ବରଗଡ: ପାର୍ବଣ ଋତୁରେ ସକ୍ରୀୟ ହେଲେଣି ଅପରାଧୀ । ସବୁଠି ଅପରାଧ ଓ ଅପରାଧୀଙ୍କ ଉପରେ ରଖାଯାଇଛି ତୀକ୍ଷ୍ନ ନଜର । ବରଗଡରେ ଏସପିଙ୍କ ତତ୍ୱାବଧାନରେ ଅପରାଧରେ ରୋକ ଲଗାଇବାକୁ ଚାଲିଥିବା ଅପରେସନ ସଫଳ ହୋଇଛି । ମଙ୍ଗଳବାର ବରଗଡ ରେଳଷ୍ଟେସନ ପାଖରେ ଚାଲିଥିବା ନିଶା କାରବାର ନେଇ ଡିଲିଂର ପର୍ଦ୍ଦାଫାଶ୍ କରିଛି ପୋଲିସ । ପାଟ୍ରୋଲିଂ ବେଳେ ଖବର ପାଇ ୫ଜଣ ଧଳାଜହର ବେପାରୀଙ୍କୁ କାବୁ କରିଛି ବରଗଡ ପୋଲିସ । ସେମାନଙ୍କ ଠାରୁ ୨୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଗୋଟିଏ ମୋଟରସାଇକେଲ୍ ଓ ନଗଦ ୧୦ହଜାର ଟଙ୍କା ଜବତ ହୋଇଛି । ବରଗଡ ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ୫ ନିଶା ବେପାରୀଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଗିରଫ ୫ଜଣଙ୍କ ମଧ୍ୟରେ ୩ଜଣ ପୂର୍ବରୁ ଅନେକ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ଥିବା ପୋଲିସ ସୂଚନା ଦେଇଛି ।
ଗିରଫ ୫ଜଣ ହେଲେ ସୁବାସ ନଗରର ମହମ୍ମଦ ଅନବର, ଡ୍ୟାମ୍ କଲୋନୀର ଚେତନ କୁମାର ଦାସ, ସୋହେଲାର ସୁଭମ ଆଚାର୍ଯ୍ୟ, ବିଶିପଡାର ରାଘବ ନାୟକ ଓ କଟକିଆପଡାର ଅମିତ ମଲ୍ଲିକ । ଏ ସମସ୍ତଙ୍କ ମଧ୍ୟରୁ ରାଘବ ନାୟକ ନାଁରେ ପୂର୍ବରୁ ୧୨ଟି ଲୁଟ୍ କେସ୍ ଥିବା ବେଳେ ଅମିତ ମଲ୍ଲିକ ନାଁରେ ଥିଲା ୱାରେଂଟ । ଧଳାଜହର ବେପାରୀଙ୍କୁ ଧରିବାକୁ ଯାଇ ପୂରୁଣା ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
