ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି ପତିତ ଉଦ୍ଧାର ପାଇଁ। ସେଥିପାଇଁ ଶ୍ରୀମନ୍ଦିର ଶୀର୍ଷରେ ନୀଳଚକ୍ର ଉପରେ ଫର ଫର ହୋଇ ଉଡ଼ୁଛି ପତିତପାବନ ବାନା, କବି ବୀରବର ସିଂହଙ୍କ “ଦଧିବାମନ “ଜଣାଣ କହେ :
“ପତିତ ତାରିବା ପାଇଁ, ବାନା ଅଛ ତୁମେ ବହି,
ନା ଅଛ ଦେଇ ତା ପତିତପାବନ,
ଏ ବାନା ତୁମକୁ କେହି ଦେଇନାହିଁ ଆପେ ବହି,
କାର୍ଯ୍ୟ କରିବାକୁ କର ନିସତ….
‘ନିସତ ପଣ’ ସତରେ କବିଙ୍କ ଭାବନା ପରି। ଆପଣଙ୍କ ଭାବନା ବି ଜାଗିବଣି, ପତିତପାବନ ବାନା ପରି ଏକ ଦୁର୍ଲଭ ପଦାର୍ଥ କଥା ପ୍ରଥମେ ଚିନ୍ତା କଲା କିଏ ? ଆସନ୍ତୁ ଜାଣିବା ପତିତପାବନ ବାନାଙ୍କ ଜନ୍ମ ବୃତ୍ତାନ୍ତ ।
ବିରଜା କ୍ଷେତ୍ରରେ ବିଷ୍ଣୁପୁର ଗ୍ରାମରେ ଜଣେ ବିଷ୍ଣୁଶର୍ମା ନାମକ ବ୍ରlହ୍ମଣ ଥିଲେ ପତ୍ନୀ ବିଷ୍ନୁପ୍ରିୟା ଙ୍କ ସହ ଭିକ୍ଷା କରି ଆନନ୍ଦରେ ବାସ କରୁଥାନ୍ତି ଦୁଇଜଣ । କିନ୍ତୁ ସନ୍ତାନଟିଏ ନଥିବାରୁ ଦିନେ ରାଗରେ ବିଷ୍ଣୁପ୍ରିୟା ଘରେ ପୂଜା ପାଉଥିବା ଶିବ ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ନେଇ ବୈତରଣୀ ନଦୀରେ ବିସର୍ଜନ କରିଦେଲେ। ପରେ ମା ବିରଜାଙ୍କ ପାଖରେ ଅଧିଆ ପଡି କନ୍ୟା ସନ୍ତାନଟିଏ ଲାଭକଲେ। କିନ୍ତୁ କନ୍ୟାଟି ଥିଲା ଉଆଁସୀ କନ୍ୟା। କ୍ରମେ କନ୍ୟାଟି ଯୁବତୀ ହେଲା। କିନ୍ତୁ ତାର ବିବାହ ହୋଇ ପାରିଲାନି। ଥରେ ପୁରୀ ଦୋଳମଣ୍ଡପ ସାହିର ହରିହର ମିଶ୍ର ଓ ପତ୍ନୀ ସୁମତି ଦେବୀ ବିରଜା ଦର୍ଶନ ସମୟରେ କନ୍ୟାକୁ ଦେଖି ତାକୁ ନିଜ ପୁତ୍ର ମାଧବଙ୍କ ସହ ବିବାହ କରିଲେ। କିନ୍ତୁ ବିଧିର ବିଧାନ ଯୋଗୁ ମାଧବଙ୍କ ମୃତ୍ୟୁ ହେଲା ଓ ଉଆଁସୀ କନ୍ୟା ମଳୟାବତୀ କର୍ମ ଆଦରି ପୁଣି ବାପା ଘରେ ବାସ କଲେ। ଏକ ଦୁର୍ଦ୍ଦିନରେ ଏକ କଦାକାର ଚଣ୍ଡାଳ ମଳୟାବତୀଙ୍କ ସତୀତ୍ୱ ହରଣ କରି ଗର୍ଭବତୀ କରିଦେଲା। କିଛିଦିନ ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇ ମଳୟାବତୀ କାଳ କାଟିଲେ। ପୁତ୍ର ଯୌବନ ପ୍ରାପ୍ତ ହୋଇ ନିଜ ପିତୃ ପରିଚୟ ଖୋଜିବାରୁ। ମଳୟାବତୀ ଗୃହ ତ୍ୟାଗ କରି ଶ୍ରୀମନ୍ଦିର ପାର୍ଶ୍ଵରେ ରହି ପ୍ରଭୁଙ୍କ ସେବା କଲେ.