Latest Odisha News

BREAKING NEWS

ବିଜେଡି ବିରୋଧରେ ଆହୁରି ଆକ୍ରମଣାତ୍ମକ ହେଲେ ମୋଦୀ, ଦେଲେ କି ଟୁରିଷ୍ଟ ମନ୍ତବ୍ୟର ଜବାବ?

ଭୁବନେଶ୍ୱର: ପୂର୍ବରୁ ଓଡ଼ିଶାରେ ଅନେକ ନିର୍ବାଚନ ରାଲି ଏବଂ ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ସମୟରେ ରାଜ୍ୟର ଶାସକ ଦଳ ବିଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି। କିନ୍ତୁ ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଚ୍ ପଡ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ତାହା ପୂର୍ବରୁ କେବେ ଏପରି କରିନଥିଲେ।

କଟକ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ଯର ବିଜେଡି ସରକାର ଦୀର୍ଘ ୨୫ ବର୍ଷରେ କେବଳ ମାଫିଆଙ୍କୁ ତିଆରି କରିଛି। ବାଲି ମାଫିଆ, ଜମି ମାଫିଆ ଆଦିଙ୍କୁ ସାମ୍ନାକୁ ଆଣିଛି। ରାଜ୍ୟରେ ଜଣେ ମାଫିଆ ଅଛି ଯିଏକେ ସବୁ ସେକ୍ଟର ଉପରେ କବଜା କରିଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଲେ ସେ ମାଫିଆର ଅଣ୍ଟା ଭାଙ୍ଗିଦେବ।

ରାଜ୍ୟରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମଧ୍ୟ ମୋଦୀ ବର୍ଷିଛନ୍ତି। ତାମିଲନା଼ଡୁରେ ରତ୍ନଭଣ୍ଡାର ଚାବି ଅଛି ବୋଲି କହି ସେ କଟାକ୍ଷ କରିଛନ୍ତି। ତେବେ କିଏ ସେହି ବ୍ୟକ୍ତି ଯିଏ ତାମିଲନାଡୁକୁ ଚାବି ନେଇଛି ସରକାର ଗଠନ କଲେ ରିପୋର୍ଟ ସାର୍ବଜନୀନ ହେବ ବୋଲି ମୋଦୀ କହିଛନ୍ତି। ଜୁନ ୧୦ରେ ବିଜେପି ସରକାର ଗଢ଼ିବ ଏଥିପାଇଁ ମୋଦୀ ଲୋକଙ୍କ ଶପଥ ସମାରୋହକୁ ଆସିବାକୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି।

କେନ୍ଦ୍ରୀୟ ଯୋଜନାକୁ କିଭଳି ରାଜ୍ୟ ସରକାର ହଡପ କରୁଛନ୍ତି ଏବଂ ଡିଏମଏଫ ଫଣ୍ଡରେ କେନ୍ଦ୍ର ସରକାର ହାତ ଖୋଲି ଅନୁଦାନ ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ ଢଙ୍ଗରେ ବ୍ୟବହାର କରୁନଥିବା କହି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହାକୁ ନେଇ ବିଜେଡିର ପ୍ରତିକ୍ରିୟା ହସ୍ତଗତ ହୋଇପାରି ନାହିଁ।

ବଡ଼କଥା ହେଉଛି ମୋଦୀ ଅନେକ ସମୟରେ ବିଜେଡି ସରକାରର ଶୀର୍ଷ ନେତାଙ୍କ ଉପରେ ସେଭଳି କୈଣସି ଆକ୍ରମଣାତ୍ମକ ଶବ୍ଦ ନିଜ ଅଭିଭାଷଣରେ ବ୍ଯବହାର କରନ୍ତି ନାହିଁ। କିନ୍ତୁ ଯେଉଁଭଳି ଶବ୍ଦ କଟକ ଏବଂ ଅନୁଗୁଳ ସଭାରେ ଆଜି କହିଛନ୍ତି ସେଥିରୁ ଅନୁମେୟ ଯେ ବିଜେପି ବାକି ଦୁଇଟି ପର୍ଯ୍ଯାୟ ବେଳକୁ ମଧ୍ୟ ଆହୁରି ଜୋରଦାର ହମଲା କରିବାକୁ ପଛାଇବ ନାହିଁ।

ନିକଟରେ ବିଜେଡିର ଶୀର୍ଷ ନେତା ଭି.କେ ପାଣ୍ଡିଆନ୍ ବିଜେପିର ଅନେକ ମୁଖ୍ଯମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତାଙ୍କ ଗସ୍ତକୁ ଟୁରିଷ୍ଟ ବୋଲି କହି କଟାକ୍ଷ କରିଥିଲେ। ଯାହାକୁ ନେଇ ବିଜେପି ଆପତ୍ତି ଉଠାଇଛି। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପାଇଁ ଏଭଳି ଶବ୍ଦ ବ୍ୟବହାର ନକରିବାକୁ ତାଗିଦ ମଧ୍ୟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Comments are closed.