ପୁରୀ: ନିର୍ବାଚନ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ବର୍ଷ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ସେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ତେବେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସତ୍ୟବାଦୀ ଭଳି ଏକ ପୁଣ୍ୟ ମାଟିରୁ ନିର୍ବାଚନ ଲଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଚଳିତ ନିର୍ବାଚନରୁ ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ରାଜନୈତିକ ଜୀବନ ଆରମ୍ଭ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସାକ୍ଷୀଗୋପାଳର ପ୍ରଭୁ ସାକ୍ଷୀଗୋପିନାଥଙ୍କ ଆଶୀର୍ବାଦରୁ ତାଙ୍କ ଦ୍ବିତୀୟ ପର୍ଯ୍ୟାୟ ରାଜନୈତିକ ଜୀବନ ସଫଳ ହେଉ ବୋଲି ସେ ପ୍ରାର୍ଥନା କରିଛନ୍ତି। ସତ୍ୟବାଦୀ ମାଟି ହେଉଛି ମହାପୁରୁଷ ଗୋପବନ୍ଧୁ ଦାସଙ୍କ କର୍ମ ଭୂମି ଏବଂ ପଞ୍ଚସଖାଙ୍କ ପୁଣ୍ୟ ଭୂମି। ଏଣୁ ସେହିଭଳି ଏକ ପବିତ୍ର ସ୍ଥାନରେ ଜନସାଧାରଣଙ୍କ ସେବା ପାଇଁ ତାଙ୍କର ଲକ୍ଷ ଥିବାବେଳେ ସତ୍ୟବାଦୀର ବାସିନ୍ଦା ମଧ୍ୟ ତାଙ୍କୁ ସମର୍ଥନ ଜଣାଇବେ ବୋଲି ସେ ଆଶା ରଖିଛନ୍ତି।
ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ, ସ୍ବଛ ଭାବମୂର୍ତ୍ତି ଏବଂ ବିକାଶଧାରାକୁ ସାଢ଼େ ଚାରିକୋଟି ଓଡ଼ିଆ ଗ୍ରହଣ କରିସାରିଥିବା ବେଳେ ପୂର୍ବ ନିର୍ବାଚନ ଅପେକ୍ଷା ଆଗାମୀ ନିର୍ବାଚନରେ ଲୋକସଭା ଏବଂ ବିଧାନସଭାରେ ଅଧିକ ଆସନରେ ବିପୁଳ ବିଜୟ ହାସଲ କରିବ ବୋଲି ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।
ସେହିପରି ସମ୍ବଲପୁର ଲୋକସଭା ଆସନରୁ ବିଜେଡିରୁ ଲଢ଼ିବେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ। ତେବେ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବା ପୁର୍ବରୁ ପ୍ରଣବ ଜଗା ଶରଣରେ ପସିଛନ୍ତି। ସେ ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ବିଜେଡି ର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ନେତା ଓ କର୍ମୀ ପ୍ରଣବଙ୍କୁ ସ୍ଵାଗତ କରିଥିଲେ। ପରେ ପ୍ରଣବ ପ୍ରଥମେ ସିଂହ ଦ୍ବାର ଗୁମୁଟ ପ୍ରଭୂ ପତିତପାବନଙ୍କୁ ଦର୍ଶନ କରିଥଲେ। ପରେ ଭିତରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଦେବୀ ବିମଳା, ମା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥଲେ।
ଶ୍ରୀ ମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ପାର୍ଶ୍ଵ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରି ପ୍ରଭୁଙ୍କ ଆଶୀର୍ବାଦ ଲୋଡିଥିଲେ। ଚଳିତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢ଼ିବେ। ଦୁଇ ହେଭିୱେଟ୍ ନେତା ପରସ୍ପର ସହ ସିଧାସଳଖ ଲଢେଇ କରିବେ। ଏଣୁ ସମ୍ବଲପୁର ଲୋକସଭା ଲଢେଇ ବେଶ୍ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପିର ଟିକେଟ ଘୋଷଣା ପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଆସି ସପରିବାର ମହାପ୍ରଭୁଙ୍କୁ ଦର୍ଶନ କରି ନିର୍ବାଚନରେ ସଫଳତା ପାଇଁ ପ୍ରାର୍ଥନା କରିଥଲେ।