ଏଣେ ପୁତ୍ର ମାଙ୍କ ବିରହରେ ପାଗଳ ପ୍ରାୟ ହେବାରୁ ମହର୍ଷି ନାରଦ ତାକୁ କହିଲେ ଆରେ ପୁତ୍ର, ତୋ ପିତା ହେଉଛି ଚଣ୍ଡାଳ ପାବନ। ଆଉ ଆଜିଠାରୁ ତୋ ନାମ ପତିତ ଦେଲି। ଯା ଶ୍ରୀକ୍ଷେତ୍ରରେ ତୋ ପିତା ମାତାଙ୍କୁ ଭେଟିବୁ। ପତିତ ଶ୍ରୀମନ୍ଦିର ସମ୍ମୁଖରେ ଭିକ୍ଷା ମାଗୁଥିବା ପିତା ପାବନ ଓ ମା ମଳୟାବତୀଙ୍କୁ ଭେଟିଲା ଓ ସର୍ବ ବୃତ୍ତାନ୍ତ ଶୁଣି ଜୀବନ ହାରିବା ପାଇଁ ମେଘନାଦ ପାଚେରୀରୁ ତଳକୁ ଡେଇଁ ପଡିଲା ଏବଂ ପ୍ରଭୁ କୃପାରୁ ଏକ ପତାକା ପାଲଟି ଗଲା। ଏହା ଦେଖି ଚଣ୍ଡାଳ ପାବନ ମଧ୍ୟ ନିଜ ପାପର ପ୍ରାୟଶ୍ଚିତ ପାଇଁ ପ୍ରଭୁଙ୍କୁ ପାର୍ଥନା କଲା। ପ୍ରଭୁ ତାକୁ ମଧ୍ୟ ପତିତ ଶରୀରରେ ମିଶାଇ ପତାକା କୁ “ପତିତପାବନ “ପତାକା କରିଦେଲେ। ଉଆଁସୀକନ୍ୟା ମଳୟାବତୀଙ୍କୁ ନିଜ ଚରଣରେ ସ୍ଥାନ ଦେଲେ। କିଛି କିମ୍ବଦନ୍ତୀ କୁହେ ସେ ପ୍ରଭୁଙ୍କୁ ବିବାହ କଲେ, ସେ ଯାହା ହେଉ ଭକତ କିନ୍ତୁ ଇଛା କରି ଗାଏ ।
“ଏମିତି ଏ ବଡ଼ଦlଣ୍ଡେ, ହାତ ପାତି ବସିଥିବି,
ପତିତପାବନ ପତାକା କୁ ଚାହିଁ, ତୋର ନାମ ଗାଉଥିବି,
କାଳିଆରେ ଦୁଃଖ ମୋର ଭୁଲିଯିବି ।”
ଶ୍ରୀମନ୍ଦିର ସମ୍ମୁଖରେ ବସି ଅନେକ ଭକ୍ତ ନିଜର ଦୁଃଖ ଏହି ପତିତପାବନ ବାନାକୁ ହିଁ ଜଣାଇଛନ୍ତି। ଯବନ ଭକତ ସାଲବେଗ ତ “ପତିତପାବନ ଅଷ୍ଟକ “ରଚନା କରିଛନ୍ତି। ଆଗକୁ ତାର ଆଲୋଚନା କରିବା ଏବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପରି ଆରାଧନା କରି ଗାଇବା ।
“ପତାକା ଅଞ୍ଚଳ ଚଞ୍ଚଳ ଡାକେ ପାପୀଙ୍କୁ ଅବା,
ଏ ନୀଳନଗ ନଗରକୁ ଆସ ଭଲ କରିବା ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.