Latest Odisha News

BREAKING NEWS

ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ୨୮ ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଭୋଟ ଦେଉଛି ଓଡ଼ିଶା । ୪ ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ମତଦାତା ଲେଖୁଛନ୍ତି ପ୍ରାର୍ଥୀଙ୍କ ଭାଗ୍ୟ। ମାଓ ପ୍ରବଣ ଇଲାକାରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟାରେ ସରିବ । ଅନ୍ୟ ସ୍ଥାନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ।

୪ ଲୋକସଭା ଆସନ ପାଇଁ ଲଢେଇରେ ଅଛନ୍ତି ୩୭ ଜଣ ପ୍ରାର୍ଥୀ। ୨୮ଟି ବିଧାନସଭା ଆସନରେ ୨୪୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା । ଏଥିପାଇଁ ମୋଟ ୭୩୦୩ଟି ମତଦାନ କେନ୍ଦ୍ର କରାଯାଇଛି । ଅନେକ ହେବିୱେଟ୍ ନେତାଙ୍କ ଭାଗ୍ୟ ସିଲ ହେବ। ପିସିସି ସଭାପତି ଶରତ ପଟ୍ଟନାୟକ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ, ରାଜପରିବାରର ରାଣୀ ମାଳବିକା ଦେବୀ, ସାଂସଦ ରମେଶ ମାଝୀ, ପ୍ରଦୀପ ମାଝୀ, ବଳଭଦ୍ର ମାଝୀଙ୍କର ବି ହେବ ଭାଗ୍ୟ ପରୀକ୍ଷା। କିଏ ହେବ ପାସ୍ କିଏ ଫେଲ୍ ତାହା ଜୁନ ୪ ରେ ଜଣାପଡ଼ିବ।

ଆଜି ନୂଆପଡା, ଖଡିଆଳ, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଟ, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି ବିଧାନସଭା ଆସନରେ ମତଦାନ ହେଉଛି ।

Comments are closed.