ଭୁବନେଶ୍ବର: ସମ୍ବଲପୁର ମହାସମର ଉପରେ ସାରା ଓଡିଶାର ଆଖି । ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ହେଉଛି ପତିଆରାର ଲଢେଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି ତ ବିଜେଡିରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ ଦାସ। ଉଭୟଙ୍କ ମଧ୍ୟରେ ଟକ୍କରକୁ ନେଇ ତାତି ବଢିଥିବା ବେଳେ ସରପ୍ରାଇଜ କ୍ୟାଣ୍ଡିଡେଟ୍ ଭାବେ ଏଣ୍ଟ୍ରି କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ । ତେଣୁ କାହାକୁ ବାଛିବ ସମ୍ବଲପୁର? କାହା ସପକ୍ଷରେ ବଢୁଛି ହାଓ୍ବା?
ଧର୍ମେନ୍ଦ୍ର Vs ପ୍ରଣବ
ସମ୍ବଲପୁର ଲୋକସଭାରେ ହାଇଭୋଲଟେଜ୍ ଲଢେଇ। ୨୦୦୯ରେ ହାରିବା ପରେ ପ୍ରଥମ ଥର ପ୍ରତ୍ୟକ୍ଷ ନିର୍ବାଚନ ଲଢୁଛନ୍ତି ଧର୍ମେନ୍ଦ୍ର। କେନ୍ଦ୍ରମନ୍ତ୍ରୀ ହେବା ପରେ ମଧ୍ୟ ଏହା ତାଙ୍କର ପ୍ରଥମ ଅଗ୍ନିପରୀକ୍ଷା। ସମ୍ବଲପୁରରେ ବିଜେପିର ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ଲୋକସଭା ଜିତିବାକୁ ଗତ କିଛି ମାସ ହେଲା ଜାନ୍ ଲଗାଇଛନ୍ତି ଧର୍ମେନ୍ଦ୍ର । ସେପଟେ ଧର୍ମେନ୍ଦ୍ରଙ୍କୁ ବିଜେଡି ଦେଇଛି ପ୍ରଣବ ଚ୍ୟାଲେଞ୍ଜ । ସଂଗଠନ ଓ ନିର୍ବାଚନ ପରିଚାଳନାରେ ଅନେକ ଥର ଦକ୍ଷତା ଦେଖାଇ ସାରିଛନ୍ତି ବବି । ତେଣୁ ଏଥର ଟକ୍କର ଜୋରଦାର । ସମ୍ବଲପୁର ଫଳ ହିଁ ଉଭୟ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ ।
ନଗେନ୍ଦ୍ରଙ୍କ ଏଣ୍ଟ୍ରି କାହାର ଲାଭ?
ସମ୍ବଲପୁରରେ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଦଳରେ ମିଶିବା ପରେ ପ୍ରାର୍ଥୀ ବଦଳାଇ ତାଙ୍କୁ ମଇଦାନକୁ ଓହ୍ଲାଇଛି। ଏହାପରେ ସମ୍ବଲପୁର ଗଣିତ ଏପଟ ସେପଟ ହୋଇଯାଇଛି । ୨୦୧୪ରେ ବିଜେଡିରୁ ସମ୍ବଲପୁର ଲୋକସଭା ଜିତିଥିଲେ ନଗେନ୍ଦ୍ର । ନଗେନ୍ଦ୍ର ତିନିଥର ବିଧାୟକ ରହିବା ସହ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ବିଜେଡିରୁ ସାଂସଦ ଥିବା ନଗେନ୍ଦ୍ର ଏବେ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ବିଜେଡି ଭୋଟ୍ ବିଭାଜନ କରିପାରନ୍ତି । ସେପଟେ କଂଗ୍ରେସରୁ ନିରାଶ ହେବାପରେ ଦୁଲାଲ ପ୍ରଧାନ ବିଜେପିରେ ସାମିଲ ହୋଇଛନ୍ତି । ତେଣୁ ଉଭୟ ସ୍ଥିତିରେ ଲାଭରେ ରହିପାରେ ବିଜେପି ।
ସମ୍ବଲପୁରରେ ପଶ୍ଚିମ-ପୂର୍ବ ଫ୍ୟାକ୍ଟର !
