Latest Odisha News

ଆଗାମୀ ୧୨ ଘଣ୍ଟା ପ୍ରବଳ ବର୍ଷିବ: ଶୁକ୍ରବାର ଏହି ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୨ ଘଣ୍ଟା ଧରି ଓଡ଼ିଶାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଏନେଇ ସତର୍କ ସୂଚନା ପ୍ରଦାନ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ଆଗୁଆ ପଦକ୍ଷେପ ନେବା ସହିତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏସମ୍ପର୍କୀତ ଏକ ଚିଠିରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଏବଂ ଦୁର୍ବିପାକ ପରିଚାଳନା ପ୍ରମୁଖ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଶାସନିକ ସ୍ତରରେ ସଚେତନ ରହିବା ସହିତ ଆସନ୍ନ ବନ୍ୟା ତଥା ଜଳବନ୍ଦୀ ଆଶଙ୍କା ରହିଥିବା ଯୋଗୁଁ ସେଥିପ୍ରତି ଧ୍ୟାନ ଦେବାକୁ ଉଲ୍ଲେଖ କରିଛନ୍ତି । ଯେଉଁସବୁ ଜିଲ୍ଲାରେ ଜଳବନ୍ଦୀ ହେବାର ଆଶଙ୍କା ରହିଛି ସେଠାରେ ଜନସାଧାରଣଙ୍କୁ ନିରାପଦ ସ୍ଥାନ ଏବଂ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରୀଣ କରିବାକୁ ଏହି ଚିଠିରେ ଅବଗତ କରାଯାଇଛି । ଏପରିକି ଏସଆରସି ବିଭିନ୍ନ ନିରାଶ୍ରୟ କେନ୍ଦ୍ର ଏବଂ ଆଶ୍ରୟସ୍ଥଳରେ ଆବଶ୍ୟକୀୟ ଖାଦ୍ୟ, ଶୁଦ୍ଧ ପାନୀୟ ଜଳ, ଆଲୋକ, ସ୍ୱାସ୍ଥ୍ୟ ତଥା ସ୍ୱଚ୍ଛତା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁକ୍ରବାର ଦିନ ଯେଉଁସବୁ ଜିଲ୍ଲାଗୁଡ଼ିକରେ ସମସ୍ତ ସ୍କୁଲ ବନ୍ଦ ରହିବ ସେହି ଜିଲ୍ଲାଗୁଡ଼ିକ ହେଲା – ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା । ଏନେଇ ଏସଆରସି ପକ୍ଷରୁ ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଶୁକ୍ରବାର ସମସ୍ତ ସ୍କୁଲ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.