Latest Odisha News

BREAKING NEWS

ରାତି ପାହିଲେ ପଞ୍ଚମ ପର୍ଯ୍ୟାୟ ମତଦାନ, ଭୋଟ ଦେବେ ୮.୯୫ କୋଟି ଲୋକ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ଆସନରେ ହେବ ଭୋଟିଂ । ବିହାରର ୫, ଝାଡ଼ଖଣ୍ଡର ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମଧ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପଞ୍ଚମପର୍ଯ୍ୟାୟରେ ଭୋଟ ଦେବେ ୮.୯୫ ଭୋଟର । ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏମାନଙ୍କ ମଧ୍ୟରେ ୧୨% ମହିଳା ଅଛନ୍ତି । ଏହି ପର୍ଯ୍ୟାୟରେ ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ୱଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ମୃତି ଇରାନୀଙ୍କ ପରି ହେବିୱେଟ୍ ନେତାଙ୍କର ଭାଗ୍ୟ ପରୀକ୍ଷା ହେବ ।

ସେହିପରି ରାଜ୍ୟରେ ଅନୁଷ୍ଠିତ ହେବ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ୫ ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନରେ ପଡ଼ିବ ଭୋଟ୍। ମଇଦାନରେ ଅଛନ୍ତି ମୋଟ୍ ୩୦୫ ଜଣ ପ୍ରାର୍ଥୀ। ଭୋଟିଂ ପାଇଁ ଶେଷ ହୋଇଛି ସବୁ ପ୍ରସ୍ତୁତି। ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ଇଭିଏମ୍, ଭିଭିପାଟ୍ ସହ ଅନ୍ୟ ଆବଶ୍ୟକ ସାମଗ୍ରୀ ଧରି ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି। ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଏବଂ ଆସ୍କା ଲୋକସଭା କ୍ଷେତ୍ର ସହ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା କ୍ଷେତ୍ରରେ ହେବ ଭୋଟ୍ ଗ୍ରହଣ।

ଏହି ପର୍ଯ୍ୟାରେ ଓଡ଼ିଶାର ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଓଡ଼ିଶାରେ ୯,୧୪୮ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୧,୦୯୦ଟି ସହରାଞ୍ଚଳରେ ଓ ୮,୦୮୫ଟି ଗ୍ରାମାଞ୍ଚଳରେ ରହିଛି। ସେହିପରି ୧,୫୪୧ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ଏହାସହ ୧,୦୪୧ଟି ବୁଥକୁ ସମ୍ପୂର୍ଣ୍ଣ ଭାବେ ମହିଳା ଏବଂ ୨୫ଟି ବୁଥକୁ ଭିନ୍ନକ୍ଷମ କର୍ମଚାରୀମାନେ ପରିଚାଳନା କରିବେ। ଏହି ପର୍ଯ୍ୟାୟରେ ପ୍ରାୟ ୬୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ୧୦୨ କମ୍ପାନି ସିଏପିଏଫ୍ ଫୋର୍ସ ନିୟୋଜିତ ହେବେ। ସେଥିରୁ କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗିର ଓ ବରଗଡ଼ରେ ୧୪, ଝାରସୁଗୁଡ଼ା ଓ ବୌଦ୍ଧରେ ୫, ସୋନପୁରରେ ୪ ଏବଂ ନୟାଗଡ଼ରେ ୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।

 

Comments are closed.