ସମ୍ବଲପୁର ଲୋକସଭା ଲଢେଇରେ ଉପକୂଳ ଓ ପଶ୍ଚିମ ଫ୍ୟାକ୍ଟର ବି ପ୍ରଭାବ ପକାଇପାରେ । ଧର୍ମେନ୍ଦ୍ର ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦେବଗଡର ସାଂସଦ ରହିଥିଲେ। ତେଣୁ ତାଙ୍କୁ ସମ୍ବଲପୁରବାସୀ ପଶ୍ଚିମ ଓଡିଶାର ବୋଲି ମନେ କରୁଛନ୍ତି । ତେବେ ପ୍ରଣବ ପ୍ରକାଶ ଦାସଙ୍କର ଉପକୂଳ କନେକ୍ସନ ସମ୍ବଲପୁର ଯୁଦ୍ଧରେ ମହଙ୍ଗା ପଡିପାରେ । ପଶ୍ଚିମ ଓଡିଶାର ଭୋଟର ଉପକୂଳ ଓଡିଶାର ପ୍ରାର୍ଥୀଙ୍କୁ କିଭଳି ଗ୍ରହଣ କରୁଛନ୍ତି, ତାଉପରେ ବି ନଜର ରହିବ ।
ବିଜେଡିକୁ ଚିନ୍ତା ସମ୍ବଲପୁର, ଦେବଗଡ଼ !
ସମ୍ବଲପୁର ବିଧାନସଭା ପାଇଁ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟ ଓ ପରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ପ୍ରାର୍ଥୀ ହେବା ବେଳଠୁ ହିଁ ରୋହିତଙ୍କୁ ନେଇ ସମ୍ବଲପୁର ବିଜେଡିରେ ଅସନ୍ତୋଷ ରହିଛି । ସେହିପରି ଦେବଗଡରେ ପ୍ରଥମେ ରାଣୀ ଅରୁନ୍ଧତୀ ଦେବୀ ଓ ପରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଉଭୟ ଜାଗାରେ ଟିକେଟକୁ ନେଇ ଦଳର ଗୋଟିଏ ଗୋଷ୍ଠୀଙ୍କର ଅସନ୍ତୋଷ ରହିଛି । ବିଜେପି ସଂଗଠନ ଉଭୟ ସମ୍ବଲପୁର ଓ ଦେବଗଡରେ ସୁଦୃଢ ରହିଛି । ସମ୍ବଲପୁରରେ ଜୟନାରାୟଣ ମିଶ୍ର ତ ଦେବଗଡରେ ସୁବାସ ପାଣିଗ୍ରାହୀ ବିଧାୟକ ରହିଛନ୍ତି । ସେହିପରି ରେଢାଖୋଲରେ ମଧ୍ୟ ରୋହିତ ପୂଜାରୀଙ୍କ ସମର୍ଥକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସହଯୋଗ କରିନପାରନ୍ତି ।
ହାରିଲେ କାହାର କେତେ କ୍ଷତି?
ସମ୍ବଲପୁର ଲୋକସଭା ଲଢେଇରେ ହାରିଲେ ଅଧିକ କ୍ଷତି ସହିବେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସହ କେନ୍ଦ୍ରରେ ବି ତାଙ୍କର ପତିଆରା କମିବ । ପୁଣି ରାଜ୍ୟସଭା ବାଟରେ ଯାଇ ମନ୍ତ୍ରୀ ହେବା କଷ୍ଟକର ହେବ । ରାଜ୍ୟରେ ମଧ୍ୟ ଧର୍ମେନ୍ଦ୍ରଙ୍କ ପ୍ରଭାବ ଓ ପତିଆରା କମିଯିବ। ତେବେ ପ୍ରଣବ ହାରିଲେ କୋରେଇରୁ ବିଧାନସଭା ଯାଇପାରନ୍ତି । କୋରେଇରୁ ପ୍ରଣବଙ୍କ ମାଆ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । କୁହାଯାଉଛି, ମାଆଙ୍କୁ ପ୍ରାର୍ଥୀ କରି ବିଧାନସଭାକୁ ବ୍ୟାକଡୋର୍ ଏଣ୍ଚ୍ରି ପ୍ଲାନ୍ କରିଛନ୍ତି ବବି ।
ସମ୍ବଲପୁରର କୁଚିଣ୍ଡା, ରେଙ୍ଗାଳୀ, ସମ୍ବଲପୁର, ରେଢାଖୋଲ, ଦେବଗଡ ଜିଲ୍ଲାର ଦେବଗଡ ଏବଂ ଅନୁଗୁଳର ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା ଆସନକୁ ନେଇ ରହିଛି ସମ୍ବଲପୁର ଲୋକସଭା ଆସନ । ମୋଟ୍ ୭ଟି ଆସନରୁ ବିଜେଡି ୪ଟି ଦଖଲ କରିଥିବା ବେଳେ ବିଜେପି କବଜାରେ ରହିଛି ୩ଟି ସିଟ୍ ।
Comments are closed.