ଦୃଢ଼ ଭାବେ ଖଣ୍ଡନ କଲେ ଓ ସମସ୍ତ ବିଷୟ ବର୍ଣ୍ଣନା କରି ତତ୍କାଳୀନ କଲେକ୍ଟର ଅlର୍ମଷ୍ଟ୍ରଙ୍ଗଙ୍କ ନିକଟକୁ ଏକ ପତ୍ର ଦେଲେ। କିନ୍ତୁ ସେବକମାନଙ୍କ ଦାବି ଓ ଗଜପତିଙ୍କ ପତ୍ର ଉଭୟଙ୍କୁ ଅନୁଧ୍ୟାନ କରିବା ପରେ ସାହେବଙ୍କ ଫଇସଲା ଥିଲା “ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଅଧିକାର ମହାରାଜ ଉପରେ ନ୍ୟସ୍ତ ତେଣୁ ତାଙ୍କ ନିଷ୍ପତି ଶେଷ ନିଷ୍ପତି ଏହାକୁ ଅମାନ୍ୟ କଲେ ସେବକମାନେ ସେବା ସତ୍ୱ ହରାଇବେ। ଏହି ଆଦେଶ ପରେ ଶ୍ରୀଜୀଉମାନଙ୍କୁ ଜଗମୋହନରେ ରଖାଯାଇ, ମରାମତି କାର୍ଯ୍ୟ ପାଇଁ ଅନୁମତି ମିଳିଲା। ଗଜପତି ମହାରାଜ କିନ୍ତୁ ଅର୍ଥ ଅଭାବ ଦର୍ଶାଇ ମନ୍ଦିର ମରାମତି ପାଇଁ ଅର୍ଥର ବରାଦ କଲେ। ଆଗାମୀ ଅଧ୍ୟାୟରେ ଜାଣିବା ସରକାର ଅର୍ଥ ଦେଲେ କି ନାହିଁ ବର୍ତ୍ତମାନ ସମୟ ଆରାଧନା ଓ ନୀତିବାଣୀ ଶୁଣିବାର ।
ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ।
କହଇ ଜଗନ୍ନାଥ ଦାସ
ମୂଳ ଟି ଅଟଇ ବିଶ୍ୱାସ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ)
Comments are closed.