Latest Odisha News

BREAKING NEWS

ରାଜ୍ୟସଭା ପାଇଁ ‘ଖେଲା’ ଆରମ୍ଭ କଲା କି ବିଜେପି? ପ୍ରମିଳା କହିଲେ ବିଜେଡି ମଜବୁତ ଅଛି

ଭୁବନେଶ୍ୱର: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଆସନ କମିଥିଲେ ହେଁ ଓଡ଼ିଶାରେ ଦଳର ନିର୍ବାଚିତ ସାଂସଦଙ୍କ ସଂଖ୍ୟା କେନ୍ଦ୍ରରେ ସରକାର ଗଢ଼ିବାରେ ବଡ଼ ଭୂମିକା ନେଇଛି। ବିଜେପି କେବଳ ଓଡ଼ିଶାର ଲୋକସଭା ଆସନ ଜିତିନି ବରଂ ବିଧାନସଭାରେ ପ୍ରଥମ ଥର ପାଇଁ କ୍ଷମତାର ସିଂହାସନ ମଧ୍ୟ ବସିଛି। କିନ୍ତୁ ରାଜ୍ୟସଭାରେ ଦଳର ସଂଖ୍ୟା କମ୍ ରହିଛି।

ବିଜେଡି ନେତ୍ରୀ ମମତା ମହନ୍ତ ରାଜ୍ୟସଭା ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ମମତା ମହନ୍ତଙ୍କ ଇସ୍ତଫାକୁ ମଧ୍ୟ ରାଜ୍ୟସଭା ଅଧ୍ୟକ୍ଷ ତୁରନ୍ତ ଗ୍ରହଣ କରିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ବିଜେପିର ଏକ ରାଜନୈତିକ ଷଡ଼ଯନ୍ତ୍ର ଭାବେ ବିବେଚନା କରାଯାଉଛି । ମମତା ମହନ୍ତ ୨୦୨୦ରେ ରାଜ୍ୟସଭା ସାଂସଦ ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୨୦୨୬ରେ ଶେଷ ହେବାର ଥିଲା, କିନ୍ତୁ ଦୁଇ ବର୍ଷ ତଳୁ ସେ ଇସ୍ତଫା ଦେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ବିଜେପିକୁ ସିଧାସଳଖ ଫାଇଦା ମିଳିବା ନିଶ୍ଚିତ।

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ସିଧାସିଧା କହିଛନ୍ତି, ଜଣେ ନେତାଙ୍କୁ ରାଜ୍ୟସଭା ପଠାଇବା ପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର। କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ରହିଛି। ଦଳ ମଜବୁତ ଅଛି ବୋଲି ଦାବି କରିଛନ୍ତି। ମୟୂରଭଞ୍ଜରେ ଦଳର କୌଣସି କନ୍ଦଳ ନାହିଁ ବୋଲି ପ୍ରମିଳା କହିଛନ୍ତି।

ମମତା ମହନ୍ତଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଆସନକୁ ନେଇ ଯଦି ଏବେ ନିର୍ବାଚନ ହେବ, ତେବେ ବିଧାନସଭାରେ ସଭ୍ୟ ସଂଖ୍ୟାର ହିସାବରେ ଏହି ଆସନ ବିଜେପି ହାତକୁ ଯିବ। ଓଡ଼ିଶାରୁ ମୋଟ ୧୦ ଜଣ ରାଜ୍ୟସଭା ସାଂସଦ ଅଛନ୍ତି। ଯଦିଓ ରାଜ୍ୟରେ ବିଜେପି କ୍ଷମତାରେ ଅଛି, କିନ୍ତୁ ଓଡ଼ିଶାରୁ ବିଜେପି ଖାତାରେ ମାତ୍ର ଜଣେ ରାଜ୍ୟସଭା ସାଂସଦ ଅଛନ୍ତି, ବାକି ମାନେ ବିଜୁ ଜନତା ଦଳ ନେତା। କିନ୍ତୁ ଏବେ ନିର୍ବାଚନ ହେବ, ସଂଖ୍ୟା ଆଧାରରେ ବିଜେପି ଓଡ଼ିଶାରୁ ଅନେକ ସାଂସଦଙ୍କୁ ରାଜ୍ୟସଭାକୁ ପଠାଇବାରେ ସକ୍ଷମ ହେବ।

