Latest Odisha News

ଅସଦାଚରଣ ଅଭିଯୋଗ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମାମଲା ରୁଜୁ

ବ୍ରହ୍ମପୁର: ଗଞ୍ଜାମରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୋଲସରାର ପୂର୍ବତନ ବିଧାୟକ ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ସଂଯୁକ୍ତା ମହଲାଙ୍କ ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ହୋଇଛି।

ଚଳିତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ପୂର୍ବତନ ମନ୍ତ୍ରୀଙ୍କ ବାସଭବନକୁ ଯାଇଥିବା ବେଳେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଶ୍ରୀକାନ୍ତ, ତାଙ୍କ ବାପା, ଭାଇ, ଭାଉଜ ଓ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଘଟଣା ସମ୍ପର୍କରେ ସେ କବିସୂର୍ଯ୍ୟନଗର ଥାନାରେ ଅଭିଯୋଗ କରିଥିଲେ ବୋଲି ସଂଯୁକ୍ତା କହିଛନ୍ତି। ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୁଲିସ ତାଙ୍କୁ ଗିରଫ କରିଛି ବୋଲି ସେ ତାଙ୍କ ନୂଆ ଅଭିଯୋଗରେ ଦର୍ଶାଇଛନ୍ତି।

ମହିଳା ଜଣକ ଡାକ ଜରିଆରେ ନୂଆ ଅଭିଯୋଗ ପଠାଇବା ପରେ ପୁଲିସ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଶ୍ରୀକାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ଶ୍ରୀକାନ୍ତଙ୍କ ବିରୋଧରେ ସଂଯୁକ୍ତା ପୂର୍ବରୁ ଭୁବନେଶ୍ୱର ମହିଳା ଥାନାରେ ଦୁଇଟି ଅଭିଯୋଗ କରିଥିଲେ ଯେ ପୂର୍ବତନ ମନ୍ତ୍ରୀ ୯ ବର୍ଷ ଧରି ସମ୍ପର୍କରେ ରହିବା ପରେ ତାଙ୍କୁ ବିଶ୍ୱାସଘାତକତା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ସେ ମଧ୍ୟ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ ସୁରକ୍ଷା ଦାବି କରିଥିଲେ। ଏହି ଅଭିଯୋଗ ପରେ ଶ୍ରୀକାନ୍ତଙ୍କୁ ତତ୍କାଳୀନ ବିଜେଡି ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିଲା।

୨୦୨୩ ମସିହା ଅଗଷ୍ଟ ମାସରେ ସେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଅଭିଯୋଗର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ମାଗିଥିଲେ।

Comments are closed.