ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୯୦
ପିକାସୋଙ୍କର ଗୋଟିଏ ଛବି। ସେଇ ଛବିରେ ରହିଛି ବାର ଗୋଟି ଚିତ୍ରଅଂଶ।
ଏହି ବାରଗୋଟି ଚିତ୍ରକୁ ଗୋଟିଏ କାନଭାସରେ ରଖି ତାହାର ମାଧ୍ୟମରେ ଗୋଟିଏ ବିବର୍ତ୍ତନର କଥା କହିଛନ୍ତି ବିଶ୍ୱନନ୍ଦିତ ଚିତ୍ରକର ପାବଲୋ ପିକାସୋ।
ସେହି ବିବର୍ତ୍ତନର କଥା ଯେତିକି ସରଳ,ସେହି ଅନୁପାତରେ ସେତିକି ଜଟିଳ ବି।
ବିବର୍ତ୍ତନର କଥା ହେଉଛି ଅମୂର୍ତ୍ତ ହେବାର ପ୍ରକ୍ରିୟାକୁ କେନ୍ଦ୍ର କରି। ତାହାହେଲେ ଅମୂର୍ତ୍ତ ଟି ସତରେ କେମିତିକା ଚିଜ ? କେଉଁଠି ଥାଏ ସେ ଆଉ କେମିତି ଟହଲି ଟହଲି ଆସେ ସେ ଆମର ବସ୍ତୁର କଥା ପ୍ରସଂଗକୁ ? ମନକୁ ଆସୁଛି ଜଣେ ପ୍ରସିଦ୍ଧ ଗ୍ରୀକ୍ କଥାକାରଙ୍କ କଥା।ନିକୋସ୍ କାଜାନଜାକିସ୍।ସେ “ଜୋର୍ବା,ଦି ଗ୍ରିକ୍” ବୋଲି ଗୋଟିଏ ଉପନ୍ୟାସ ଲେଖିଛନ୍ତି।ବିଶିଷ୍ଟ ଚିନ୍ତକ ଓଶୋ ପୂର୍ବନାମ ଆଚାର୍ଯ୍ୟ ରଜନୀଶ ସମଗ୍ର ପୁରୁଷ ଜାତିକୁ ତାହାର ଆଚରଣ ର ଆଧାରରେ ଛଅ ପ୍ରକାର ଭାଗରେ ବିଭକ୍ତ କରିଛନ୍ତି,ସେହି ଛଅଟି ପ୍ରକାର ପୁରୁଷ ଜାତି ରୁ ତାଙ୍କ ଅନୁସାରେ ଗୋଟିଏ ପ୍ରକାର ପୁରୁଷ ହେଉଛନ୍ତି ଏଇ କାଜାନଜାକିସ୍ ଙ୍କ ଜୋର୍ବା ଭଳି ଅର୍ଥାତ୍ ଜୋର୍ବା ପ୍ରଜାତି ର ପୁରୁଷ।ଏହି ଜୋର୍ବା ପ୍ରଜାତିର ପୁରୁଷ ମାନଙ୍କ ଲକ୍ଷଣ ସଂପର୍କରେ ଅତି ସଂକ୍ଷେପରେ କହିଲେ ତାହା ଏହିପରି ହେବ ଯେ ସେମାନେ ସାଧାରଣତଃ ସମସ୍ତ ପ୍ରକାର ସୁଖ ଓ ସୁବିଧା କୁ ଆହରଣ କରିବାକୁ ଆଦୌ ସଂକୁଚିତ ହୁଅନ୍ତି ନାହିଁ କି ସେଇଥିପାଇଁ ଆଉ କାହା ପ୍ରତି କୃତଜ୍ଞ ରହନ୍ତି ନାହିଁ।ଇଂରେଜୀରେ କହିଲେ ହେବ” ଟେକିଙ୍ଗ୍ ଆଡଭାଣ୍ଟେଜ୍ ୱିଥଦାଉଟ୍ ବିଙ୍ଗ୍ ଓବଲାଇଜଡ୍” ଏହିପରି।ସେ ଯାହାହେଉ କାଜାନଜାକିସ୍ ତାଙ୍କର ସେହି ଉପନ୍ୟାସ ଜୋର୍ବା ଦି ଗ୍ରିକ୍ ରେ ଅମୂର୍ତ୍ତ ସଂପର୍କରେ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କଥା କହିଛନ୍ତି।ତାଙ୍କ ଭାଷାରେ,ଅମୂର୍ତ୍ତ ହେଉଛି ଗୋଟିଏ ମାଂସାଶୀ ପକ୍ଷୀ।