Latest Odisha News

‘ମମତା ପ୍ରୀତି’ ପାଇଁ ଅଧୀରଙ୍କୁ ବଳି !

ନୂଆଦିଲ୍ଲୀ: କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଖୋଲା ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ଅଧୀର ରଂଜନ ଚୌଧୁରୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ କରିଛନ୍ତି ସମାଲୋଚନା । ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଅଧୀର ରଞ୍ଜନ । ଏବେ ଅଧୀରଙ୍କ ଇସ୍ତଫା ପତ୍ର ମଞ୍ଜୁର କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଅଧୀରଙ୍କ ଅଭିଯୋଗ ହେଲା ଯେ, ତାଙ୍କ ସହ ଉପଯୁକ୍ତ ବ୍ୟବହାର କରାଯାଇନାହିଁ । ଇସ୍ତଫା ଗ୍ରହଣ ହୋଇଥିବା ନେଇ ତାଙ୍କୁ କେହି ଜଣାଇନଥିବା କହି ପାର୍ଟି ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ଅଧୀର ।

କିଛି ଦିନ ତଳେ ରାଜ୍ୟ କଂଗ୍ରେସର ଏକ ବୈଠକରେ ଦଳର ରାଜ୍ୟ ପ୍ରଭାରୀ ଗୁଲାମ ଅଲ୍ଲୀ ମୀର ଅଧୀରଙ୍କୁ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭାବେ ସମ୍ବୋଧନ କରିଥିଲେ । ଏଆଇସିସି ନିର୍ଦ୍ଦେଶରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଭାବେ ବୈଠକ ଡାକିଥିଲେ ଅଧୀର । କିନ୍ତୁ ବୈଠକରେ ତାଙ୍କୁ ଦଳର ପୂର୍ବତନ ରାଜ୍ୟ ସଭାପତି ଭାବେ ସମ୍ବୋଧନ କରାଯାଇଥିଲା। ଏହି ବ୍ୟବହାର ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ଅଧୀର କହିଛନ୍ତି । ଏଥିସହ ମଲ୍ଲିକାର୍ଜୁନ ଖଡଗେଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଂଜନ । ଇସ୍ତଫା ଗ୍ରହଣ ହୋଇଥିବା ନେଇ କାହିଁକି ତାଙ୍କୁ ଜଣାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଧୀର ।

ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସଭାପତି ହେବା ଦିନଠୁ ଦେଶରେ ଦଳର ଅନ୍ୟସବୁ ପଦପଦବୀ ଅସ୍ଥାୟୀ ହୋଇଯାଇଛି। ଏପରିକି ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଭାବେ ତାଙ୍କ ପୋଷ୍ଟ ବି ଅସ୍ଥାୟୀ ଥିଲା ବୋଲି ଅଭିଯୋଗ କରିଛନ୍ତି ଅଧୀର । ଲୋକସଭା ନିର୍ବାଚନ ବେଳେ ଖଡଗେ ତାଙ୍କ ବିରୋଧରେ ମିିଡିଆରେ ଦେଇଥିବା ମନ୍ତବ୍ୟ ସଂପର୍କରେ ବି ମନେପକାଇ ଦେଇଛନ୍ତି ଅଧୀର । ଯଦି ଆବଶ୍ୟକ ହୁଏ, ଅଧୀରଙ୍କୁ ପଶ୍ଚିମବଙ୍ଗ ସଭାପତି ପଦରୁ ହଟାଯାଇପାରେ ବୋଲି ଖଡଗେ କହିଥିଲେ ।

ଅସଲ କଥା ହେଲା ଯେ, ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ କଂଗ୍ରେସ, ଶାସକ ଟିଏମସି ସହ ମେଂଟ କରିବାକୁ ଚାହୁଁଥିଲା । କିନ୍ତୁ ମମତା ବିରୋଧୀ ଅଧୀର ରଂଜନ ଟିଏମସି ସହ କୌଣସି ମେଂଟକୁ ବିରୋଧ କରିଥିଲେ । ଅଧୀର ରଂଜନଙ୍କ ଉଗ୍ର ମମତା ବିରୋଧୀ ଆଭିମୁଖ୍ୟ ଯୋଗୁଁ ଇଣ୍ଡି ମେଂଟରେ ଥାଇ ବି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିଥିଲା ଟିଏମସି । ବିପୁଳ ବିଜୟ ମଧ୍ୟ ହାସଲ କରିଥିଲା । ରାଜ୍ୟରେ କଂଗ୍ରେସ ସହ ମେଂଟ ହୋଇନପାରିବାରୁ ଅଧୀର ରଞ୍ଜନଙ୍କୁ ଦୋଷ ଦେଇଥିଲେ ମମତା ବାନାର୍ଜୀ ।

ମମତା ବାନାର୍ଜୀ ଇଣ୍ଡି ମେଂଟରେ ରହିବେ କି ନାହିଁ, ସେ ନିଷ୍ପତ୍ତି ନେବାର ଅଧିକାର ଅଧୀରଙ୍କ ନାହିଁ ବୋଲି ଲୋକସଭା ନିର୍ବାଚନ ବେଳେ ଖୋଲାଖୋଲି କହିଥିଲେ ମଲ୍ଲିକାର୍ଜୁନ ଖଡଗେ । ଏହା ସତ୍ତ୍ୱେ ଅଧୀର ରଞ୍ଜନଙ୍କ ମମତା ବିରୋଧୀ ସ୍ୱର ନରମ ପଡିନଥିଲା । ଯେଉଁ ଦଳ କଂଗ୍ରେସକୁ ଶେଷ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟରେ କ୍ଷମତାକୁ ଆସିଥିଲା, ସେହି ଦଳ ସହ କିପରି ମେଂଟ ହେବ ବୋଲି ପ୍ରଶ୍ନ କରିଥିଲେ ଅଧୀର । ଲୋକସଭା ନିର୍ବାଚନରେ ବରହମପୁର ଆସନରୁ ଟିଏମସି ପ୍ରାର୍ଥୀ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କଠରୁ ପରାସ୍ତ ହୋଇଥିଲେ ଅଧୀର । ଏବେ ପ୍ରଶ୍ନ ଉଠୁଛି ଯେ, ମମତା ପ୍ରୀତି ପାଇଁ ଅଧୀରଙ୍କୁ କୋଣଠେସା କରିବା କଂଗ୍ରେସକୁ ମହଙ୍ଗା ପଡିବନି ତ ?

Comments are closed.