ଭୁବନେଶ୍ଵର: ବର୍ତ୍ତମାନ ବଢିବାରେ ଲାଗିଛି ଗ୍ରୀଷ୍ମର ପ୍ରବାହ। ପ୍ରଚଣ୍ଡ ରୌଦ୍ର୍ୟତାପ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଦିନ ବେଳେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଓ ଆର୍ଦ୍ରତା ଯୋଗୁଁ ଶରୀରରେ ଜଳ ସ୍ତର କମି ଯାଇଥାଏ। ତେବେ ଏହିପରି ସମୟରେ ନିଜ ଶରୀରକୁ ହାଇଡ୍ରେଟେଡ଼ ରଖିବା ନିହାତି ଜରୁରୀ । ତେବେ ଏହି ସମୟରେ ଶରୀରର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଆବଶ୍ୟକ। ଏହାଛଡା ଆପଣ ଅନ୍ୟ ସ୍ୱାସ୍ଥ୍ୟ ଉପକାରୀ ଥଣ୍ଡା ପାନୀୟ ପିଇ ପାରିବେ ଯାହା ଶୋଷ ମେଣ୍ଟାଇବା ସହ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଏମିତି କିଛି ସ୍ୱାସ୍ଥ୍ୟ ଉପକାରୀ ଥଣ୍ଡା ପାନୀୟ ବିଷୟରେ…
ଆମ୍ବ ପଣା ଯେତିକି ସୁଆଦିଆ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ଯ । ପାଚିଲା ଆମ୍ବରେ ଜିରା, ପୁଦିନା ପତ୍ର ଆଦି ମିଶାଇ ଏହି ପାନୀୟ ପ୍ରସ୍ତୁତ କରାଯାଇଥାଏ। ଏହି ପାନୀୟ କେବଳ ଶରୀରକୁ ସତେଜ ରଖେ ତାହା ନହେଁ ବରଂ ଖରାଦିନେ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ଜଲଜିରା ପାଣି କରି ମଧ୍ୟ ଆପଣ ଖରାଦିନେ ପିଇପାରିବେ । ଗ୍ରୀଷ୍ମ ସମୟରେ ହଜମ ଜନିତ ସମସ୍ୟାରୁ ଏଡାଇବା ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଅଟେ। ଏହା ଶରୀରରେ ଜଳ ସ୍ତର ବଢାଇବା ସହ ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ। ବଟର ମିଲ୍କ ବା ଓଡି଼ଆରେ ଏହାକୁ ଘୋଳ ଦହି ବୋଲି କୁହାଯାଏ। ଏହି ପାନୀୟ ଖରା ଦିନେ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମୁଣ୍ଡଫଟା ଖରାରେ ଏହା ଶରୀରକୁ ସତେଜ ରଖିବା ସହ କାର୍ଯ୍ୟ କରିବା କ୍ଷମତା ବୃଦ୍ଧି କରିଥାଏ। ଏହାଛଡା ଏହା ଏକ ହଜମକାରୀ ପାନୀୟ ଭାବେ ମଧ୍ଯ ଜଣାଶୁଣା।
ସେହିପରି ପଇଡ଼ ପାଣି ଶରୀର ପାଇଁ ବେଶ ଲାଭଦାୟୀ ହୋଇଥାଏ । ପଇଡ଼ ପାଣି ପିଇବା ଦ୍ବାରା ବ୍ୟକ୍ତି ସତେଜ ଅନୁଭବ କରିଥାଏ। ଗ୍ରୀଷ୍ମକାଳୀନ ଥକ୍କାପଣ ଓ ଡିହାଇଡ୍ରେସନରୁ ମୁକ୍ତି ପାଇବା ପାଇଁ ଏହା ଏକ ଉତ୍ତମ ପାନୀୟ ଅଟେ। ଆଖୁ ରସକୁ ଅନେକ ପ୍ରକାର ରୋଗର ପ୍ରାକୃତିକ ଉପଚାର ଭାବେ ବ୍ୟବହାର କରାଯାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ପ୍ଲାଜ୍ମା ଓ ବଡି଼ ଫ୍ଲୁଇଡ ନିର୍ମାଣ କରିବାରେ ସାହାଯ୍ୟ କରିଥାଏ। ଶରୀରକୁ ସତେଜ ରଖିବା ସହ ଏହା ଡିହାଇଡ୍ରେସନରୁ ମଧ୍ୟ ରକ୍ଷା କରିଥାଏ।
Comments are closed.