Latest Odisha News

୫୬ଜଣ ପୁରୁଷଙ୍କ ଭିତରେ ଏକା ଲଢୁଥିଲେ ଏହି ମହିଳା ବିଏସଏଫ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ସ୍ୱତନ୍ତ୍ର ବାହିନୀରେ ସ୍ନାଇପରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ସୀମାରେ ଚାଲିଥିବା ଯୁଦ୍ଧ ହେଉ ଅବା ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଯେକୌଣସି ଜରୁରୀ ପରିସ୍ଥିତି ହେଉ ସବୁ ସ୍ଥାନରେ ସ୍ନାଇପର ଅନେକ କିଲୋମିଟର ଦୂରରୁ ଲକ୍ଷ୍ୟ କରି ଶତ୍ରୁମାନଙ୍କ ଉପରକୁ ଗୁଳି ଚଳାଇଥାଏ । ସାଧାରଣତଃ ଆମେମାନେ ଅନେକ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଇତ୍ୟାଦିରେ ସ୍ନାଇପର ଭୂମିକାରେ ଏକ ପୁରୁଷକୁ ଅଭିନୟ କରୁଥିବାର ଦେଖିବାକୁ ପାଇଥାଉ । ଏହାକୁ ଦେଖିବା ବେଳେ ସାଧାରଣରେ ପ୍ରଶ୍ନ ଉଠେ ଯେ କାହିଁକି ଏହି ଭୁମିକାରେ ଜଣେ ମହିଳା ଚରିତ୍ର ଅଭିନୟ କରିନଥାଏ । ତେବେ ଆଜି ଆମେ ଆପଣଙ୍କ ମନରେ ଉପୁଜିଥିବା ସେହି ପ୍ରଶ୍ନର ଉତ୍ତର ସ୍ଵରୁପ ଏକ ଏପରି ମହିଳା ସ୍ନାଇପରଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ଭାରତର ପ୍ରଥମ BSF ମହିଳା ସ୍ନାଇପର।

ଇନ୍ଦୋରର ସେଣ୍ଟ୍ରାଲ୍ ଆର୍ମମେଣ୍ଟ୍ ଏବଂ କମ୍ବିଟ୍ ସ୍କିଲ୍ସ ସ୍କୁଲରେ ତାଲିମ ନେଉଥିବା ବିଏସ୍ଏଫର ଏକ ବ୍ୟାଚ୍ ଏବେ ଚର୍ଚ୍ଚାରେ ଅଛି । କାରଣ ଅନେକ କଠୋର ତାଲିମ ପରେ ବିଏସ୍ଏଫ୍ ର ପ୍ରଥମ ମହିଳା ସ୍ନାଇପରଙ୍କୁ ସାମ୍ନାଙ୍କୁ ଅଣା୍ାଇଛି । ଇନ୍ଦୋରର ବିଏସ୍ଏଫ୍ କ୍ୟାମ୍ପସରେ ଆୟୋଜିତ ଆଠ ସପ୍ତାହର ସ୍ନାଇପର ଟ୍ରେନିଂ ପାଠ୍ୟକ୍ରମରେ ଏସଆଇ ସୁମନ କୁମାରୀ ଏକମାତ୍ର ମହିଳା ଥିଲେ। ସେ ବିଏସଏଫର ପଞ୍ଜାବ ୟୁନିଟରେ ସବ୍ ଇନ୍ସପେକ୍ଟର ଭାବରେ ପୋଷ୍ଟ ହୋଇଛନ୍ତି । ଏନେଇ BSF ତା’ର ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ପୋଷ୍ଟ କରି ପ୍ରଥମ ମହିଳା ସ୍ନାଇପର ବିଷୟରେ ସୂଚନା ଦେଇଛି । ବହୁତ କଠିନ ତାଲିମ ପରେ, ଏହି ସ୍ନାଇପରମାନେ SSG ସମେତ ଅନ୍ୟ ବନ୍ଧୁକ ସହିତ ନିର୍ଦ୍ଦିଷ୍ଟ ଦୂରତାରୁ ସଠିକ୍ ଲକ୍ଷ୍ୟ କରିପାରୁଛନ୍ତି ।

କେବଳ ଏତିକି ନୁହେଁ, ସେମାନେ ସେମାନଙ୍କର ପରିଚୟ ଲୁଚାଇ ଅତି କଠିନ ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ତାଲିମ ମଧ୍ୟ ଦିଆଯାଇଛି । ସୁମନ ୨୦୨୧ ମସିହାରେ ବିଏସ୍ଏଫ୍ ରେ ଯୋଗ ଦେଇଥିଲେ । ପଞ୍ଜାବର ଏକ ପ୍ଲାଟୁନ ଫୋର୍ସର କମାଣ୍ଡ ଦାୟିତ୍ଵ ସମ୍ଭାଳିବା ବେଳେ ତାଙ୍କୁ ସ୍ନାଇପର ଆକ୍ରମଣର ଆଶଙ୍କା ଅନୁଭବ ହୋଇଥିଲା । ଏହା ପରେ ସେ ସ୍ବେଚ୍ଛାକୃତ ଭାବରେ ସ୍ନାଇପର ପାଠ୍ୟକ୍ରମ ପାଇଁ ଆବେଦନ କରିଥିଲେ । ସୁମନଙ୍କ ନିଷ୍ଠା ଦ୍ୱାରା ଉତ୍ସାହିତ ହୋଇ ତାଙ୍କ ସିନିୟରମାନେ ତୁରନ୍ତ ତାଙ୍କୁ ଆଗକୁ ବଢିବାକୁ ଅନୁମତି ଦେଇଥିଲେ | ରିପୋର୍ଟ ଅନୁସାରେ ସୁମନ ୫୬ ଜଣ ପୁରୁଷଙ୍କ ମଧ୍ୟରେ ଏକମାତ୍ର ମହିଳା ଥିଲେ । ପ୍ରତ୍ୟକ କାର୍ଯ୍ୟକଳାପରେ ଖୁବ୍ ଆଶ୍ଚର୍ଯ୍ୟଜନକ ଥିଲା ।

Comments are closed.