Latest Odisha News

କାହିଁକି ଗୋଟିଏ ବି ଲୋକସଭା ସିଟ୍ ଜିତିପାରିଲାନି ବିଜେଡି ?

ଭୁବନେଶ୍ବର: ରାଜ୍ୟରେ ଲୋକସଭା ନିର୍ବାଚନରେ ଗୋଟିଏ ବି ସିଟ୍ ଜିତିପାରିଲାନି ବିଜେଡି । ପଶ୍ଚିମ, ଦକ୍ଷିଣ ବିଜେପି ହାତେଇଲା ତ ବିଜେଡିର ଉପକୂଳ ଗଡ଼ ବି ଭାଙ୍ଗିଲା। ସିୟୋର ସଟ୍ ଆସନରେ ବି କେମିତି ମାତ୍ ଦେଇଦେଲା ବିଜେପି? ଗତଥର ଅପେକ୍ଷା ଏଥର ବିଜେପି ଲୋକସଭା ସିଟରେ ଭଲ ପ୍ରଦର୍ଶନ କରିବ ବୋଲି ସମୀକ୍ଷକ କହୁଥିଲେ। ହେଲେ ବିଜେଡିର ସ୍କୋର ଯେ ଶୂନ ହେଇଯିବ, ସେ ଆକଳନ କେହି ବି କରିନଥିଲେ। ନିଜେ ବିଜେଡି ବି ଉପକୂଳ ଓଡିଶାର ଲୋକସଭା ସିଟକୁ ନେଇ କନଫିଡେଣ୍ଟ ଥିଲା। ତେବେ କେମିତି ଶୂନରେ ଅଲ୍ ଆଉଟ୍ ହେଇଗଲା ଟିମ୍ ବିଜେଡି? ଲୋକସଭାରେ ନୈରାଶ୍ୟଜନକ ପ୍ରଦର୍ଶନ ପଛରେ କାରଣ କଣ?

ପ୍ରାର୍ଥୀ ଚୟନରେ ଗଡ଼ବଡ଼ !

ବିଜେଡିର ଲୋକସଭା ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲେ ରାଜନୈତିକ ସମୀକ୍ଷକ। ଅନ୍ୟ ଦଳରୁ ଆଣି କିଛି ନେତାଙ୍କୁ ବିଜେଡି ଟିକେଟ୍ ଦେଇଥିଲା ତ ଅନେକ ଜାଗାରେ ଦୁର୍ବଳ ପ୍ରାର୍ଥୀ ଚୟନକୁ ନେଇ ବି ପ୍ରଶ୍ନ ଉଠିଥିଲା । ମୋଟ୍ ୨୧ଟି ଆସନ ମଧ୍ୟରୁ ୮ଟିରେ ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ରାଜନୀତିରେ ଏକଦମ୍ ନୂଆ କିଛି ଚେହେରାଙ୍କୁ ବି ମଇଦାନକୁ ଓହ୍ଲାଇଥିଲା ବିଜେଡି । ମନ୍ମଥ ରାଉତରାୟ, ପରିଣୀତା ମିଶ୍ର, ଅବିନାଶ ସାମଲ, ସନ୍ତୃପ୍ତ ମିଶ୍ରଙ୍କୁ ଟିକେଟ୍ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଜେଡି ଓ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରୁଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବାଲେଶ୍ବରରୁ ପ୍ରାର୍ଥୀ କରି ବଡ ସରପ୍ରାଇଜ ଦେଇଥିଲା ଦଳ। ବାଲେଶ୍ବର ହେଉ କି ଭୁବନେଶ୍ବର, ବିଜେଡିରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିଲେ ବି ଆମଦାନୀ ନେତାଙ୍କ ଉପରେ ଭରସା କରିଥିଲା ଦଳ ।

ପ୍ରାର୍ଥୀଙ୍କୁ ମିଳିଲାନି ଫଣ୍ଡ !

ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ଆବଶ୍ୟକ ଦଳୀୟ ଫଣ୍ଡ ମିଳିନଥିବା ବି ଅଭିଯୋଗ ହେଉଛି। ଏହା ପଛରେ ଦୁଇଟି କାରଣ ରହିପାରେ। ପ୍ରଥମ ପ୍ରାର୍ଥୀଙ୍କ ବିଜୟକୁ ନେଇ ବିଜେଡି ଅତ୍ୟଧିକ କନଫିଡେଣ୍ଟ ଥିବାରୁ ଦଳୀୟ ଫଣ୍ଡ ଖର୍ଚ୍ଚ କରିବାକୁ ଚାହିଁଲାନି । କିମ୍ବା ଦ୍ବିତୀୟରେ ଲୋକସଭା ସିଟକୁ ଫୋକସ୍ ହିଁ କରିନଥିଲା ଦଳ । ବିଜେପି ୪ଶହ ପାରର ନାରା ଦେଇଥିବା ବେଳେ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ହେଭିଓ୍ବେଟ୍ ନେତା ଡେରା ପକାଇଥିଲେ । ବିଜେପି ଓଡିଶାର ୨୧ ଲୋକସଭା ସିଟକୁ ଫୋକସ୍ କରୁଥିବା ବହୁ ପୂର୍ବରୁ ଜଣାପଡିଥିଲା। ୨୦୧୯ରେ ବି ବିଜେପି ଭଲ ପ୍ରଦର୍ଶନ କରିଥିଲା। ତେଣୁ ବିଜେଡି ସିଟ୍ ଜିତିବା ନେଇ କନଫିଡେଣ୍ଟ ହେବାର କାରଣ ନାହିଁ। ଆଉ ଯଦି ବିଜେଡି ଲୋକସଭା ସିଟକୁ ଫୋକସ୍ କରିନଥିଲା, ତେବେ ତାପଛରେ କାରଣ କଣ?

ସମନ୍ବୟ ଅଭାବରୁ ହରାଇଲେ ସିଟ୍ !

ବିଜେଡି ଆମଦାନୀ ନେତାଙ୍କୁ ଭରସା କରି ଟିକେଟ୍ ଦେଲା, ହେଲେ ସେମାନଙ୍କୁ ଗ୍ରହଣ କରିପାରିଲେନି କି ବିଜେଡିର କର୍ମୀ ଓ ନେତା? ବର୍ଷ ବର୍ଷ ଧରି ଯେଉଁ ନେତାଙ୍କୁ ବିରୋଧୀ ଭୂମିକାରେ ଦେଖିଥିଲେ ସେମାନଙ୍କୁ ନିଜ ଦଳର ପ୍ରାର୍ଥୀ ଭାବେ ଅନେକ ସ୍ଥାନରେ ଗ୍ରହଣ କରିପାରିନାହାନ୍ତି କର୍ମୀ। ଯାହା ଫଳରେ ବିଭିନ୍ନ ସ୍ଥାନରେ ବିଜେଡି ସଂଗଠନର ଫାଇଦା ପ୍ରାର୍ଥୀଙ୍କୁ ମିଳିପାରିଲାନି। ବିଧାନସଭା ପ୍ରାର୍ଥୀଙ୍କ ଭୋଟ୍ ବି ବିଭିନ୍ନ ସ୍ଥାନରେ ଦଳର ଲୋକସଭା ପ୍ରାର୍ଥୀଙ୍କ ଖାତାକୁ ଗଲାନି। ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ବି ସମନ୍ବୟ ରହିଲାନି । ଏହା ପଛରେ ଦଳ ଭିତର ଅନ୍ତକନ୍ଦଳକୁ ବି କାରଣ କୁହାଯାଉଛି। ପ୍ରଚାର ମଇଦାନରେ ଗୋଟିଏ ଟିମ୍ ଭାବେ ବିଜେଡି ନେତାଙ୍କ ପରିଶ୍ରମ ଦିଶିଲାନି। ଏପରିକି ଦଳ ନେତୃତ୍ବ ସହ ବି ଲୋକସଭା ପ୍ରାର୍ଥୀଙ୍କ ସମନ୍ବୟ ରହିପାରିନଥିବା ଅଭିଯୋଗ ହେଉଛି । ଫଳରେ ଅନେକ ଜାଗାରେ ସ୍ପ୍ଲିଟ୍ ଭୋଟିଂ ବି ହେଲା । ବିଜେଡି ୫୧ଟି ବିଧାନସଭା ସିଟ୍ ଜିତିଥିଲେ ବି ଗୋଟିଏ ବି ଲୋକସଭା ଆସନ ଜିତି ପାରିଲାନି ।

