Latest Odisha News

ବାଚସ୍ପତି ଭାବେ ନିରପେକ୍ଷ ରହିବେ ତ ସୁରମା ପାଢୀ !

ଭୁବନେଶ୍ବର: ବିଧାନସଭାର ନୂଆ ବାଚସ୍ପତି ହୋଇଛନ୍ତି ସୁରମା ପାଢୀ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଭରିଥିଲେ ସୁରମା । କେହି ପ୍ରତିଦ୍ବନ୍ଦ୍ବୀ ନଥିବାରୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  । ସୁରମାଙ୍କୁ ବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ଗୃହର ସବୁ ସଦସ୍ୟ ସମର୍ଥନ କରିଥିଲେ। ବାଚସ୍ପତି ଦାୟିତ୍ବ ନେବା ପରେ ଗୃହର ପଦ ମର୍ଯ୍ୟାଦା ଓ ଗରିମା ରକ୍ଷା କରିବେ । ଗୃହରେ ନିରପେକ୍ଷ ରହିବେ ବୋଲି ସୁରମା କହିଛନ୍ତି । ତେବେ ବାସ୍ତବିକ ସେ କେତେ ନିରପେକ୍ଷ ରହିବେ, ତାକୁ ନେଇ ପ୍ରଶ୍ନ ଉଠୁଛି।

ବିଧାନସଭାରେ ରହିଛି ଅଭିଜ୍ଞତା

୨୦୦୪ ମସିହାରେ ରଣପୁରରୁ ଜିତି ବିଧାୟିକା ହୋଇଥିଲେ ସୁରମା ପାଢୀ। ତେଣୁ ବିଧାନସଭା କାର୍ଯ୍ୟ ତାଙ୍କ ପାଇଁ ନୂଆ ନୁହେଁ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ରହିଥିଲେ ସୁରମା । ଲମ୍ବା ରାଜନୈତିକ କ୍ୟାରିୟରରେ ଅନେକ ଅଭିଜ୍ଞତା ସାଉଁଟିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ବିଜେପି ସରକାର ଗୁରୁତ୍ବପୂର୍ଣ୍ଣ ବାଚସ୍ପତି ପଦରେ ସୁରମା ପାଢୀଙ୍କୁ ବସାଇଛି। ବିଜେଡି ପଞ୍ଚମ ପାଳି ସରକାରରେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି ହୋଇଥିଲେ । ପ୍ରମିଳାଙ୍କ ପରେ ସୁରମା ସମ୍ଭାଳିବେ ବିଧାନସଭା ବାଚସ୍ପତି ଦାୟିତ୍ବ । ତେବେ ବାଚସ୍ପତି ପଦ ଏକ ନିରପେକ୍ଷ ସାମ୍ବିଧାନିକ ପଦ ହୋଇଥିବା ବେଳେ ସୁରମାଙ୍କ କାର୍ଯ୍ୟଧାରା ଉପରେ ନଜର ରହିବ ।

ଶକ୍ତିଶାଳୀ ବିରୋଧୀ ବଡ଼ ଚ୍ୟାଲେଞ୍ଜ

ବିଜେଡି ସରକାରରେ ଶାସକ ଦଳର ବିଧାୟକ ସଂଖ୍ୟା ବେଶ୍ ଅଧିକ ରହିଥିବା ବେଳେ କମ୍ ସଂଖ୍ୟକ ବିରୋଧୀ ବିଧାୟକଙ୍କ ସ୍ବର ଏକପ୍ରକାର ଦବି ଯାଉଥିଲା। ହେଲେ ଏଥର ବିଜେପି ସରକାରଙ୍କୁ ଗୃହରେ ୬୬ଜଣ ବିରୋଧୀ ବିଧାୟକଙ୍କ ସାମନା କରିବାକୁ ପଡିବ । ବିଜେଡିର ୫୧, କଂଗ୍ରେସର ୧୪ ଓ ଜଣେ ସିପିଏମ୍ ବିଧାୟକ ମିଶି ସରକାରଙ୍କୁ କାଠଗଡାକୁ ଟାଣିବେ । ଏଭଳି ସ୍ଥିତିରେ ବାଚସ୍ପତିଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। ଅନେକ ସମୟରେ ଓଡିଶା ବିଧାନସଭାରେ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଯେବେକି ଦେଶରେ ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠି ବାଚସ୍ପତି ପଦରେ ନିରପେକ୍ଷ ହେବାକୁ ଯାଇ ଦଳ ମୋହ ତୁଟାଇଛନ୍ତି ନେତା । ଲୋକସଭା ବାଚସ୍ପତି ଭାବେ ବରିଷ୍ଠ ସିପିଏମ୍ ନେତା ସୋମନାଥ ଚାଟାର୍ଜୀଙ୍କ ନିରପେକ୍ଷତା ତାଙ୍କ ଦଳକୁ କ୍ଷୁବ୍ଧ କରିଥିଲା। ସୋମନାଥଙ୍କୁ ସସପେଣ୍ଡ କରିଥିଲା ଦଳ । ଏଥିରୁ ସ୍ପଷ୍ଟ ହେଉଛି ବାଚସ୍ପତି ପଦ କେତେ ନିରପେକ୍ଷ ହେବା ଉଚିତ୍ । ବିଜେଡି ସରକାରରେ ବାଚସ୍ପତି ବିରୋଧୀଙ୍କ କଣ୍ଠରୋଧ କରୁଥିବା ଅଭିଯୋଗ ବି ହୋଇଥିଲା । ସେତେବେଳେ ବିରୋଧୀ ସିଟରେ ଥିବା ବିଜେପି ଏବେ ଶାସକ । ତେଣୁ ଲୋକଙ୍କ ବିଶ୍ବାସ ଜିତିବାକୁ ହେଲେ ଗୃହ ପରିଚାଳନାରେ ସୁରମାଙ୍କୁ ନିରପେକ୍ଷତା ଦେଖାଇବାକୁ ପଡିବ ।

