Latest Odisha News

BREAKING NEWS

ମୋଦି ହେବେ ଶାନ୍ତିଦୂତ ?

ନୂଆଦିଲ୍ଲୀ: ଋଷିଆ ପରେ ୟୁକ୍ରେନ ଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କ ସମ୍ଭାବ୍ୟ ୟୁକ୍ରେନ ଗସ୍ତ ନେଇ କୂଟନୈତିକ ମହଲରେ ଚର୍ଚ୍ଚା । ମାସକ ତଳେ ମୋଦି ଋଷିଆ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ । ନାଟୋ ସମ୍ମିଳନୀ ଚାଲିଥିବା ବେଳେ ଋଷିଆ ଗସ୍ତ କରିଥିଲେ ମୋଦି । ମୋଦିଙ୍କ ଗସ୍ତକୁ ସହଜରେ ଗ୍ରହଣ କରିପାରିନଥିଲେ ଆମେରିକା ଓ ୟୁକ୍ରେନ । ଅଗଷ୍ଟ ମାସରେ ୟୁକ୍ରେନ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସମ୍ଭାବ୍ୟ ୟୁକ୍ରେନ ଗସ୍ତ ନେଇ ଏବେ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା । ଋଷିଆର ସରକାରୀ ମିଡିଆ ଅନୁସାରେ ମୋଦି ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଯିବେ ।

ତେବେ ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଶେଷ ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟସ୍ଥତା ପ୍ରସ୍ତାବ ଦେଇପାରନ୍ତି । ଭାରତ, ଋଷିଆ ଓ ୟୁକ୍ରେନ ମଧ୍ୟରେ କଥାବାର୍ତ୍ତା ଉପରେ ଗୁରୁତ୍ୱ ଦେଇଆସିଛି । ଯୁଦ୍ଧ ପାଇଁ ଋଷିଆକୁ କେବେ ସମାଲୋଚନା କରିନାହିଁ ଭାରତ ।  ଭାରତର ଆଭିମୁଖ୍ୟରେ ଆମେରିକା ଓ ସହଯୋଗୀ ନିରାଶ ହୋଇଛନ୍ତି । ମୋଦି କୂଟନୈତିକ ସନ୍ତୁଳନ ପାଇଁ ନା ପ୍ରକୃତରେ ଶାନ୍ତି ମଧ୍ୟସ୍ଥତା ପ୍ରସ୍ତାବ ଦେବାକୁ ୟୁକ୍ରେନ ଯିବେ ? ଏ ନେଇ ଭାରତରେ ମିଶ୍ର ପ୍ରତିକ୍ରିୟା ରହିଛି ।

ମୋଦି ୟୁକ୍ରେନ ଗସ୍ତ କରି କ’ଣ ହାସଲ କରିବାକୁ ଚାହୁଁଛନ୍ତି ବୋଲି କିଛି ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । ଯଦି ମୋଦି ଯୁଦ୍ଧ ବିରତି ଚାହୁଁଛନ୍ତି, ତାହା ହେଲେ ଆମେରିକା ଉପରେ ବି ନଜର ରଖିବାକୁ ହେବ । ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯୁଦ୍ଧ ବିରତି ପାଇଁ ହେଉଥିବା ପ୍ରୟାସର ଗତିଶୀଳତା ନିର୍ଭର କରେ । କିଛି ବିଶେଷଜ୍ଞ ମୋଦିଙ୍କ ସମ୍ଭାବ୍ୟ ୟୁକ୍ରେନ ଗସ୍ତକୁ ସ୍ୱାଗତ କରିଛନ୍ତି   ବିଶ୍ୱ ରାଜନୀତିରେ ଭାରତର ଗୁରୁତ୍ୱ ବଢିଛି । ସ୍ୱାଧୀନ କୂଟନୀତି ଓ ବହୁଦେଶୀୟ ସଂପର୍କ ଉପରେ ଗୁରୁତ୍ୱ ଦେଇଆସିଛି ଭାରତ । ମୋଦି ଯଦି ୟୁକ୍ରେନ ଯାଆନ୍ତି, ତାହା ହେଲେ କିଛି ଭୁଲ୍ ନାହିଁ ।  ପୂର୍ବତନ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀଙ୍କ ମତ ଭିନ୍ନ । ପ୍ରଧାନମନ୍ତ୍ରୀ ଆମେରିକାର ଚାପରେ ୟୁକ୍ରେନ ଯାଉଛନ୍ତି ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।  ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଜି-୭ ସମ୍ମିଳନୀ ଅବସରରେ ଭେଟି ସାରିଛନ୍ତି ମୋଦି । ପୁଟିନଙ୍କୁ ମୋଦି ସାକ୍ଷାତ ପରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟାରେ କଡା ଆପତ୍ତି ପ୍ରକାଶ କରିଥିଲା ଭାରତ ।

 

 

Comments are closed.