ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ବଡ଼ଧରଣର ପରିବର୍ତ୍ତନ ଅଣାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାର ସୁଯୋଗ ବୃଦ୍ଧି ତଥା ‘ପ୍ରୟାସ’ର ସୀମା ହଟାଇବା ନେଇ ଘୋଷଣା କରାଯାଇଛି। OCS ପରୀକ୍ଷା ପାଇଁ ସର୍ବାଧିକ ପ୍ରୟାସ ସୀମା (Attempt Limit) କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି, ଯାହା ରାଜ୍ୟର ଲକ୍ଷାଧିକ ସିଭିଲ୍ ସର୍ଭିସ୍ ଆଶାୟୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
ରାଜ୍ୟ ସରକାର ଓଡ଼ିଶା ସିଭିଲ୍ ସର୍ଭିସେସ୍ (ସମ୍ମିଳିତ ପ୍ରତିଯୋଗିତାମୂଳକ ନିଯୁକ୍ତି ପରୀକ୍ଷା) ନିୟମାବଳୀ, ୧୯୯୧ ରେ ଆବଶ୍ୟକୀୟ ସଂଶୋଧନ କରି ଏହି ପ୍ରୟାସ ସୀମାକୁ ଉଚ୍ଛେଦ କରିଛନ୍ତି। ପୂର୍ବରୁ ସାଧାରଣ ବର୍ଗ (General Category) ର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୬ ଥର ଏବଂ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ପ୍ରାର୍ଥୀଙ୍କ ପାଇଁ ୯ ଥର ପରୀକ୍ଷା ଦେବାର ସୀମା ରହିଥିଲା। ନୂଆ ନିୟମ ଅନୁଯାୟୀ, ପ୍ରାର୍ଥୀମାନେ ନିର୍ଦ୍ଧାରିତ ସର୍ବୋଚ୍ଚ ବୟସସୀମା ମଧ୍ୟରେ ଥିବା ପର୍ଯ୍ୟନ୍ତ ଯେତେଥର ଚାହିଁବେ ସେତେଥର ଏହି ପରୀକ୍ଷା ଦେଇପାରିବେ।
ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ ରହିଛି। ତେଣୁ ପ୍ରାର୍ଥୀମାନେ ୪୨ ବର୍ଷ ବୟସ ପୂରଣ ହେବା ପର୍ଯ୍ୟନ୍ତ ବିନା କୌଣସି ପ୍ରୟାସ କଟକଣାରେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇପାରିବେ। ଏହି ପଦକ୍ଷେପ ଦ୍ୱାରା ଯୋଗ୍ୟ ପରୀକ୍ଷାର୍ଥୀମାନଙ୍କୁ ଅଧିକ ଏବଂ ସମାନ ସୁଯୋଗ ମିଳିବା ସହ ମେଧା ଭିତ୍ତିକ ଚୟନ ପ୍ରକ୍ରିୟା ଆହୁରି ସୂଚାରୁରୂପେ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍ୱାଧୀନତା ଦିବସ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ଏହି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ କରାଯାଇଛି।