ମୁଲତବି ନୁହେଁ ଚର୍ଚ୍ଚା ହେଉ

ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ବିଧାନସଭାରେ ବିରୋଧୀଙ୍କ ସ୍ବର ହିଁ ମୂଲ୍ୟବାନ । ଶାସକ ଦଳର ବିଭିନ୍ନ କାର୍ଯ୍ୟ ତଥା ଯୋଜନା ନେଇ ଜନତାଙ୍କ ପ୍ରତିନିଧି ଭାବେ ଜବାବ ମାଗିବେ ବିରୋଧୀ । ଶାସକ ଦଳ ଯାହା ଜବାବ ଦେବେ ସାରା ରାଜ୍ୟ ଉତ୍ତର ପାଇବ । ତେଣୁ ଗୃହକୁ ମୁଲତବି ନକରି କିଭଳି ଆଲୋଚନା ହୋଇପାରିବ, ସେ ଦାୟିତ୍ବ ବାଚସ୍ପତିଙ୍କର। ଗତ ବିଜେଡି ସରକାରରେ ବିଧାନସଭା କାର୍ଯ୍ୟଦିବସ ଥାଇ ବାରମ୍ବାର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରାଯାଉଥିଲା । ନବୀନ ସରକାରଙ୍କ ପଞ୍ଚମ ପାଳିରେ ଅଧିବେଶନର ଅବଧି କୌଣସି କ୍ୟାଲେଣ୍ଡର ବର୍ଷରେ ବି ୬୦ଦିନ ଚାଲିପାରିନଥିଲା। ଏପରିକି ୨୦୦୦ ମସିହାରେ ରାଜ୍ୟରେ ବିଜେଡି ସରକାର ଆସିବା ପରଠୁ ମାତ୍ର ୩ଥର ଅର୍ଥାତ ୨୦୦୬, ୨୦୦୯ ଓ ୨୦୧୨ ବର୍ଷରେ ବିଧାନସଭା ଅଧିବେଶନ ୬୦ଦିନ ବସିପାରିଥିଲା । ୨୦୨୨ରେ ତ ମାତ୍ର ୩୭ଦିନ ଚାଲି ପାରିଥିଲା ଗୃହ। ବିଧାନସଭା ପ୍ରତିବର୍ଷ ଅତିକମରେ ୬୦ଦିନ ବସିବାର ନିୟମ ରହିଥିବା ବେଳେ ବିଜେଡି ସରକାର ନିଜକୁ ସୁହାଇବା ଭଳି ଏହି ଅବଧିକୁ ହ୍ରାସ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରୁନଥିଲା ।

ରାଜ୍ୟ ଶାସନ ବ୍ୟବସ୍ଥା ସଂପର୍କରେ ହେଉ କି ନିଜ ଅଞ୍ଚଳର ସମସ୍ୟା ନେଇ, ବିଧାନସଭା ଆଲୋଚନାରେ ଲୋକଙ୍କ ସ୍ବର ପାଲଟନ୍ତି ବିଧାୟକ। ବିଧାନସଭା ଅବଧି ହ୍ରାସ କରିବା ଅର୍ଥ କେଉଁଠି ନା କେଉଁଠି ଲୋକଙ୍କ ସ୍ବର ଦବାଇବା । ଲୋକଙ୍କ ପ୍ରତିନିଧି ଭାବେ ବିରୋଧୀ ସରକାରଙ୍କୁ ପ୍ରଶ୍ନ କରିବେ, ବିଭିନ୍ନ ପ୍ରସଙ୍ଗ ଉଠାଇବେ, ଆବଶ୍ୟକସ୍ଥଳରେ ବିରୋଧ ବି କରିବେ । ତେବେ ନିଜକୁ ସୁହାଇଲା ଭଳି ଗୃହ କାର୍ଯ୍ୟ ବନ୍ଦ କଲେ ଅନେକ ପ୍ରସଙ୍ଗ ଆଲୋଚନା ହୋଇପାରିବନି । ବିଜେଡି ସରକାରରେ ଗୃହ ବନ୍ଦର ଧାରା ବିଜେପି ସରକାରରେ ବଦଳୁଛି ନା ପୁନରାବୃତ୍ତି ହେଉଛି, ତାଉପରେ ନଜର ରହିବ । ଆଉ ଗୃହ ପରିଚାଳନା ଦାୟିତ୍ବରେ ରହିଥିବା ବାଚସ୍ପତି ସୁରମା ପାଢୀଙ୍କ ଉପରେ ଗୃହ ଅଧିକ ଦିନ ଚଲାଇବାର ଗୁରୁ ଦାୟିତ୍ବ ରହିବ ।

Comments are closed.