ପୁରୀ: ପୁଣି ତେଜିଲା ରତ୍ନଭଣ୍ଡାର ମଣତି ଗଣତି ମରାମତି ପ୍ରସଙ୍ଗ। ରତ୍ନଭଣ୍ଡାରର ଗୋଟିଏ ନୁହେଁ ବରଂ ଦୁଇଟି ଦ୍ୱାର ବୋଲି କହି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର। ୨୦୧୮ରେ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିବା ବେଳେ ସେ ଦେଖିଛନ୍ତି। ନୀତି ସହ ସଂଶ୍ଳିଷ୍ଟ ଗୋଟିଏ ଦ୍ୱାର ଜଗମୋହନ ନିକଟରେ ରହିଥିବା ବେଳେ ଅନ୍ଯ ଦ୍ୱାରଟି ଘଣ୍ଟିଦ୍ୱାର ନିକଟରେ ରହିଛି। ଘଣ୍ଟିଦ୍ୱାର ନିକଟରେ ଥିବା ଦ୍ୱାର ଅଳଙ୍କାର ରଖିବା ଓ କାଢିବା ପାଇଁ ବାଟ ରହିଛି। ବାହାର ରତ୍ନଭଣ୍ଡାରରେ ଅଧିକ ଅଳଙ୍କାର ରହିଛି। ଭିତର ରତ୍ନଭଣ୍ଡାରରେ କମ୍ ସ୍ୱର୍ଣ୍ଣାଳଙ୍କାର ରହିଛି। ଭିତର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରଘୁନାଥ ବେଶର ଅଳଙ୍କାର ରହିଛି।
ଆଗରୁ ରତ୍ନଭଣ୍ଡାର କେବଳ ରାଜାଙ୍କର ବ୍ଯକ୍ତିଗତ ଭଣ୍ଡାର ଥିଲା। ଯାହା ହୀରା ନୀଳା ମୋତି ମାଣିକ ସୂନାରୂପା ପାଉଥିଲେ ଏଠି ରଖୁଥିଲେ। ସରକାର ନିଜ ହାତକୁ ନେଇଯିବା ପରେ ତାଲିକା ଅନୁସାରେ ରଖାଯାଉଛି। ମହାପ୍ରଭୁଙ୍କ ଅଳଙ୍କାର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି। ମହାପ୍ରଭୁଙ୍କର କୌଣସି ଅଳଙ୍କାର ମେଘନାଦ ପାଚେରୀ ବାହାରକୁ ଯାଇନାହିଁ। ଯିଏ ନେବ ମହାପ୍ରଭୁ ଛାଡିବେ ନାହିଁ। ଥରେ ଜଣେ ମହାପ୍ରଭୁଙ୍କ ଜିଭଚିରା ନେଇଥିଲା। ମାତ୍ର କିଛି ସମୟ ପରେ ସେହି ବ୍ଯକ୍ତି ଜିଭଚିରା ଭଳି ବାଙ୍କି ମୃତ୍ୟୁବରଣ କରିଥିଲା। ତେଣୁ ରତ୍ନଭଣ୍ଡାର ମଣତି ଗଣତି ପାଇଁ ଜଷ୍ଟିସ ଅରଜିତ ପଶାୟତଙ୍କୁ ନେଇ ଯେଉଁ କମିଟି ଗଠନ ହୋଇଛି ସେ ନିଶ୍ଚିତ ଏହା ଉପରୁ ପରଦା ହଟାଇବେ।
ତେବେ ରଥଯାତ୍ରା ସମୟରେ ଏକସଙ୍ଗେ ଗଣତି ମଣତି ମରାମତି ସମ୍ଭବ ନୁହେଁ। ଏଣୁ ମେ ମାସରେ ବାହାର ରତ୍ନଭଣ୍ଡାର ଖୋଲି ଆକଳନ ସାରିଦିଅନ୍ତୁ। ତାପରେ ରଥଯାତ୍ରା ସମୟରେ ଭିତର ରତ୍ନଭଣ୍ଡାର ଖୋଲି ଆକଳନ ଓ ମରାମତି କରିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସେବାୟତ। ସେପଟେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହେଉନାହିଁ। ବାରମ୍ବାର ସମୟ ଗଡାଇ ଗଡାଇ ଚାଲିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ବି ବିଳମ୍ବ ହେଉଥିବା କହିଛନ୍ତି ବୁଦ୍ଧିଜୀବୀ।
Comments are closed.