Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୦)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ଫୁଲୁରୀ ଛାତିରୁ ଖସିଯାଇଥିବା ଶାଢ଼ୀକୁ ସଜାଡ଼ିଲା । ପୁଅ ଶୋଇଗଲାଣି ଏୟା ଭିତରେ । ପୁଅକୁ କାନ୍ଧରେ ପକାଇ ଉଠିଲା ଯିବାକୁ । ପଇସା ନେବାକୁ କୁନ୍ଥକୁନ୍ଥ ଫୁଲୁରୀର ହାତରେ ଜିଦ୍‌କରି ଗୁଞ୍ଜିଦେଲା ବାବୁ ।

ଫୁଲୁରୀ କହିଲା – ‘ତୁ ଖୁବ୍ ଭଲ ବାବୁ’…
ବାବୁ କହିଲା – କି ନା’ତୋର ଫୁଲୁରୀ… ମୁଁ ତତେ ଫୁଲ ଡାକିବି! ଫୁଲ!!
– ଫୁଲ ମୋ’ର ମା’ ଡାକୁଥିଲା… ଟିକେ ବିଭୋର ହୋଇ କହି ଉଠିଲା ଫୁଲୁରୀ ।
– ହଁ ତୁ ଖାଲି ନା’ରେ ଫୁଲ ନୁହେଁ ଗୁଣରେ ମଧ୍ୟ । ଫୁଲପରି କୋମଳ ଠିକ୍ ଜୁଇଫୁଲ…

ଫୁଲୁରୀର ଫୁଲ ପାଲଟିଯାଇଥିବା ଫୁଲୁରୀ କିନ୍ତୁ ଲାଜଲାଜ ହସରେ ଗ୍ରହଣ କରିନିଏ ଏ କୌତୁକ । ଫେରି ଆସିଲା ଘରକୁ । ପୁଅ ପାଇଁ ଔଷଧ ମଧ୍ୟ ଆଣିଲା ରାସ୍ତାରୁ । ମନରେ ଅଶେଷ କୃତଜ୍ଞ ଥିଲା ବାବୁ ପାଇଁ । ଏବେ ମଧ୍ୟ କିଛି ସହୃଦୟ ଭଲମଣିଷ ବଞ୍ôଚଛନ୍ତି ଏଦୁନିଆରେ ଏଇ ଭରସା ନେଇ । ମାଓଲି ତା’ ଛେଳିମାନଙ୍କୁ ତାଟି ଭିତରେ ରଖି ବାହାରୁଥିଲା ପଦାକୁ । ସାନଭଉଣୀ ତା\’ର ପଢ଼ୁଥିଲା ପିଣ୍ଡାରେ । ଦୁଇଟା ପିଲା ତାଙ୍କ ବସ୍ତିର ଥିଲେ ତା\’ ସହ ମଧ୍ୟ ।
ଖୁସିଲାଗେ ତା\’ର ପଢ଼ିବାର ଆଗ୍ରହ ଦେଖି । ମା’ ତାକୁ ବାହାକରିଦେଲା ମାତ୍ର ଚଉଦ ବର୍ଷରେ । ବଢ଼ିଲା ଦେହ, ବଳିଲା ବାବୁ ସହ ସୁନ୍ଦର ମୁହଁ । ସଭିଙ୍କୁ ଲୋଭିଲା ଦୃଷ୍ଟିରେ ଅନେଇବାକୁ ବାଧ୍ୟ କରେ । ମା’କୁ ଭୟ ହେଇଥିଲା ଘରଯୋଗ୍ୟା ହେବାପରେ ପରେ ତା’ ଦେହରେ ହଳଦୀ ମାଖି, ସିନ୍ଦୂର ପିନ୍ଦାଇ ଦେଲା । ଦେହରେ ହଳଦୀ, ନାଲି ଶାଢ଼ୀ, ପାଦରେ ପାଉଁଜି ଓ ଅଳତା, ହାତରେ ପୁଳାଏ ପାଣିଚୁଡ଼ି ରୁଣୁଝୁଣୁ କରୁଥିଲା । ଯାହାର ଲୋଭରେ ଫୁଲୁରୀ ଉଲ୍ଲସିତ ଥିଲା । ବେକରେ ହଳଦୀ ସୂତାରେ ସୁନାର ମଙ୍ଗଳସୂତ୍ର । ଦୁଇଟା ସୁନା କାନଫୁଲ ଏତିକି ଥିଲା ତା’ ମା’ ଦେଇଥିବା ସମ୍ପତ୍ତି ଯାହା ଆଜି ମଧ୍ୟ ଅଛି ତା’ ସାଙ୍ଗେ । ଚକରା ସେବେ ବେଶ୍ ସୁନ୍ଦର ଡଉଲ ଦିଶୁଥିଲା । ଧିରେ ଧିରେ ନିଶାପାଣି ତାକୁ ଖାଇଦେଲା । ଛୁଆ ହେଲା ପରେ ଆହୁରି ସେ ବିଗିଡ଼ିଗଲା… ।

