Latest Odisha News

ସମ୍ବିଧାନ ରାଜନୀତି

ନୂଆଦିଲ୍ଲୀ: ଜୋର୍ ଧରିଛି ସମ୍ବିଧାନ ରାଜନୀତି । କଂଗ୍ରେସର ସମ୍ବିଧାନ ବଂଚାଓର ଜବାବ ଦେବାକୁ ବିଜେପିର ଆକ୍ରମଣାତ୍ମକ ରଣନୀତି । ୧୯୭୫ରେ ଇନ୍ଦିରା ସରକାର ଜାରି କରିଥିବା ଜରୁରୀକାଳିନ ପରିସ୍ଥିତି ବିରୋଧରେ ପ୍ରତିବର୍ଷ ଜୁନ୍ ୨୫ ତାରିଖରେ ପାଳନ କରାଯିବ ସମ୍ବିଧାନ ହତ୍ୟା ଦିବସ । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ ପାଇଁ ନେଇଛି ବିଧିବଦ୍ଧ ନିଷ୍ପତ୍ତି । ସମ୍ବିଧାନକୁ ଉପେକ୍ଷା କରି ଇନ୍ଦିରା ଗାନ୍ଧି ନେତୃତ୍ୱାଧୀନ କଂଗ୍ରେସ ସରକାର କିପରି ସାରା ଦେଶରେ ଜରୁରୀକାଳିନ ପରିସ୍ଥିତି ଜାରି କରି ମୌଳିକ ଅଧିକାରରୁ ବଂଚିତ କଲେ, ତାହା ମନେ ପକାଇଦେବାକୁ ପ୍ରତିବର୍ଷ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନେଇଛି ମୋଦି ସରକାର ।

କଂଗ୍ରେସର ସମ୍ବିଧାନ ବଂଚାଅ ଅଭିଯାନ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଇଛି ବିଜେପି । ମୋଦି ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ୱେଚ୍ଛାଚାରିତା ଓ ଖବରର ଶିରୋନାମାରେ ରହିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛି କଂଗ୍ରେସ । ବିଜେପି ଗତ ୧୦ ବର୍ଷ ଧରି ପ୍ରତିଦିନ ସମ୍ବିଧାନର ହତ୍ୟା କରିଚାଲିଛି ବୋଲି କହିଛି କଂଗ୍ରେସ । ନରେନ୍ଦ୍ର ମୋଦି ଜଣେ ନନ୍ ବାୟୋଲୋଜିକଲ ପ୍ରଧାନମନ୍ତ୍ରୀ । ତାଙ୍କ ପାଇଁ ଡେମୋକ୍ରାସି କେବଳ ଡେମୋ-କୁର୍ସି ବୋଲି ତାତ୍ସଲ୍ୟ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ତେବେ,ବିଶେଷଜ୍ଞଙ୍କ ମତରେ ସମ୍ବିଧାନ ହତ୍ୟା ଦିବସ ପାଳନ ପାଇଁ ଏକ ରାଜନୈତିକ ନିଷ୍ପତ୍ତିରେ ସରକାରୀ ମୋହଲ ଲାଗିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ଏଥର ଲୋକସଭା ନିର୍ବାଚନ ପ୍ରଚାରରେ ୪ ଶହ ପାର୍ ର ସ୍ଲୋଗାନ ଦେଇଥିଲା ବିଜେପି । ଏହାର ଜବାବରେ କଂଗ୍ରେସ ସମ୍ବିଧାନ ବଂଚାଅର ନାରା ଦେଇଥିଲା । ବିଜେପିକୁ ଯଦି ୪ ଶହ ସିଟ୍ ମିଳେ,ତାହା ହେଲେ ସମ୍ବିଧାନ ବଦଳାଇ ଦେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ନିର୍ବାଚନୀ ସଭାରେ କହୁଥିଲେ । ସମ୍ବିଧାନ ବଦଳାଇ ବିଜେପି ଆଦିବାସୀ, ଦଳିତ ଓ ଓବିସିମାନଙ୍କୁ ସଂରକ୍ଷଣରୁ ବଂଚିତ କରିବ ବୋଲି ଯୁକ୍ତି ଦର୍ଶାଇଥିଲେ ରାହୁଲ ।
ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ହିଁ ସମ୍ବିଧାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ଓ ବିଜେପି । ରାହୁଲ ଗାନ୍ଧି ଲୋକସଭା ସଦସ୍ୟ ଭାବେ ଶପଥ ନେବାବେଳେ ହାତରେ ଧରିଥିଲେ ସମ୍ବିଧାନ ପୁସ୍ତିକା । ଶଶି ଥରୁର ଶପଥ ନେବା ପରେ ଜୟ ସମ୍ବିଧାନ କହିଥିଲେ । ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସ୍ଥାନ ପାଇଥିଲ। ଇମର୍ଜେନ୍ସୀ । ବାଚସ୍ପତି ନିର୍ବାଚିତ ହେଲା ପରେ ଓମ୍ ବିର୍ଲା ମଧ୍ୟ ଲୋକସଭାରେ ନିଜର ଭାଷଣରେ ଜରୁରୀ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ।
ସୂଚନାଯୋଗ୍ୟ ଯେ, ୨୦୨୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧି ୧୯୭୫ର ଜରୁରୀକାଳୀନ ପରିସ୍ଥିତି ଏକ ଭୁଲ୍ ଥିଲା ବୋଲି ସ୍ୱୀକାର କରିଥିଲେ । ତେବେ, ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ମୋଦି ସରକାରର ନିଷ୍ପତ୍ତି ଯଥାର୍ଥତା କେତେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ଏକ ରାଜନୈତିକ ନିଷ୍ପତ୍ତି ଉପରେ ସରକାରୀ ମୋହରର ଔଚିତ୍ୟକୁ ନେଇ ବି ଗୁଞ୍ଜରଣ ସୃଷ୍ଟି ହୋଇଛି । ବିଜେପି ପାଇଁ ଏହା ବୁମେରାଂ ହେବ ନାହିଁ ତ ?

Comments are closed.