Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଦି ଆର୍ଟିଷ୍ଟସ୍ ଶିଟ୍

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୬ 

କଳାକାର ମାନେ ସ୍ୱର୍ଣ୍ଣପ୍ରସୂ।ଏଥିରେ ଦ୍ବିମତ ଯଦି କେହି ହୁଅନ୍ତି ତେବେ ଏଇ ଲେଖାଟି ସେମାନଙ୍କ ମୁହଁ ବନ୍ଦ କରି ଦେବା ପାଇଁ ହୁଏତ ଯଥେଷ୍ଟ ,ଏକ ଉଦାହାରଣ ।

ଊଣେଇଶ ଏକଷଠି ସାଲରେ ପିଏରୋ ମନଜୋନି(୧୯୩୩-୬୩) ବୋଲି ଜଣେ ଇତାଲୀର କଳାକାର ନବେଟି ଛୋଟ ଡବା ପ୍ରସ୍ତୁତ କରିଥିଲେ।ଡବାର ନାଆଁ ରଖିଥିଲେ ସେ “ଦି ଆର୍ଟିଷ୍ଟସ୍ ଶିଟ୍”ବା “କଳାକାରର ମଳ”।

ଡବା ଭିତରେ ଯାହା କିଛି ପଦାର୍ଥ ରହିଥିଲା ତାହାକୁ ନିକିତିରେ ଓଜନ କରି ହିସାବକୁ ନେଲେ ଦେଖାଯିବ ଯେ ମନଜୋନିଙ୍କ ପ୍ରସ୍ତୁତ ପ୍ରତିଟି ଡବାର ମୂଲ୍ୟ ପ୍ରାୟତଃ ସେହି ସମୟର ସୁନାର ଦାମ ସହ ସମାନ ଥିଲା।ମାତ୍ର ସେହି ନବେଟି ଡବାର ଭିତରେ ସୁନା ସଦୃଶ କେଉଁ ପ୍ରକାର ଦୁର୍ମୂଲ୍ୟ ପଦାର୍ଥ ରହିଥିଲା ତାହା କେହି ଜାଣନ୍ତି ନାହିଁ। ତଥାପି ସେହି ଡବା ଭିତରୁ ୮୩ ନମ୍ବରର ଡବାଟିକୁ ୨୦୦୮ ମସିହା ଅକ୍ଟୋବର ମାସରେ ଜଣେ ବ୍ୟକ୍ତିଗତ ସଂଗ୍ରାହକ ଲକ୍ଷେ ଅଣଚାଶ ହଜାର ଡଲାର୍ ରେ କିଣି ନେଇଥିଲେ।

ଆର୍ଟିଷ୍ଟ ବା କଳାକାରମାନଙ୍କୁ ନେଇ ସର୍ବସାଧାରଣରେ ରହିଥିବା କୌତୁହଳ ଜଗତବିଦିତ। ଅନେକ ସମୟରେ ସାଧାରଣ ଲୋକଟିଏ କଳାକାରମାନଙ୍କ ପ୍ରତି ନିଜର ଯେଉଁ ପ୍ରକାରର ଆବେଗ,ଅନୁରକ୍ତିକୁ ପ୍ରକାଶ କରିଥାଏ ତାହା ଢେର୍ ସମୟ ପାଗଳାମୀର ପର୍ଯ୍ୟାୟବାଚକ ହୋଇଥାଏ।

ଗୋଟିଏ ବାକ୍ୟରେ କହିଲେ ଆମର ସମସ୍ତ କଳାକାର-ସମ୍ପୃକ୍ତି ସବୁବେଳେ ଏକ ନିର୍ବିଚାରର ପ୍ରବିଧିରେ ନିଜକୁ ଉପସ୍ଥାପିତ କରିଥାଏ।

ଏବେ “ଆର୍ଟିଷ୍ଟସ୍ ଶିଟ୍” ର ନିର୍ମାତା ପିଏରୋ ମନଜୋନିଙ୍କ ନିକଟକୁ ଫେରିବା।

କେବଳ ନିଜର ସଉକି ପାଇଁ ଛବି ଆଙ୍କୁଥିବା ଏଇ କଳାକାର ପିଏରୋ ମନଜୋନିଙ୍କୁ ତାଙ୍କର ପ୍ରେମିକା “ଆର୍ଟିଷ୍ଟସ୍ ଶିଟ” ଶୀର୍ଷକରେ ଏହି ଭଳି ନବେଟି ଡବାର ପ୍ରସ୍ତୁତି କଲାବେଳରେ ଏକମାତ୍ର ସହାୟିକା ଥିଲେ ।

