Latest Odisha News

BREAKING NEWS

ଗୌତମ ଗମ୍ଭୀରଙ୍କ ‘ଟିମ୍ ଇଣ୍ଡିଆ’

ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ଟିମ୍ ଚୟନକୁ ନେଇ ଉଠିଛି ପ୍ରଶ୍ନ । ଜିମ୍ବୱେ ଗସ୍ତରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଋତୁରାଜ ଗାଏକୱାଡ୍ ଓ ଅଭିଷେକ ଶର୍ମାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି । ସଂଜୁ ସାମସନଙ୍କୁ ଦିନିକିଆ ଦଳରେ ନିଆଯାଇନାହିଁ ।

ରବୀନ୍ଦ୍ର ଜାଡେଜାଙ୍କୁ ଦିନିକିଆ ଦଳରେ ସ୍ଥାନ ନ ମିଳିବା, ଶୁଭମନ ଗିଲଙ୍କୁ ଉଭୟ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଉପଅଧିନାୟକ କରାଯିବା, ରିଷଭ ପନ୍ତଙ୍କୁ ଟି-୨୦ ଓ ଦିନିକିଆ ସିରିଜରେ ସାମିଲ କରାଯିବା ଭଳି ନିଷ୍ପତ୍ତିରୁ ଜଣାପଡୁଛି ଯେ, ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିମ୍ ଚୟନ କରାଯାଇଛି । ଆଉ ଏହାପଛରେ ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ଭିଜନ ରହିଥିବା ସଂକେତ ମିଳୁଛି ।

କାହିଁକି ଗିଲ୍‌ଙ୍କୁ ଉଭୟ ଫର୍ମାଟରେ ଭାଇସ କ୍ୟାପଟେନ କରାଗଲା ବୋଲି ପ୍ରଶ୍ନ ଉଠିଛି । ଗିଲ୍ ଭାରତ ପାଇଁ ତିନିଟି ଫର୍ମାଟରେ ଖେଳିଛନ୍ତି । ଗିଲ୍ ମଧ୍ୟ ଦୀର୍ଘ ସମୟ ଭାରତ ପାଇଁ ଖେଳିବା ସମ୍ଭାବନା ରହିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ତାଙ୍କୁ ଉପଅଧିନାୟକ କରାଯାଇଥିବା ସୂଚନା ମିଳିଛି । ମାନେ ଭବିଷ୍ୟତରେ ଗିଲ୍ ଟିମ୍ ଇଣ୍ଡିଆର କ୍ୟାପଟେନ ବି ହୋଇପାରନ୍ତି ।

ଉପଅଧିନାୟକ ଭାବେ ରିଷଭ ପନ୍ତ ମଧ୍ୟ ଦାବିଦାର ଥିଲେ । ହେଲେ ପନ୍ତଙ୍କ ଟି-୨୦ ଓ ଏକଦିବସୀୟ ରେକର୍ଡ କିଛି ଖାସ୍ ନୁହେଁ । ସଞ୍ଜୁ ସାମସନଙ୍କ ଅପେକ୍ଷା ପନ୍ତଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସମାଲୋଚନା ହେଉଛି । ସାମସନ ସୀମିତ ସୁଯୋଗର ସଦୁପଯୋଗ କରିଥିବା ସତ୍ତ୍ୱେ ତାଙ୍କୁ ଉପେକ୍ଷା କରାଯାଉଛି ।

ବିଶ୍ୱକପ୍ ପରେ ରୋହିତ ଶର୍ମା ଓ ବିରାଟ କୋହଲୀଙ୍କ ସହ ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ରୁ ଅବସର ନେଇଛନ୍ତି । ଶ୍ରୀଲଙ୍କା ସିରିଜ୍ ପାଇଁ ଜାଡେଜାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । ଗୌତମ ଗମ୍ଭୀରଙ୍କ ଭିଜନରେ ୩୫ ବର୍ଷିୟ ଜାଡେଜାଙ୍କ ଗୁରୁତ୍ୱ ନଥିବା ଜଣାପଡୁଛି । ଜାଡେଜାଙ୍କ ସ୍ଥାନ ଅକ୍ଷର ପଟେଲ ନେଇଛନ୍ତି ।

ରିୟାନ ପରାଗ, ୱାସିଂଟନ ସୁନ୍ଦର ଓ ଶିବମ ଦୁବେଙ୍କ ଚୟନରୁ ଜଣାପଡୁଛି ଯେ, ଭାରତୀୟ ଦଳକୁ ମିଡିଲ ଅର୍ଡରରେ ଏମିତି କିଛି ବ୍ୟାଟର ଦରକାର ଯେଉଁମାନେ କି ବୋଲିଂ ବି କରିପାରୁଥିବେ । ରିୟାନ ପରାଗଙ୍କ ଚୟନ ନେଇ ଅସନ୍ତୋଷ ଦେଖାଦେଇଥିଲେ ମଧ୍ୟ ମିିଡିଲ ଅର୍ଡରରେ ବ୍ୟାଟିଂ ଓ ପାର୍ଟଟାଇମ ବୋଲିଂ ପାଇଁ ତାଙ୍କୁ ଭରସା କରିଛି ଚୟନ କମିଟି । ବାରମ୍ବାର ଫିଟନେସ ସମସ୍ୟା ଯଦି ନଥାନ୍ତା,ତାହା ହେଲେ ୱାସିଂଟନ ସୁନ୍ଦର ଆଗରୁ ହିଁ ଟିମ୍ ଇଣ୍ଡିଆର ହ୍ୱାଇଟବଲ୍ ଟିମରେ ସ୍ଥାୟୀ ସଦସ୍ୟ ରହିଥାନ୍ତେ । ଦିନିକିଆ ସିରିଜରୁ ଓହରିଯାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ନିଆଯାଇଥିବା ମନେ ହେଉଛି ।

ଋତୁରାଜ ଗାଏକ୍ୱାଡ ଓ ଅଭିଷେକ ଶର୍ମାଙ୍କୁ କୌଣସି ଦଳରେ ସ୍ଥାନ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି ବିସିସିଆଇ ଓ ଗୌତମ ଗମ୍ଭୀର ।

 

Comments are closed.