ବାସ୍ତବତାର ମାଂସରୁ ପଳେ ପଳେ ଖାଇ ସେ ବଢୁଥାଏ।ଆଉ ଯେତେବେଳେ ବାସ୍ତବତାର ହାଡ ମାଂସକୁ ସେ ସଂପୂର୍ଣ୍ଣ ଭକ୍ଷଣ କରି ସାରିବ ତାହାପରେ ସେ ହଠାତ୍ ଫୁଉର୍।ଆପଣ ମାନେ ଜାଣନ୍ତି ଆମର ବାସ୍ତବତା ଅପେକ୍ଷା ସେହି ଅମୂର୍ତ୍ତ ବୋଲି ଅଦେଖା ଚଢେଇରେ ଭାରି ଶ୍ରଦ୍ଧା। ଆମର ଲୋକ କଥାରେ ଯେଉଁ ଅଛି, ” ଆଗତ ଚଢେଇ କୁ ବେସର ବଟା” ସେମିତି ଆମେ ଆମର ସମସ୍ତ ଆଧାର ବେସର ତକ ସେଇ ଆଗତ ଚଢେଇ ପାଇଁ ସମ୍ପାଦି ରଖିଥାଉ।ବାସ୍ତବତା ତାହା ତୁଳନାରେ ନିହାତି ତୁଚ୍ଛ।
ଏମିତି କହିଲେ ଦେହ ଟିଏ ନଥିଲେ ବିଦେହ ନାହିଁ।ଖାସ୍ ସେଇଥି ପାଇଁ ଦେହ ଆଉ ବିଦେହ ଅର୍ଥାତ୍ ବାସ୍ତବତା ଆଉ ଅମୂର୍ତ୍ତ ଜମଜ ଆଉ ଏକା ସଙ୍ଗରେ ଏକ ସମଜୈବ ସଂହତି ବା ସିମ୍ବାଇୟୋଟିକ୍ ସମ୍ପର୍କ ସହିତ ମାତୃଗର୍ଭରୁ ତଳକୁ ଓହ୍ଲାଇ ଆସିଥାନ୍ତି।ପାର୍ଥିବ ଜୀବନରେ ଉଭୟଙ୍କର ସମ୍ପର୍କରେ ଭିନ୍ନ ଭିନ୍ନ ଉଠାଣି ଗଡାଣିମାନ ଆସିଥାଏ।
ପିକାସୋଙ୍କ ଛବିର ସେଇ ଏଗାରଟି ଯାକ ଅଂଶଚିତ୍ର ଯାହା ଆମର ପଟୁଆଙ୍କ ଭଳି ଅମୂର୍ତ୍ତକଥାର ବିବର୍ତ୍ତନକୁ ଧାରାବାହିକ କ୍ରମନ୍ୱୟତାରେ ବଖାଣ କରିବାକୁ ଚିତ୍ରଗାଥା ଭଳି ଉପସ୍ଥିତ ହୋଇଛି ତାହା ଅସଲରେ ଗୋଟିଏ ଗୋଟିଏ “ଲିଥୋଗ୍ରାଫ୍”।ଏହି ଛବି ଗୁଡିକ ଋଣେଇଶ ପଇଁଚାଳିଶ ମସିହା ରେ ତିଆରି ।
ଛବିର ଶୀର୍ଷକ ହେଉଛି “ଦି ବୁଲ୍” ଅର୍ଥାତ୍ “ଷଣ୍ଢ”।
ଷଣ୍ଢ ର ବିବର୍ତ୍ତନର ଟିକୁ ଏହି ଛବିରେ ଦେଖାଯାଇଛି।ପ୍ରଥମରେ ଦେଖିବେ ଅବିକଳ ଷଣ୍ଢ, ସମ୍ପୂର୍ଣ୍ଣ ବାସ୍ତବବାଦ, ତାହାପରେ ଷଣ୍ଢ ଟି କ୍ରମଶଃ ଅମୂର୍ତ୍ତ ହୋଇ ଯାଉଛି,ଝାଲସା ହୋଇଯାଉଛି କ୍ରମଶଃ।ଷଣ୍ଢ ବୋଲି ଯାହା ଦିଶୁଛି ତାହାପରେ ତାହା କେବଳ କେତୋଟି ରେଖା, ସେଇ ରେଖା ଯତ୍ ସାମାନ୍ୟ ଆକାରରେ ଆମର ଉଦ୍ଦିଷ୍ଟ ବସ୍ତୁର ଘନତ୍ୱକୁ ପ୍ରକାଶ କରୁଛି।
ଶେଷରେ ଆଉ କେହି ନଥାନ୍ତି,ନା ଷଣ୍ଢ ,ନା ରେଖା। ରେଖାମାନେ ଆଉ ଗୋଟିଏ ଚିତ୍ର ପ୍ରତିମାକୁ ଜନ୍ମ ଦେଇ ଚିରବିଦାୟ ନିଅନ୍ତି।ସେହି ଚିତ୍ର ପ୍ରତିମାଟି ହେଉଛି ଗୋଟିଏ ସନ୍ତକ।ସନ୍ତକ ଟି ହେଉଛି ସେହି ଶିଳ୍ପୀର ଯିଏ ବାସ୍ତବତା ଆଉ ଅମୂର୍ତ୍ତତା ଭିତରେ ଘୋ ଘୋ ରାଣୀ ଖେଳି ଖେଳି ଶେଷରେ ସନ୍ତକ ଟିଏ ପାଲଟି ଯାଇଛି।