ତା’ଠାରୁ ପ୍ରାୟ ଦଶବର୍ଷ ବଡ଼ ଚକରାକୁ ସେ ଭୟରେ କିଛି କହିପାରେ ନାହିଁ । ତା\’ର ବଡ଼ହେବାର ଅଧିକାର ଭିତରେ ସେ ତାକୁ କିଛି କହିବାକୁ ସୁଯୋଗ ଦିଏନି ଯେମିତି ।

ଫୁଲୁରୀ ଫୁଲ ଖେସି ଦିଏ ଗଭାରେ ପ୍ରତି ସଂକ୍ରାନ୍ତିରେ । ପାଦରେ ଅଳତା ପିନ୍ଧେ, ଗୋଡ଼ ମୁଦି ଭିତରେ ତା\’ର ନଖରେ ନାଲି ରଂଗ ବେଶ୍ ଚମତ୍କାର ଦିଶେ । ସେ ଖାଲି ବ୍ଲାଉଜ ନପିନ୍ଧି ଅନ୍ତବସ୍ତ୍ର ପିନ୍ଧେ ଗାଢ଼ରଂଗର ଶାଢ଼ୀ ପିନ୍ଧି ଖୁବ୍ ଆକର୍ଷଣୀୟ ଦିଶେ । ଆଜିକାଲି ମାଓଲୀ ତା’ଆଗେ ଫିକା ଦିଶେ । ଯଦିଚ ମାଓଲୀ ଶ୍ୟାମଳୀ ଥିଲା ।

ମାଓଲି ଶ୍ୟାମଳୀ ସୁନ୍ଦରୀ ଥିଲା । ଗାଁ ସ୍କୁଲ୍‌ରେ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ହେଉଥିଲା । ମଧ୍ୟମ ସ୍ୱାସ୍ଥ୍ୟ, ମୁଣ୍ଡରେ ଗୋଛାଏ ବାଳ । ଯାହାକୁ ସେ ସଦା ଜୁଡ଼ା କରିଥାଏ । ନଇଲେ ବେଣୀଟାଏ କରିପଛକୁ ଛାଟି ଦେଇଥାଏ । ପୁଳାଏ ଅଲରାବାଳ ପବନରେ ଉଡ଼ୁଥାଏ ସବୁବେଳେ । ସବୁବେଳେ ସୁତିଫ୍ରକ୍‌ ପିନ୍ଧୁଥିଲା ମାତ୍ର ଆଜିକାଲି ଶାଢ଼ୀ ନଇଲେ ଲେହେଙ୍ଗା । ହାତରେ ଥାଏ ପୁଳାଏ ରଂଗୀନ୍ ଚୁଡ଼ି । ମାଓଲୀର ସ୍ୱପ୍ନ କ’ଣ? ଥିଲା ବି କ\’ଣ ଯାହାକୁ ନେଇ ସେ
ଗର୍ବ କରିବ । ଯାହାକୁ ନେଇ ସେ ଆଗ୍ରହୀ ହେବ ଜୀବନର ପରିପୂର୍ଣ୍ଣ ।

ମାଓଲି ଦୁଃଖ ପାଏ, ସତ ଦୁଃଖ ମାନଙ୍କୁ ସାହାରା କରି ବଞ୍ôଚ ରହୁଥିଲା । ଜମାଟବନ୍ଧା ଦୁଃଖ ପାହାଡ଼ର ଉପରେ ବସି ଉଦାସି ଦୃଷ୍ଟି ପହଁରାଉଥିଲା
ଆକାଶ ଆଡ଼େ ।
ନଈକୂଳରୁ ଶୁଭିଯାଏ ବଂଇଁଶୀର ସୁର ଯେମିତି । ସତେକି ତା\’ ନା ଧରି କିଏ ଯେମିତି ଡାକୁଥାଏ ରହି ରହି । ବାଙ୍କୁବୁଢ଼ୀ ରଡ଼ିକରି ସମ୍ପୁଥାଏ ସେଇ ବେଳେ । ତା’ର ପୁଅକୁ ବିଦେଶୀ ବୋହୂକୁ, ଯେ ଗଲା ବର୍ଷ ବର୍ଷ ଧରି କେଉଠି ଅଜ୍ଞାତ ଭାବେ ଜିଇଁବାକୁ ନେଇଯାଇଛି । ଫେରି ଆସନ୍ତି ନାହିଁଦିନେ, ପଚାରିବାକୁ କେମିତି ଅଛି ମା’ଟା । ପଛକୁ ଫେରି ଚାହିଁନି କେବେ ଦିନେ ।

