Latest Odisha News

‘ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସହର ଭାବରେ ଗଢ଼ିବାକୁ ହେବ, ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦିଆଯିବ’

ଭୁବନେଶ୍ୱର: ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି । ବୈଠକରେ ବର୍ଷାଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ କୃତ୍ରିମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡ. ମହାପାତ୍ର ଉଲ୍ଲେଖ କରିଛନ୍ତି ।

ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ସମୟରେ ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ସହରାଞ୍ଚଳ ବିକାଶ ଉପରେ ପ୍ରାଥମିକତା ଦେବାକୁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ, ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ସହରାଞ୍ଚଳ ବିକାଶ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବାକୁ ହେବ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ ଗଢ଼ିତୋଳିବା ସହିତ ସମଗ୍ର ରାଜ୍ୟର ସହରାଞ୍ଚଳ ଗୁଡ଼ିକର ଭିତ୍ତିଭୂମି ଓ ପାଶ୍ୱର୍ଞ୍ଚଳ ଉନ୍ନତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି ଯେ, ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଯଥା ବ୍ୟୟ ନକରି ଯଥାର୍ଥ ଭାବରେ ଅର୍ଥବ୍ୟୟ କରାଯିବ । ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ହେବ ।

ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସଂପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ରାଜ୍ୟର ସମସ୍ତ ପୌର ଅଧିକାରୀମାନଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ସଂପ୍ରତି ସମ୍ବଲପୁରରେ କାମଳ ରୋଗ ଦେଖାଦେଇଥିବା ପରିପ୍ରେକ୍ଷୀରେ ସେଠିକାର ପାନୀୟ ଜଳର ଗୁଣବତ୍ତା ଆଦି ସଂପର୍କରେ ତଦନ୍ତ କରିବାକୁ ୱାଟ୍‌କୋର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.