ଛବିର ଶେଷ ଚିତ୍ରାଂଶରେଟି ହେଉଛି ଗୋଟିଏ ସନ୍ତକ । ସନ୍ତକଟି ଚିତ୍ରକରର ।
ପାବଲୋ ପିକାସୋ।
ସଂକ୍ଷେପରେ କହିଲେ ଏଠାରେ ନିଜର ଚିତ୍ରଅଭିଯାନକୁ ପିକାସୋ ଗୋଟିଏ ଷଣ୍ଢ ଠାରୁ ଆରମ୍ଭ କରି ବିବର୍ତ୍ତନର ଅନ୍ତିମ ପର୍ଯ୍ୟାୟରେ ନିଜର ପ୍ରଖ୍ୟାତ ସନ୍ତକରେ ଉପସଂହାର କରିଛନ୍ତି ।
ଏମିତି ଏକ ଚିତ୍ରବିସ୍ତାର ହେଉଛି ଅମୂର୍ତ୍ତର ପରିଣତିକୁ ବୁଝାଇବାକୁ ଯାଇ ତାହାର ସମ୍ପର୍କରେ ଏହା ହେଉଛି ଏକ ନିହାତି ସଂକ୍ଷିପ୍ତ ଆଉ ଅତିସରଳୀକରଣ ଦୋଷଯୁକ୍ତ କଥା। ଏ ସମ୍ପର୍କରେ ବିଚାର ଆହୁରି ବିସ୍ତୃତ ନିଶ୍ଚୟ ହେବ । ଗୋଟିଏ ଷଣ୍ଢର ସଂତକ ହୋଇଯିବା ର ପ୍ରେକ୍ଷାପଟରେ ଜଣେ ସୃଜନଶୀଳ ଲେଖକ ନିଜକୁ କେଉଁ ବିନ୍ଦୁରେ ରଖିବାକୁ ଉଚିତ ମଣିବ ତାହା ତାହାର ନିଜର ନନ୍ଦନତତ୍ତ୍ୱ ତଥା ତାହାର ସାମାଜିକ ଅବବୋଧ ଉପରେ ପୂର୍ଣ୍ଣତଃ ନିର୍ଭର କରେ।
ପିକାସୋଙ୍କ ବାର ନମ୍ବର ଷଣ୍ଢ।
ବାସ୍ତବ ଉପରେ ଦୃଷ୍ଟି ପଡିବା ପରଠାରୁ ସେ ଅମୂର୍ତ୍ତ ହେବାକୁ ଆରମ୍ଭ କରେ। ଠିକ୍ ଯେମିତି ପ୍ରକାଶକୁ ଆସିଥିବା “ଶ୍ରୋଡିଙ୍ଗର ଙ୍କ ବିରାଡି”। ବିରାଡିଟି ଆଢୁଆଳରେ ଥିବା ଯାଏଁ ତାହାର ଜନ୍ମମୃତ୍ଯୁ ନଥିଲା ,ପ୍ରକାଶକୁ ଆସିବା ମାତ୍ରକେ ଆଲୋକର ପଦପାତରେ ତାହାର ଜନ୍ମମୃତ୍ୟୁ ଆରମ୍ଭ ହୋଇଗଲା।
ଶେଷଟି ତାହାଲେ କ’ଣ ସନ୍ତକ ?
ଚିତ୍ରରେ, ଦୃଷ୍ଟିରେ , ସମଜୈବସଂହତିରେ ରହିବାର ତାହା ହେଉଛି ସେହି ଅନ୍ତିମ କ୍ଷଣ,ଯାହାପରେ ଆଉ ବସ୍ତୁ ନଥାଏ ଏ ଚିର ପିପାସାର୍ତ୍ତ ପୃଥ୍ୱୀରେ। ତାହାପରେ ସମସ୍ତ ରେଖାମାନ ଚିତ୍ରର ଅବୟବରୁ ମୁକୁଳି ଆସୁଥାନ୍ତି ଆଉ ଏକ କାଳକୋଠରୀରେ ସେମାନଙ୍କ ଅପେକ୍ଷାରେ ଥାଏ।
କଳା କିଟିମିଟି କାଳ କୋଠରୀ କହିଲେ ତ ସେଇ ଗୋଟିକ। ଆମେ ଯାହାକୁ ଚିତ୍ରପଣରେ ଦେଖୁ ତାହା କେବଳ ସେତେବେଳେ କୌଣସି ଏକ କଳାକାରର ସନ୍ତକ। କେବଳ ସନ୍ତକ।
Comments are closed.