Latest Odisha News

BREAKING NEWS

୧୯ ବର୍ଷ ତଳେ ଚଳନ୍ତା ଟ୍ରେନରେ ଲୁଟ୍ ହୋଇଥିବା ପତ୍ନୀଙ୍କ ହାର ଫେରିପାଇଲେ ପୂର୍ବତନ ଉପବାଚସ୍ପତି

ବ୍ରହ୍ମପୁର: ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ଠାରୁ ପ୍ରାୟ ଦୁଇ ଦଶନ୍ଧି ତଳେ ହୋଇଥିବା ସୁନା ଲୁଟ୍ ହୋଇଥିଲା। ଏବେ ତାକୁ ସେ ଫେରି ପାଇଛନ୍ତି। ୧୯ ବର୍ଷ ତଳେ ଚଳନ୍ତା ଟ୍ରେନରେ ରାମଚନ୍ଦ୍ର ପଣ୍ଡାଙ୍କ ପତ୍ନୀଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେଇଥିଲେ ଲୁଟେରା। ଏବେ କୁର୍ଦୁବାଡ଼ି ରେଳ ଷ୍ଟେସନର ଦୁଇ ଜଣ ଜିଆରପି କର୍ମଚାରୀ ସୋମବାର ଶ୍ରୀଯୁକ୍ତ ପଣ୍ଡାଙ୍କ ବ୍ରହ୍ମପୁର ବାସଭବନକୁ ଯାଇ ୧.୬ ଗ୍ରାମ ସୁନାକୁ ହସ୍ତାନ୍ତର କରିଛନ୍ତି।

ପ୍ରାୟ ଦୁଇ ଦଶନ୍ଧି ପରେ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଜବତ କରି ଫେରାଇ ଦେଇଥିବାରୁ ସେ ମହାରାଷ୍ଟ୍ରର ରେଳବାଇ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି। ଅଳଙ୍କାରର ମୂଲ୍ୟ ଛୋଟ ହୋଇପାରେ, କିନ୍ତୁ ଏହି ଇଙ୍ଗିତ ସେମାନଙ୍କର ଉତ୍ତରଦାୟିତ୍ୱ କୁ ଦର୍ଶାଇଛି। ଏହା ପୋଲିସ ଉପରେ ସାଧାରଣ ଲୋକଙ୍କ ଆସ୍ଥାକୁ ଦୃଢ଼ କରିବ।

୨୦୦୫ ଡିସେମ୍ବର ୨୦ ତାରିଖରେ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ସୁଷମା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ପୁଣେ ଯାଉଥିବା ବେଳେ ସୋଲାପୁର-ପୁଣେ ମଧ୍ୟରେ ଏହି ଲୁଟ୍ ହୋଇଥିଲା। ଟ୍ରେନ୍ ଧୀରେ ଧୀରେ ଚାଲୁଥିବା ବେଳେ ତାଙ୍କ ପତ୍ନୀଙ୍କ ମଙ୍ଗଳସୂତ୍ରକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇଥିବା ନେଇଥିଲେ । ଏହାପରେ ସେ ମହାରାଷ୍ଟ୍ରର ରେଳବାଇ ଥାନାରେ ଅଭିଯୋଗ କରିଥିଲେ। ୨୦୦୬ ମାର୍ଚ୍ଚ ୭ ତାରିଖରେ ପୁଲିସ ତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଥିଲା।

୨୦୦୬ ମାର୍ଚ୍ଚ ୨୦ ତାରିଖରେ ଟ୍ରେନ୍ ଭିତରେ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ସୋଲାପୁରରୁ ଜଣେ ଚେନ୍ ଲୁଟେରାକୁ ପୁଲିସ ଗିରଫ କରିଥିଲା। ଏହାପରେ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ପୁଲିସ ୨୦୧୧ ମେ ୨୦ ତାରିଖରେ ଶ୍ରୀ ପଣ୍ଡାଙ୍କୁ କୁର୍ଦୁବାଡ଼ି ରେଳବାଇ ଥାନାରୁ ଲୁଟ୍ ହୋଇଥିବା ସୁନା ସଂଗ୍ରହ କରିବାକୁ କହିଥିଲା।

ତେବେ ସୁନା ଫେରାଇ ଆଣିବା ପାଇଁ ରାମଚନ୍ଦ୍ର ପଣ୍ଡା ଏତେ ଦୂର ଯିବାକୁ ମନା କରିବା ସହ ଏହାକୁ ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର କରିବାକୁ ପୁଲିସକୁ ଅନୁରୋଧ କରିଥିଲେ। ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୁଲିସ କର୍ମଚାରୀମାନେ ବ୍ରହ୍ମପୁର ଆସି ଶ୍ରୀ ପଣ୍ଡାଙ୍କୁ ସୁନା ହସ୍ତାନ୍ତର କରିଛନ୍ତି।

Comments are closed.