ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ନିର୍ବାଚନ ପୂର୍ବରୁ ମେଣ୍ଟ ହେବା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ନେତାଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିଛି। ଦୁଇ ଦିନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି କହିଥିଲେ ରାଜ୍ୟରେ କୌଣସି ପ୍ରକାର ହେବ ନାହିଁ ମେଣ୍ଟ। ହେଲେ ଆଜି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ନୂଆଦିଲ୍ଲୀରେ ଦଳର କୋର କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଛି। ବିଜେଡି ସହ ମେଣ୍ଟ କରାଯିବ କି ନାହିଁ ସେ ନେଇ ଶେଷରେ ନିଷ୍ପତ୍ତି ନେବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର କମିଟି ବୈଠକରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ପ୍ରମୁଖ ନେତାମାନେ ଯୋଗ ଦେଇଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ।
ମେଣ୍ଟ ନେଇ ଆଲୋଚନା ହୋଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଦଳର ରାଜ୍ୟ ନେତାମାନେ ଆଗାମୀ ନିର୍ବାଚନକୁ ସ୍ୱାଧୀନ ଭାବେ ଲଢ଼ିବାକୁ ପସନ୍ଦ କରିଛନ୍ତି ବୋଲି ଏହି ବରିଷ୍ଠ ଆଦିବାସୀ ନେତା ଗୁରୁତ୍ୱାରୋପ କରିଛନ୍ତି। ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତିକୁ ପାଳନ କରିବାକୁ ସେମାନେ ପ୍ରତିଶ୍ରୁତିବଦ୍ଧ।
କୋର କମିଟି ବୈଠକରେ ନିର୍ବାଚନ ରଣନୀତି ଓ ପ୍ରାର୍ଥୀ ଚୟନ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଦଳ ୧୪୭ ଟି ବିଧାନସଭା ଆସନ ଏବଂ ୨୧ ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିସାରିଛି। ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।
ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବିଜେଡିର ବରିଷ୍ଠ ନେତାମାନେ ତାଙ୍କ ସହ ବୈଠକ କରିଛନ୍ତି। ଆଗାମୀ ନିର୍ବାଚନ ପାଇଁ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିଛନ୍ତି।
ବଡ଼କଥା ହେଉଛି, ଗତକାଲି ମୋଦୀ ଚଣ୍ଡିଖୋଲ ଗସ୍ତ ବେଳେ ସେ ବିଜେଡି ସରକାର ବାବଦରେ ପଦୁଟିଏ ବି କହିନଥିଲେ। ଯାହା ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଅନ୍ୟପଟେ ବିଜେଡି ନେତାମାନେ ମଧ୍ୟ ମେଣ୍ଟ ବାବଦରେ ନିରବ ରହିଛନ୍ତି।
Comments are closed.