Latest Odisha News

BREAKING NEWS

ଆସନ୍ତାକାଲି କୃଷି ଭବନରେ ପାଳନ ହେବ “ଜାତୀୟ ମହାକାଶ ଦିବସ”

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ । ଚନ୍ଦ୍ରପୃଷ୍ଠରେ ଭାରତ ‘ଚନ୍ଦ୍ରଯାନ-୩’ ଅବତରଣ କରାଇବାରେ ସଫଳ ହୋଇଥିବାରୁ ଅଗଷ୍ଟ ୨୩ ତାରିଖକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଚନ୍ଦ୍ରରେ ଅବତରଣ କରିଥିବା ଚତୁର୍ଥ ରାଷ୍ଟ୍ର ଏବଂ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ପ୍ରଥମ ଦେଶ ହୋଇଥିଲା ଭାରତ। ଏହି ଏତିହାସିକ ମିଶନର ଫଳାଫଳ ଆଗାମୀ ପିଢି ପାଇଁ ଲାଭଦାୟକ ହେବ। ଏଣୁ ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳନ ହେବ ‘ଜାତୀୟ ମହାକାଶ ଦିବସ’। ଏଥି ସହିତ ‘ଚନ୍ଦ୍ରଯାନ-୩’ର ‘ମୁନ୍‌ ଲାଣ୍ଡର୍‌’ ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଥିଲା ସେ ସ୍ଥାନର ନାଁ ‘ଶିବଶକ୍ତି’, ‘ଚନ୍ଦ୍ରଯାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍‌-ଲ୍ୟାଣ୍ଡିଙ୍ଗ୍‌ କରିଥିଲା ସେ ସ୍ଥାନର ନାଁ ‘ତ୍ରିରଙ୍ଗା’ ବୋଲି ଘୋଷଣା କରିଥିଲେ ମୋଦୀ ।

ଏହି ଉପଲକ୍ଷେ ଆସନ୍ତାକାଲି ନୂଆଦିଲ୍ଲୀର କୃଷି ଭବନରେ “ଜାତୀୟ ମହାକାଶ ଦିବସ” କରାଯିବା । ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ତଥା ପଞ୍ଚାୟତ ମନ୍ତ୍ରୀ ଶ୍ରୀ ରାଜୀବ ରଂଜନ ସିଂ ଯୋଗ ଦେବେ । ତାଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଚନ୍ଦ୍ରଯାନ-୩ ମିଶନର ଉଲ୍ଲେଖନୀୟ ସଫଳତାକୁ ସ୍ମରଣ କରିବା ପାଇଁ ମତ୍ସ୍ୟ ବିଭାଗ ଡକ୍ଟର ଅଭିଲଖ ଲିଖୀଙ୍କ ନିର୍ଦ୍ଦେଶନାରେ ଉପକୂଳବର୍ତ୍ତୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ “ମତ୍ସ୍ୟ ବିଭାଗରେ ସ୍ପେସ୍ ଟେକ୍ନୋଲୋଜିର ପ୍ରୟୋଗ” ଉପରେ ଏକ ସେମିନାର ଏବଂ ପ୍ରଦର୍ଶନ ଆୟୋଜନ କରାଯାଇଛି। ଏହି ସେମିନାର ଏବଂ ପ୍ରଦର୍ଶନଗୁଡିକ ୧୮ ଟି ସ୍ଥାନରେ ଆୟୋଜିତ ହେବ । ଯେଉଁଥିରେ ମତ୍ସ୍ୟ ବିଭାଗରେ ସ୍ପେସ୍ ଟେକ୍ନୋଲୋଜି – ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ସମୀକ୍ଷା, ଯୋଗାଯୋଗ ଏବଂ ନାଭିଗେସନ୍ ସିଷ୍ଟମ୍, ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣ ଏବଂ ମତ୍ସ୍ୟ କ୍ଷେତ୍ରର ଉନ୍ନତି ଉପରେ ଏହାର ପ୍ରଭାବ ପରି ଅନେକ ବିଷୟ ସାମିଲ ରହିଛି ।

Comments are closed.