Latest Odisha News

BREAKING NEWS

ସାବଧାନ୍ ! ଆସିଲେଣି ବାଂଲାଦେଶୀ

ଭୁବନେଶ୍ବର: ବାଂଲାଦେଶରେ ଅସ୍ଥିରତା, ଆଲର୍ଟରେ ଓଡିଶା । ପଡ଼ୋଶୀ ଦେଶରେ ହିଂସା ଓ ରାଜନୈତିକ ସଂକଟ ମଧ୍ୟରେ ବହୁସଂଖ୍ୟାରେ ବାଂଲାଦେଶୀ ନିଜ ଦେଶ ଛାଡି ଭାରତ ସୀମାରେ ଅନୁପ୍ରବେଶ କରିବା ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରେ ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ଧରି ଫେରାର ହୋଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବି ରହିଛନ୍ତି । ତେଣୁ ଜଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛି । ପାଟ୍ରୋଲିଂ ବଢାଇବା ସହ ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଥିବା ପୋଲିସ ଡିଜି କହିଛନ୍ତି । ତଟବର୍ତ୍ତୀ ଅଞ୍ଚଳରେ ଯେଉଁଠି ବି ଅନୁପ୍ରବେଶ ଆଶଙ୍କା ରହିଛି, ସେଠାରେ ତୀକ୍ଷଣ ନଜର ରଖାଯାଇଛି ।

ଓଡିଶାରେ ପଶିଯିବେ ବାଂଲାଦେଶୀ !
ପଡ଼ୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଓଡିଶାକୁ ଜଳପଥରେ ଅନୁପ୍ରବେଶ ନେଇ ଆଶଙ୍କା ରହିଛି । ଦେଶରେ ବ୍ୟାପକ ହିଂସା ଦେଖାଦେଇଥିବା ବେଳେ ଆଶ୍ରୟ ନେବାକୁ ଭାରତ ସୀମାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟକୁ ଉଭୟ ଜଳପଥ ଓ ସଡକ ପଥରେ ଅନୁପ୍ରବେଶ କରିଥାନ୍ତି ବାଂଲାଦେଶୀ । ରାଜ୍ୟର ମୋଟ୍ ସାମୁଦ୍ରିକ ତଟରେଖା ୪୮୦ କିଲୋମିଟର । ବାଲେଶ୍ବରର ୯୦କିଲୋମିଟର ତଟରେଖା ଦେଇ ସର୍ବାଧିକ ବାଂଲାଦେଶୀ ଆସିଥାନ୍ତି । ସେହିପରି ସ୍ଥଳପଥରେ ପଶ୍ଚିମବଙ୍ଗ ଦେଇ ଓଡିଶାରେ ଅନୁପ୍ରବେଶ କରିଥାନ୍ତି ବାଂଲାଦେଶୀ । ତେଣୁ ସବୁ ପ୍ରବେଶ ପଥ ଉପରେ କଡା ନଜର ରଖାଯାଇଛି ।

ବାଂଲାଦେଶୀଙ୍କ ପାଇଁ ଆଲର୍ଟରେ ଉପକୂଳ
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଥିବା ପୋଲିସ ଡିଜି କହିଛନ୍ତି । ସମୁଦ୍ର ପଥରେ ବୋଟ୍ ଯୋଗେ ଅନୁପ୍ରବେଶକାରୀ ଆସିବା ଆଶଙ୍କା ରହିଛି । ପାଟ୍ରୋଲିଂ ବଢାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆାଇଛି । ବିଶେଷ ଭାବେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡାର ୯ଟି ସାମୁଦ୍ରିକ ଥାନାକୁ ଆଲର୍ଟ କରାଯାଇଛି। ସମୁଦ୍ରରେ ୫ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍ ଓ ସହଯୋଗ ଯୋଗାଇ ଦିଆଯାଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୬ ଉପକୂଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ମତ୍ସ୍ୟଜୀବୀ ରହୁଥିବା ତଟବର୍ତ୍ତୀ ଅଞ୍ଚଳରେ ବି ଆଲର୍ଟ ଜାରି ହୋଇଛି । ଗୁଇନ୍ଦା ବିଭାଗକୁ ବି ଆଲର୍ଟ କରାଯାଇଥିବା ପୋଲିସ ଡିଜି କହିଛନ୍ତି ।
ବାଇଟ୍- ଅରୁଣ ଷଡ଼ଙ୍ଗୀ, ପୋଲିସ ଡିଜି

