ଲାଞ୍ଚ ନେଇ ଭୋଟ ଦେଉଥିବା ଏମପି ଓ ଏମଏଲଏଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ, ରଦ୍ଦ ହେଲା ୨୬ବର୍ଷ ପୁରୁଣା ନିଷ୍ପତ୍ତି
ନୂଆଦିଲ୍ଲୀ: ଯେଉଁ ସାଂସଦ ଏବଂ ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ କିମ୍ବା ଭାଷଣ ଦେବା ପାଇଁ ଲାଞ୍ଚ ନେଉଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ ନିଷ୍ପତ୍ତିକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । CJI କହିଛନ୍ତି ଯେ, ନରସିଂହ ରାଓଙ୍କ ନିଷ୍ପତ୍ତିର ବ୍ୟାଖ୍ୟା ଧାରା ୧୦୫/୧୯୪ ବିରୁଦ୍ଧ ଅଟେ । ସେ କହିଛନ୍ତି, ‘ସାଂସଦ ଏବଂ ବିଧାୟକଙ୍କ ଦୁର୍ନୀତି ଏବଂ ଲାଞ୍ଚ ଭାରତୀୟ ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟକୁ ନଷ୍ଟ କରୁଛି।’ ୧୯୯୮ ରେ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥିଲେ ଯେ, ସାଂସଦ ଏବଂ ବିଧାୟକଙ୍କ ଏହି ପ୍ରସଙ୍ଗରେ ‘ପ୍ରତିରକ୍ଷା’ ରହିଛି। ଅଢେଇ ଦଶନ୍ଧି ପରେ ସୁପ୍ରିମକୋର୍ଟର ସାତଜଣିଆ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ୧୯୯୮ ନିଷ୍ପତ୍ତିର ସମୀକ୍ଷା କରିଛନ୍ତି।
ଆଜି ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସମ୍ବିଧାନ ବେଞ୍ଚ ଏହାର ଶୁଣାଣି କରିଛନ୍ତି। ଗତ ବର୍ଷ ଅକ୍ଟୋବରରେ ଖଣ୍ଡପୀଠ ଏହି ରାୟ ସଂରକ୍ଷଣ କରିଥିଲେ। ଭାରତ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେତା କହିଥିଲେ ଯେ, ଲାଞ୍ଚ କେବେହେଲେ ପ୍ରତିରୋଧକ ବିଷୟ ହୋଇପାରିବ ନାହିଁ। ସରକାରଙ୍କ କହିବା ଅନୁସାରେ, ସଂସଦୀୟ ଅଧିକାରର ଅର୍ଥ ଏହା ନୁହେଁ ଯେ ସାଂସଦ ଏବଂ ବିଧାୟକମାନେ ଆଇନଠାରୁ ଊର୍ଦ୍ଧ୍ୱରେ ଅଛନ୍ତି।
ସାତଜଣିଆ ଖଣ୍ଡପୀଠ ଜେଏମଏମ ଲାଞ୍ଚ ମାମଲାରେ ପାଞ୍ଚ ଜଣିଆ ଖଣ୍ଡପୀଠର ନିଷ୍ପତ୍ତି ଉପରେ ପୁନର୍ବିଚାର କରିଛି। ୧୯୯୮ର ବିଚାରରେ ନିର୍ବାଚନ କମିଶନର ‘ଭାଷଣ ଦେବା କିମ୍ବା ବିଧାନସଭାରେ ଭୋଟ୍ ଦେବା ପାଇଁ ଲାଞ୍ଚ ଗ୍ରହଣ କରିଥିବାରୁ ସାଂସଦ ତଥା ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିବା ନିଷ୍ପତିକୁ ଖଣ୍ଡନ କରିଥିଲେ’। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦେଶରେ ଲାଗିଥିବା ନିର୍ବାଚନୀ ମାହୋଲକୁ ପ୍ରଭାବିତ କରିଛି । କିଛି ଦିନ ମଧ୍ୟରେ ଲୋକସଭା ନିର୍ବାଚନ ୨୦୨୪ର କାର୍ଯ୍ୟସୂଚୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷଣା କରାଯିବ।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ୧୯୯୮ରେ ପିଭି ନରସିଂହ ବନାମ ସିବିଆଇ ମାମଲାରେ ରାୟ ଶୁଣାଇ କହିଥିଲେ ଯେ, ସଂବିଧାନର ଧାରା ୧୦୫(୨) ଏବଂ ୧୯୪(୨) ଅନୁସାରେ ସାଂସଦଙ୍କ ଦ୍ଵାରା ସଂସଦ ଭିତରେ ଦିଆଯାଇଥିବା କୌଣସି ଭାଷଣ କିମ୍ବା ଭୋଟ ଉପରେ ଅପରାଧିକ ମାମଲା ଚାଲିବନାହିଁ । ପିଭି ନରସିଂହ ରାଓ ବନାମ ସିବିଆଇ ମାମଲା ୧୯୯୩ର ଜେଏମଏମ ଲାଞ୍ଚ ଘଟଣାରୁ ଉପୁଜିଥିଲା । ଝାଡ଼ଖଣ୍ଡର ମୁକ୍ତି ମୋର୍ଚା (ଜେଏମ୍ଏମ୍) ର ଶିବୁ ସୋରେନ୍ ଏବଂ ଅନ୍ୟ କିଛି ସାଂସଦଙ୍କ ଉପରେ ଲାଞ୍ଚ ନେଇ ଭୋଟ ଦେବା ଅଭିଯୋଗ ହୋଇଥିଲା। ୧୦୫(୨) ଅଧୀନରେ ଏହି ମାମଲାକୁ ଖାରଜ କରିଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ ।
Comments are closed.