Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ୍ ଓଡ଼ିଶା: ୨ ଦିନ ଆହୁରି ବର୍ଷିବ, ୧୦ରେ ପୁଣି ଲଘୁଚାପ

ଭୁବନେଶ୍ୱର : ଭାରତୀୟ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଆଗାମୀ ୨୪ ଘଣ୍ଟା ଧରି ଏହି ଲଗାଣ ବର୍ଷା ଲାଗିରହିବ । ଗତକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ବୃଷ୍ଟିପାତ ଜାରି ରହିଛି । ତେବେ ରାଜ୍ୟରେ ଏହି ଲଗାଣ ଯୋଗୁଁ ବିଭିନ୍ନ ଜିଲ୍ଲାର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଛି ।

ଭୁବନେଶ୍ୱର ଆଞ୍ଚ ଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ଆସନ୍ତା ୨୪ ଘଣ୍ଟା ଧରି ବର୍ଷା ଲାଗି ରହିବ । ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅନୁଭୁତ ହୋଇଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ବର୍ଷା ଲାଗି ରହିଛି । ତେବେ ଏହି ଲଘୁଚାପ ଆସନ୍ତା ୧୦ ତାରିଖ ବେଳକୁ ପୂନର୍ବାର ଓଡ଼ିଶା ମୁହାଁଇବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲା ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା କରିଛନ୍ତି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଆଜି କିନ୍ତୁ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମୟୁରଭଞ୍ଜ, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ।

ତେବେ ଦୈତ୍ୟ ନଗରୀ କଟକ-ଭୁବନେଶ୍ୱର ଏହି ଲଗାଣ ବର୍ଷାରେ ବେହାଲ । ଏହି ଦୁଇ ବ୍ୟସ୍ତବହୁଳ ସହରରେ ଦୀର୍ଘ ୭ଘଣ୍ଟା ଧରି ଅନବରତ ବର୍ଷା ହେବା ଫଳରେ ସହରର କେତେକ ସ୍ଥାନର ରାସ୍ତା ଉପରେ ପାଣି ଚାଲିବା ଆରମ୍ଭ ହୋଇଛି । ଗତ ଦୁଇ ସପ୍ତାହ ପୂର୍ବରୁ ଏହି ଦୁଇ ସହରରେ ଲଗାଣ ବର୍ଷା ଯୋଗୁଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଭିନ୍ନ ସାହି ଓ ବସ୍ତି ମଧ୍ୟରେ ଥିବା ବାସଗୃହରେ ବର୍ଷାଜଳ ପ୍ରବେଶ କରିବା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା ।

ଦୀର୍ଘ ୭ଘଣ୍ଟାର ଲଗାଣ ବର୍ଷା ଯୋଗୁଁ ରାଜଧାନୀର ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଛି । ରାଜଧାନୀର ପ୍ରମୁଖ ରାସ୍ତାରେ ପାଣି ଜମିବାରୁ ଯାନବାହନ ଚଳାଚଳରେ ବାଧା ଉପୁଜୁଛି । ଫଳରେ ବିଭିନ୍ନ ସ୍ଥାନରେ ଅଯଥା ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ ହୋଇପଡ଼ିଛି ।

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟବିହାର, ଚନ୍ଦ୍ରଶେଖରପୁର, ବମିଖାଲ, ଲକ୍ଷ୍ମୀସାଗର, ଶୈଳଶ୍ରୀବିହାର, ଡ଼ମଣା, ପୁରୁଣା ଭୁବନେଶ୍ୱର, ବରମୁଣ୍ଡା, ଜାଗମରା, ଭୋଇନଗର, ଭିଏସଏସ ନଗର, ସମେଇଗଡ଼ିଆ, ଚିନ୍ତାମଣିଶ୍ୱର ଆଦି ସ୍ଥାନ ମାନଙ୍କରେ ପରିସ୍ଥିତି ଜଟିଳ ଆକାର ଧାରଣ କରିବାରେ ଲାଗିଛି ।

ପାଣିପାଗ ସୂତ୍ରରୁ ପ୍ରକାଶ, ଗତକାଲିଠାରୁ ଓଡ଼ିଶାର ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଅଧିକ ବୃଷ୍ଟିପାତ ହୋଇଥିବା ସ୍ଥଳରେ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ କମ ବର୍ଷା ହୋଇଛି ।

Leave A Reply

Your email address will not be published.