Latest Odisha News

ଟିଏମସି ନେତାଙ୍କ ବିବାଦୀୟ ବୟାନ

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ମେୟରଙ୍କ ବିବାଦୀୟ ବୟାନ । ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତମ କୁହାଯାଉଥିବା ଫିରହାଦ ହକିମଙ୍କ ବୟାନକୁ ନେଇ ବଢିଲା ରାଜନୈତିକ ପାରଦ । ଅଣମୁସଲିମଙ୍କୁ ହତଭାଗା କହି ବଡ ବିବାଦ ସୃଷ୍ଟି କରିଛନ୍ତି ହକିମ । ବିଜେପି ଏହାକୁ କଡା ଭାଷାରେ ନିନ୍ଦା କରିଛି । ଏଥିସହ ଫିରହାଦ ହକିମ ହିନ୍ଦୁଙ୍କୁ ଉକୁସାଇବା ଭଳି ବୟାନ ଦେଇଥିବା କହି ବର୍ଷିଛି ବିଜେପି।

କ’ଣ କହିଥିଲେ ଫିରହାଦ ହକିମ?

ଜୁଲାଇ ୩ତାରିଖରେ କୋଲକାତା ମେୟର ତଥା ଟିଏମସି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଫିରହାଦ ହକିମ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । କୋଲକାତାର ଧନୋ ଧୋନ୍ୟ ଷ୍ଟାଡିୟମରେ ହେଉଥିବା ସର୍ବଭାରତୀୟ କୋରାନ୍ ପ୍ରତିଯୋଗିତାରେ ସାମିଲ ହେବା ଅବସରରେ ହକିମ ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଟାର୍ଗେଟ୍ କରିଥିଲେ । ଯେଉଁମାନେ ମୁସଲିମ୍ ହୋଇ ଜନ୍ମ ହୋଇନାହାନ୍ତି ସେମାନେ ହତଭାଗା । ସେମାନେ ଦୁର୍ଭାଗ୍ୟର ସହ ଜନ୍ମ ନେଇଛନ୍ତି । ସେମାନଙ୍କୁ ଇସଲାମ୍ ଆଡକୁ ଆକର୍ଷିତ କରି ଆଣିଲେ ଆଲ୍ଲାଙ୍କୁ ଖୁସି କରିପାରିବା ବୋଲି ହକିମ କହିଥିଲେ । ନିଜ ଭାଷଣରେ ଧର୍ମାନ୍ତରୀକରଣ ପାଇଁ ଖୋଲାଖୋଲି ଆହ୍ବାନ ଦେଇଥିଲେ ହକିମ ।

ହକିମଙ୍କ ଉପରେ ବର୍ଷିଲା ବିଜେପି

ଟିଏମସି ନେତା ଫିରହାଦ ହକିମଙ୍କ ଏଭଳି ବୟାନକୁ ନେଇ ବର୍ଷିଛି ବିଜେପି । ହକିମଙ୍କ ବୟାନକୁ ସୋସିଆଲ ମିଡିଆରେ ସମାଲୋଚନା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ। ପଶ୍ଚିମବଙ୍ଗରେ ଟିଏମସି ତୁଷ୍ଟୀକରଣ ରାଜନୀତି କରୁଛି । ଟିଏମସି ଲଗାତର ନିର୍ବାଚନ ବିଜୟ ଓ ଏହା ପରବର୍ତ୍ତୀ ହିଂସାରୁ ଏହା ସ୍ପଷ୍ଟ ହୋଇଛି । ନିକଟରେ ସରିୟା କୋର୍ଟ ଭଳି ଟିଏମସି ନେତା ତାଜିମୁଲ୍ ହକ୍ ବା ଜେସିବି ଜଣେ ମହିଳାଙ୍କୁ ମାରପିଟ୍ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ଘୃଣ୍ୟ କାର୍ଯ୍ୟକୁ ନେଇ ଟିଏମସିର ଚୋପ୍ରା ବିଧାୟକ ହମିଦୂର ରେହମାନଙ୍କ ବୟାନକୁ ନେଇ ବି ବିବାଦ ହୋଇଥିଲା। ଏଭଳି ଘଟଣା ମୁସଲିମ୍ ରାଷ୍ଟ୍ରରେ ସାଧାରଣ ଘଟଣା ବୋଲି କହିଥିଲେ ରେହମାନ। ଏବେ ହକିମଙ୍କ ବୟାନ ଟିଏମସିର ଭିତିରିଆ ଏଜେଣ୍ଡାକୁ ସୂଚାଉଥିବା ଅମିତ ମାଲବ୍ୟ ଟ୍ବିଟ୍ କରିଛନ୍ତି । ଟିଏମସିର ଏଭଳି ଆଭିମୁଖ୍ୟ ଭବିଷ୍ୟତରେ ଦିଦିଙ୍କ ପ୍ରେରଣାରେ ପଶ୍ଚିମବଙ୍ଗକୁ ମୁସଲିମ ରାଷ୍ଟ୍ରରେ ପରିଣତ କରିବା ନେଇ ସେ ଆଶଙ୍କା କରିଛନ୍ତି । ସେହିପରି ବିଜେପି ବିଧାୟକ ଅଗ୍ନିମିତ୍ର ପାଲ୍ ମଧ୍ୟ ହକିମଙ୍କ ବୟାନକୁ ନିନ୍ଦା କରିଛନ୍ତି । ଏପରି ବୟାନ କେବଳ ହିନ୍ଦୁ ଧର୍ମର ଆଧ୍ୟାତ୍ମିକତାର ଅପମାନ ନୁହେଁ ବରଂ ଦେଶର ସଦଭାବନା ପ୍ରତି ବିପଦ ବୋଲି ପାଲ୍ କହିଛନ୍ତି ।

Comments are closed.