ଭୋଟ୍ ମାଇନସ୍ କଲେ ପାଣ୍ଡିଆନ !

ନିର୍ବାଚନରେ ନବୀନଙ୍କୁ କମ୍ ଭିକେ ପାଣ୍ଡିଆନଙ୍କୁ ଅଧିକ ଟାର୍ଗେଟ୍ କରୁଥିଲା ବିଜେପି । ଓଡିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା । ହେଲେ ଏହାକୁ କାଉଣ୍ଟର କରିବାରେ ବିଫଳ ହେଲା ବିଜେଡି । ଯେଉଁ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବିଜେପି ନିର୍ବାଚନରେ ମାଇଲେଜ୍ ନେଲା ସେହି ପାଣ୍ଡିଆନଙ୍କୁ ପ୍ରଚାରର କେନ୍ଦ୍ରରେ ରଖି ବିଜେଡି ଭୋଟ୍ ମାଇନସ୍ ହେଇଥିବା କୁହାଯାଉଛି । ବାରମ୍ବାର ପାଣ୍ଡିଆନଙ୍କୁ ବିଜେପି ଟାର୍ଗେଟ୍ କରୁଥିବା ବେଳେ ତାଙ୍କୁ ସବୁ ସଭାରେ ଷ୍ଟାର ପ୍ରଚାରକ ଭାବେ ଦେଖିବାକୁ ମିଳିଲା । ଯାହା ବିଜେଡି ପାଇଁ ବୁମେରାଂ ହୋଇଥିବା କୁହାଯାଉଛି ।

ମହଙ୍ଗା ପଡିଲା ଡବଲ୍ ଷ୍ଟାଣ୍ଡାର୍ଡ !

ଗତ ୫ବର୍ଷ ଧରି ରାଜ୍ୟ ବିଜେପିକୁ ବିଜେଡି ନେତା ଟାର୍ଗେଟ୍ କରୁଥିଲେ ବି କେନ୍ଦ୍ରରେ ମୋଦି ସରକାରକୁ ସବୁ ପ୍ରସଙ୍ଗରେ ଅକୁଣ୍ଠ ସମର୍ଥନ ଦେଉଥିଲେ। ତେଣୁ ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ବି ସେମାନେ ବିଜେପି ସରକାର ସହ ଯେ ସ୍ବର ମିଳାଇବେ ସେନେଇ ବି ଏକ ନାରେଟିଭ୍ ଲୋକଙ୍କ ମନରେ ରହିଥିଲା। ତେଣୁ ବିଜେପି ସରକାରକୁ ସବୁ କଥାରେ ସମର୍ଥନ କରୁଥିବା ବିଜେଡିକୁ ଭୋଟ୍ ନଦେଇ ସିଧାସଳଖ ବିଜେପି ପ୍ରାର୍ଥୀଙ୍କୁ ଲୋକସଭା ପଠାଇବାକୁ ମନସ୍ଥ କରିଥିଲେ ଜନତା । ଲୋକସଭାରେ ନିଜର ଷ୍ଟାଣ୍ଡ ନରଖିବା ବି ବିଜେଡି ପାଇଁ ମହଙ୍ଗା ପଡିଥିବା କୁହାଯାଉଛି ।

Comments are closed.