ମାଓଲି ଆନମନା ହୋଇଯାଏ । ସେ ତା’ର ଟ୍ରଙ୍କରୁ କାଢ଼େ ମୟୂର ପୁଚ୍ଛ । ଯାହାତା ଖାତାର ତୃତୀୟପୃଷ୍ଠାରେ ଏ ପୁଚ୍ଛଟି ଥାଏ ଅତି ଯତ୍ନରେ । ଅନେକ
ଅଧାଲେଖା ଅତୀତର ସ୍ୱପ୍ନ । ଆଜି ଦୁଃଖର ଭାର ଭିତରେ ହଜିଯାଇଛି । ସବୁକିଛି ଶବ୍ଦର ଫୁଆରା ସାଜି ଧାଡ଼ିବାନ୍ଧି ଆଗେଇ ଯାଉଥିଲେ ବରଯାତ୍ରୀ ପରି । ମାଓଲି ସ୍ୱପ୍ନ ଦେଖେ ତା’ର ବାହାଘର ନେଇ । କାରଣ ସେ ଜାଣେ, ତାକୁ କେହି ବାହା ହେବେ ନାହିଁ । ଆଜିକାଲି ପ୍ରାୟ ଜାଣନ୍ତି ତାଙ୍କ ବାପାମା ଏଡ଼୍‌ସ୍‌ରେ ମରିବା । ଯାହା ପାଇଁ କେହି ତା’ ଆଡ଼କୁ ମଧ୍ୟ ଚାହାନ୍ତି ନାହିଁ । ଦିଦି ଗରଗର ହୁଏ କଥାକଥାକେ । ମାଓଲି ଜାଣି ଅଜଣାହୁଏ, ଦୁଃଖକୁ ଛାତିରେ ମିଶାଇ ଦିଏ ପାଣିରେ ଲୁଣକୁ ମିଶାଇ ଦେଲାପରି । ସତରେ ଖୁବ୍ ଦୀର୍ଘ ହୋଇଯାଇଥିଲା ଜୀବନ । ଖୁବ୍ ଦୀର୍ଘ ହୋଇଯାଇଥିଲା ତା’ର ସ୍ୱପ୍ନମାନ । ତାକୁ କୋଡ଼ିଏ ପୁରି ଏକୋଇଶୀ ଚାଲିବା ଆରମ୍ଭ କରିସାରିଥିଲା । ତା\’ ବୟସର ଝିଅ ଦୁଇଟା ତିନିଟା ଛୁଆର ମା\’ ହୋଇସାରିଥିଲେ । ଗୁଡ଼ାଏ ବ୍ୟର୍ଥ ସ୍ୱପ୍ନମାନଙ୍କୁ ନେଇ ସେ ଗଢ଼ୁଥିଲା ତା\’ର ଦୁନିଆ । ସେଠି ସେ ଘରମଣିକୁ ଛୁଆଭାବେ । ସେ ମେଁ ମେଁ ଶବ୍ଦକଲେ, ତାକୁ ମା’… ମା’… ଡାକିବା ପରି ଶୁଭେ ।

ମାଓଲି ସବୁ ରାତିରେ ସ୍ୱପ୍ନ ଦେଖେ । ତା’ର ବାହାଘରର ସ୍ୱପ୍ନ । ତା’ର ବରଆସୁଛି, ରୋଷଣୀ କରି, ବାଜାବଜାଇ… କମ୍ପୁଛି ତାଙ୍କର ସାଇ, କମ୍ପୁଛି ତାଙ୍କର ବସ୍ତି । ସଭିଏଁ ନାଚୁଛନ୍ତି ପାଗଳ ପରି । ହାତରେ ନାଲି ଚୁଡ଼ି, ଦେହରେ ନାଲି ଶାଢ଼ୀ… ସବୁ ଯେମିତି ଚିକ୍‌ମିକ୍ କରୁଛି ଖୁସିରେ । ମାଓଲି ଚମକି ପଡ଼ି ଖସିପଡ଼ୁଛି ଖଟରୁ… ସତକୁ ଖସିପଡ଼େ ଖଟରୁ । ସ୍ୱପ୍ନରୁ…, ବିଛଣାରୁ… ତା’ର ନିଦ ଭାଙ୍ଗିଯାଏ ।

ସେ ସେତେବେଳକୁ ଝାଳରେ ଓଦା ହୋଇ ସାରିଥିବ । ମୁହଁ ଧୁଏ, ପାଣି ପିଏ, ଝରକା ଦେଇ ଦେଖେ ବାହାରକୁ… ମାପେ ରାତିର ବଳକା ପ୍ରହର, ମାପେ ରାତିର ଗଭୀରତା, ମାପେ ସ୍ୱପ୍ନର ଉଷ୍ମତା । ପୁଣି ନିଦେଇଯାଏ ଏଇ ଅସରନ୍ତି ସ୍ୱପ୍ନ ମାନଙ୍କୁ ମନେପକାଉ ପକାଉ… ।

ମାଓଲି ଧାଉଁଥାଏ ସ୍ୱପ୍ନର ପଛେ ପଛେ । ବିଲ ପାଟ ଡେଇଁ… ଉଡ଼ିଯାଉଥିବ ତା\’ର ଶାଢ଼ୀର ରଂଗୀନ ପଣତ । ଉଡ଼ୁଥିବ ତା’ର ମୁକୁଳା ବାଳ… ତା\’ର ଧାଇଁବା ଶେଷହୁଏନି ଯେମିତି… ସେ ଧାଉଁଥାଏ… ତୀବ୍ର ଭାବେ… ଖୁବ୍ ଦ୍ରୁତରେ ।

Comments are closed.