କାହିଁକି ଅନୁପ୍ରବେଶକାରୀଙ୍କ ପାଇଁ ଆଲର୍ଟ?
ବାଂଲାଦେଶରେ ହିଂସା ବେଳେ ଶେରପୁର ଜିଲ୍ଲା ଜେଲରୁ ୫ଶହରୁ ଅଧିକ ଅପରାଧୀ ଅସ୍ତ୍ରଶସ୍ତ୍ର ସହ ଫେରାର ହୋଇଛନ୍ତି । ସେମାନେ ବାଂଲାଦେଶରୁ ସମୁଦ୍ର ପଥରେ ଓଡିଶାକୁ ପ୍ରବେଶ ପାଇଁ ଉଦ୍ୟମ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ରାଜ୍ୟକୁ ବାଂଲାଦେଶୀ ଅପରାଧୀ ଯେପରି ଅନୁପ୍ରବେଶ ନକରିବେ ସେଥିପାଇଁ ଆଲର୍ଟ ଜାରି କରାଯାଇଛି । କେବଳ ଅପରାଧୀ ନୁହନ୍ତି ରାଜନୈତିକ ଅସ୍ଥିରତାକୁ ନେଇ ଅନେକ ସାଧାରଣ ଜନତା ବି ବାଂଲାଦେଶରୁ ପଳାୟନ କରୁଥିବା ସୂଚନା ମିଳିଛି । ଓଡିଶାରେ ବସବାସ କରୁଥିବା ବାଂଲାଦେଶୀଙ୍କ ସଂପର୍କୀୟ କିମ୍ବା ଜେଲରୁ ଫେରାର ଅପରାଧୀ ମାଛଧରା ବୋଟରେ ସମୁଦ୍ରପଥ ଦେଇ ରାଜ୍ୟକୁ ପ୍ରବେଶ କରିବା ନେଇ ଆଶଙ୍କା କରାଯାଉଛି ।

ଓଡିଶାରେ ଅନୁପ୍ରବେଶକାରୀ ସମସ୍ୟା
ରାଜ୍ୟରେ ସରକାରୀ ତଥ୍ୟ ଅନୁସାରେ ମୋଟ୍ ୩ହଜାର ୯୮୭ ବାଂଲାଦେଶୀ ବସବାସ କରୁଛନ୍ତି । ଏହାମଧ୍ୟରୁ ସର୍ବାଧିକ କେନ୍ଦ୍ରାପଡାରେ ୧୬ଶହ ୪୯ ରହିଥିବା ବେଳେ ପାରାଦୀପରେ ୧୧ଶହ ୧୨ଜଣ ଅନୁପ୍ରବେଶକାରୀ ରହିଛନ୍ତି । ୨୦୦୫ରେ କେନ୍ଦ୍ରାପଡାରେ ୧୫ଶହ ୫୧ଜଣ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ଦେଶାନ୍ତର ନୋଟିସ୍ ଦିଆଯାଇଥିଲା । ତେବେ ସେହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନଥିବା ବେଳେ ଦିନକୁ ଦିନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଭୋଟ୍ ରାଜନୀତି ପାଇଁ ରାଜନୈତିକ ଦଳ ଅନୁପ୍ରବେଶକାରୀ ସମସ୍ୟା ନେଇ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଆସୁଛି । ଏପରିକି ଆସାମ ଭଳି କେନ୍ଦ୍ରାପଡାରେ ଏନଆରସି ଲାଗୁ ପାଇଁ ବି ଚର୍ଚ୍ଚା ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.