ମମତାଙ୍କ ଇସ୍ତଫା, ରାଜ୍ୟ ବିଜେପି ପାଇଁ ଗେମ୍ ଚେଞ୍ଜର

ଏଭଳି ସ୍ଥିତିରେ ମମତା ମହନ୍ତଙ୍କ ଇସ୍ତଫାକୁ ଓଡ଼ିଶାରେ ବିଜେପି ପାଇଁ ଗେମ୍ ଚେଞ୍ଜର ଭାବେ ବିବେଚନା କରାଯାଉଛି। ଆଗାମୀ ଦିନରେ ସେ ମଧ୍ୟ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଏବେ ପ୍ରଶ୍ନ ଉଠୁଛି ଏହି ଇସ୍ତଫା ପଛର କାରଣ କ’ଣ ହୋଇପାରେ। ବାସ୍ତବରେ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ଅତିକ୍ରମ ନ କରି ଏନଡିଏ ଆଧାରରେ ସରକାର ଗଠନ କରିଛି ବିଜେପି । ଏବେ ଲୋକସଭାରେ ସଂଖ୍ୟା ଗରିଷ୍ଠତା ଥିବା ବେଳେ ରାଜ୍ୟସଭାରେ ଆସନ ଆଧାରରେ ଅଚଳାବସ୍ଥା ଲାଗି ରହିଛି।

ସଂଖ୍ୟା ଗଣିତ ବିଜେପିକୁ ଚିନ୍ତା?

ରାଜ୍ୟସଭାରେ ସମୁଦାୟ ସଦସ୍ୟ ସଂଖ୍ୟା ୨୪୫, କିନ୍ତୁ ବର୍ତ୍ତମାନର ସାଂସଦଙ୍କ ସଂଖ୍ୟା ୨୨୫, ତେଣୁ ଏହି ଦୃଷ୍ଟିରୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ସଂଖ୍ୟା ୧୧୩ ରେ ପହଞ୍ଚିଛି। ରାଜ୍ୟସଭାରେ ବିଜେପିର ମୋଟ ୮୬ ଜଣ ସାଂସଦ ଅଛନ୍ତି। ଯଦି ଆପଣ ଏନଡିଏର ସହଯୋଗୀଦଳକୁ ମିଶାଇବେ ତେବେ ଏହି ସଂଖ୍ୟା ୧୦୧ରେ ପହଞ୍ଚିବ । ଅର୍ଥାତ୍ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ ବିଜେପି ବହୁତ ପଛରେ ରହିଛି। ଯଦି ରାଜ୍ୟସଭାରେ ମଧ୍ୟ ବିଜେପିକୁ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡ଼ିବ, ତେବେ ଓଡ଼ିଶାରୁ ଆସନ ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ବିରୋଧୀଙ୍କ ସଂଖ୍ୟା ଦେଖି ବିଜେପି ଚିନ୍ତିତ?

ବିରୋଧୀ ଦଳ ଇଣ଼୍ଡିଆ ମେଂଟର ଶିବିର ବିଷୟରେ କହିବାକୁ ଗଲେ ରାଜ୍ୟସଭାରେ ସେମାନଙ୍କର ୮୭ ଟି ଆସନ ରହିଛି । ସେଥିମଧ୍ୟରୁ କଂଗ୍ରେସର ୨୬, ତୃଣମୂଳ କଂଗ୍ରେସର ୧୩, ଆମ୍ ଆଦମୀ ପାର୍ଟି ଓ ଡିଏମକେର ୧୦-୧୦ ଆସନ ଥିବା ବେଳେ ବାକି ଆସନ ବାକି ସହଯୋଗୀ ଦଳର। ଇଣ୍ଡିଆ ଏବଂ ଏନଡିଏ ଗୋଷ୍ଠୀ ବ୍ୟତୀତ ବାକି ଥିବା ଆସନଗୁଡ଼ିକ ସେହି ଦଳଗୁଡ଼ିକର ଅଟେ ଯେଉଁମାନେ ଏହି ଦୁଇ ମେଣ୍ଟ ସହିତ ହାତ ମିଳାଇ ନାହାନ୍ତି।

ତେବେ ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ଇଣ଼୍ଡିଆ ମେଣ୍ଟରେ ଯୋଡି ହେବାର ସମ୍ଭାବନା ରହିଛି । ୧୧ ଜଣ ସାଂସଦ ଥିବା ଏହି ଦଳ ଯଦି ବିରୋଧୀ ମେଣ୍ଟରେ ସାମିଲ ହୁଏ, ତେବେ ରାଜ୍ୟସଭାରେ ବିରୋଧୀ ଦଳ ବହୁତ ଶକ୍ତିଶାଳୀ ହେବ। ଏହାର ଜବାବରେ ବିଜେପି ରାଜ୍ୟସଭାରେ କିଭଳି ଶକ୍ତିଶାଳୀ ହେବ ସେ ନେଇ ଜୋରଦାର ରଣନୀତି କରୁଥିବା କୁହାଯାଉଛି।

Comments are closed.