ଏହା ସ୍ୱାଭାବିକ ଯେ ଜୀବନରେ ପ୍ରେମିକାମାନେ ପ୍ରେମ ବ୍ୟତୀତ ଅନେକ କିଛି ନିଷ୍ପାଦନ କରିପାରନ୍ତି।

ମନଜୋନିଙ୍କ ଅକାଳ ପ୍ରୟାଣ ପରେ ତାଙ୍କର ପ୍ରେମିକା ହିଁ ଏକମାତ୍ର ବ୍ୟକ୍ତି ଉପଲବ୍ଧ ଥିଲେ ଯିଏ ନିଜର ପ୍ରେମିକକତ୍ତୃକ ପ୍ରସ୍ତୁତ ଏଇ ସମସ୍ତ ଡବା ଗୁଡିକର ଭିତରେ ଅତ୍ୟନ୍ତ ଯତ୍ନର ସହ ସଂଗୃହିତ କରି ରଖାଯାଇ ଥିବା ପଦାର୍ଥଗୁଡିକ ଯତପରୋନାସ୍ତି ବିଶୁଦ୍ଧ ବୋଲି ଦୃଢ କଣ୍ଠରେ କହିଆସୁଛନ୍ତି। କିନ୍ତୁ ମନଜୋନିଙ୍କ ପ୍ରେମିକାଙ୍କର ଏହି ଦାବୀକୁ ମନଜୋନିଙ୍କ ପରିବାର ବର୍ଗ ସବୁବେଳେ ପ୍ରକାଶ୍ୟରେ ଅସ୍ୱୀକାର କରୁଥିଲେ। ସେମାନେ ଡବା ଭିତରର ପଦାର୍ଥକୁ ଅପମିଶ୍ରିତ ଜାଲ୍ ବୋଲି କହୁଥିଲେ।ସେମାନଙ୍କର ମତରେ ଡବାଗୁଡିକ ଭିତରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ରଖାଯାଇ ସାଧାରଣ ଲୋକଙ୍କୁ ପ୍ରତାରିତ କରାଯାଇଛି। ଏଇ ପ୍ରତାରଣାଟିରେ ମନଜୋନିଙ୍କ ଅପେକ୍ଷା ତାଙ୍କର ଅର୍ଥଲୋଭୀ ବାନ୍ଧବୀ ଜଣକର ଭୂମିକା ଅଧିକ ବୋଲି ସେମାନେ କହୁଥିଲେ।

ପ୍ରେମ ବନାମ ପାରିବାରିକ ପୃଷ୍ଠଭୂମି ,ଏହାର ବିଘଟନର ସମ୍ପର୍କ ଚିରକାଳୀନ।

ଏହି ଡବାଗୁଡିକ ଷ୍ଟିଲ୍ ରେ ନିର୍ମିତ ଥିଲା ଆଉ ଖୁବ୍ ଭଲଭାବରେ ବନ୍ଦ କରାଯାଇଥିବାରୁ ଥିବାରୁ ଏକ୍ସରେ ବା ସ୍କାନ୍ କରି ଏହାର ଭିତରର ରହସ୍ୟମୟ ପଦାର୍ଥଗୁଡିକ ବିଷୟରେ ସବିଶେଷ ଅବଗତ ହେବା ସମ୍ଭବପର ହୋଇପାରୁ ନଥିଲା।

ଜନୈକ ବର୍ଣ୍ଣାଡ୍ ବାଜିଲ୍ ଊଣେଇଶ ଅଣାନବେ ମସିହାରେ ମନଜୋନିଙ୍କ ଡବା ମାନଙ୍କ ମଧ୍ୟରୁ ଗୋଟିଏ ଆଂଶିକ ଖୋଲା “ଦି ଆର୍ଟିଷ୍ଟସ୍ ଶିଟ୍” ଡବାର ପ୍ରଦର୍ଶନୀ କରାଇଥିଲେ। ପ୍ରଦର୍ଶନୀଟିରେ ବେଶ୍ ଭିଡ ହୋଇଥିଲା। କିନ୍ତୁ ସେହି ଡବାର ଭିତରେ ନିର୍ଦ୍ଦିଷ୍ଟ ଭାବରେ କେଉଁ ପଦାର୍ଥ ରହିଥିଲା ତାହାକୁ ସନାକ୍ତ କରିବା କଷ୍ଟକର ହୋଇଥିଲା, ସେତେବେଳେ ।

