Latest Odisha News

‘ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି କର୍ମୀ’

ଭୁବନେଶ୍ବର: ଓଡ଼ିଶାର ନିର୍ବାଚନୀ ହିଂସା ପଶ୍ଚିମବଙ୍ଗଠୁ ବଳି ଗଲାଣି କହିଲେ ବିଜେପି ନେତା ସମୀର ମହାନ୍ତି । ଆଜି ବରଗଡରେ ଜଣେ ଅଟୋ ଚାଳକ ତଥା ବିଜେପି କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଛି କହିଲେ ସମୀର । ଘାଇଲା ବାଘ ଭଳି ମଣିଷ ଖାଇବାକୁ ଟିକେ ବି ପଛାଉ ନାହାନ୍ତି ବିଜେଡି କର୍ମୀ ବୋଲି କହିଛନ୍ତି ସମୀର ମହାନ୍ତି । ଭଞ୍ଜନଗର, କଣ୍ଟାମାଳ, ବିଜେପୁର, ପାଟଣାଗଡ଼ରେ ବିଜେଡି ଟଙ୍କା ବାଣ୍ଟିଛି ବୋଲି ସେ କହିଛନ୍ତି । ବିଶ୍ୱନାଥ ମିର୍ଦ୍ଧାଙ୍କ ମୃର୍ତ୍ୟୁ କୁ ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଏହାକୁ ଏଡ଼ାଇ ଦେଉଛନ୍ତି ।କିଛି ଅଫିସର ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି ।

ସେପଟେ ଆଜି ବରଗଡରେ  ଜଣେ ଅଟୋ ଚାଳକ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ଭୋଟରମାନଙ୍କୁ ନେଇ ପୋଲିଂ ବୁଥ୍ ଯାଉଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଅଟୋ ଚାଳକ ଜଣଙ୍କ ଉକ୍ତ ଗାଁର ୩୫ ବର୍ଷୀୟ ବିଶ୍ବନାଥ ମିର୍ଦ୍ଧା । ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ହାଣି ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପକାଇଦେଇଥିଲା । ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବରଗଡ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଛନ୍ତି ତାହା ଜଣା ପଡିନଥିବା ବେଳେ ଏହା ଏକ ନିର୍ବାଚନୀ ହିଂସା ବୋଲି ସାଧାରଣରେ ସନ୍ଦେହ କରାଯାଉଥିଲା । ତେବେ ଖବର ପାଇ ଘଟଣାସ୍ଥଳରେ ବରଗଡ ଏସ୍ପି ଓ ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ତେବେ ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟ ନିର୍ବାଚନୀ ଅଧିକାରୀ ନିକୁଞ୍ଜ ଧଳ । ସେ ଏହା ସ୍ଫଷ୍ଟ କରିଛନ୍ତି ଯେ ଏହା ଏକ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ଏଭଳି ହତ୍ୟାକାଣ୍ଡ ଘଟିଛି ।ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।

 

Comments are closed.