“ଦି ଆର୍ଟିଷ୍ଟସ୍ ଶିଟ୍” ନାମରେ ଖ୍ୟାତ ଏହି ଡବାଗୁଡିକ ବସ୍ତୁତଃ ଗୋଟିଏ ମାମଲା ଦାୟାର୍ ହେବା କାରଣରୁ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା ଊଣେଇଶ ନବେ ମସିହାର ମଧ୍ୟଭାଗରେ ।ଜଣେ କଳା ସଂଗ୍ରାହକଙ୍କ ସହ ଡେନମାର୍କର ଏକ କଳା ସଂଗ୍ରହାଳୟ ଏହାକୁ ପ୍ରଦର୍ଶିତ କରିବା ପାଇଁ ଚୁକ୍ତିବଦ୍ଧ ଥିବା ସମୟରେ ଗୋଟିଏ ଡବାକୁ ଖୋଲି ଦେଖାଉ ଥିଲେ ଆଉ ଏହା ବେଆଇନ୍ ଦର୍ଶାଇ ସଂଗ୍ରାହକ ଜଣକ ମାମଲା କରିଥିଲେ।ମାମଲାର ଫଇସଲା କଳା ସଂଗ୍ରାହକଙ୍କ ପକ୍ଷରେ ଯାଇଥିଲା। ଡେନମାର୍କର ମ୍ୟୁଜିଅମ୍ ମୋଟା ଅଂକର କ୍ଷତିପୂରଣ ଦେଇଥିଲା କଳା ସଂଗ୍ରାହକଙ୍କୁ।

ଆଜିଯାଏଁ ତେଣୁ ଏହି ଡବାଗୁଡିକ ସମସ୍ତ କଳାକାରଙ୍କ ବିଶୁଦ୍ଧ ଦେହଜ ମୌଳିକତାକୁ ଅବ୍ୟାହତ ରଖିବା ସହ ନିବୁଜ ଓ ରହସ୍ୟମୟ ହୋଇ ରହିଅଛି।

ଆମେମାନେ ସବୁବେଳେ ରହସ୍ୟବାଦକୁ ନିବୁଜ କରି ରଖିବାକୁ ଚାହୁଁ। ଯଦି ବ୍ୟଗ୍ର ହୋଇ ଆମେ କେବେ ରହସ୍ୟର କବାଟ ଖୋଲିଦେଉ ତେବେ ଆମ ଦିଅଁ ଅଧାଗଢା ହୋଇ ରହିଯିବେ।

ଶେଷରେ ଗୋଟିଏ ପରାମର୍ଶ ବିନାମୂଲ୍ୟରେ।

ଇତାଲୀର ପିଏରୋ ମନଜୋନିଙ୍କ ଦ୍ୱାରା ପ୍ରଭାବିତ ହୋଇ ଯଦି କେହି କଳାକାର ଆମର ଏଠିକାର ବିଶ୍ୱନନ୍ଦିତ, ପ୍ରଦେଶ ବନ୍ଦିତ କବିଲେଖକମାନଙ୍କର ସାରସ୍ୱତ କୃତି ଭଳି ଏ ଜାତୀୟ ଦେହଜକୃତିର ରହସ୍ୟମୟତାକୁ ଅବ୍ୟାହତ ରଖନ୍ତେ ତେବେ ତାହା ଭବିଷ୍ୟତ ପ୍ରଜନ୍ମକୁ ରହସ୍ୟବାଦୀ ହେବାରେ ଏକ ପ୍ରୋତ୍ସାହକ ହୋଇପାରନ୍ତା।

କୌଣସି ସାହିତ୍ୟ ସଙ୍କଳନ ପ୍ରସ୍ତୁତ କଲାବେଳେ ପ୍ରସ୍ତୁତକାରୀର ଖଣ୍ଡାଧାରରେ ଚାଲିଲା ଭଳି ଅବସ୍ଥା । ଏକଥାକୁ ମାନିନେବାରେ କାହାର ଦ୍ୱିଧା ନାହିଁ। ଏଥିପାଇଁ କବିତା ହେଉ କି ଆଉ କ’ଣ ଲେଖା ହେଉ ବାଛିବା ଭାରି କଷ୍ଟ। ଯିଏ ସେଥିରେ ନଥିବ, ଦେଖିବ ତାହାର ମୁଁହ ଫଣଫଣ। “ଆର୍ଟିଷ୍ଟସ୍ ଶିଟ୍” ଭଳି ପ୍ରତିନିଧିସୁଲଭ ସଂଗ୍ରହଟିଏ କିନ୍ତୁ ଭାରି ସହଜ।ଖାଲି ଡବା ସଂଖ୍ୟା କେତେ ହେବ ଖାଲି ସେତିକି ଆଗରୁ ନିର୍ଦ୍ଧାରଣ କରିନେଇଥିଲେ ଯେତେ ସବୁ ସାରସ୍ୱତ କିଲ୍ଲା ଫତେ।

ଜୟ କଳା।

Comments are closed.