Latest Odisha News

ବୁଲବୁଲ୍ ବାତ୍ୟାରେ ୬ଟି ଜିଲ୍ଲାର ଚାଷଜମି ନଷ୍ଟ ହୋଇଛି: ଏସଆରସି

ଭୁବନେଶ୍ୱର: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିନଶନର୍ (ଏସଆରସି) ପ୍ରଦୀପ ଜେନା ରବିବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ଓଡ଼ିଶାର ୬ଟି ଜିଲ୍ଲା ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲାରେ ଚାଷଜମି ନଷ୍ଟ ହେବା ସହିତ ଧାନଫସଲର ଅଧିକ ମାତ୍ରାରେ କ୍ଷୟକ୍ଷତି ଘଟିଛି ।

“ଶନିବାର ଦିନ ବୁଲବୁଲ୍ ବାତ୍ୟା ପ୍ରଭାବରେ ଓଡ଼ିଶାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି । ସେଥିମଧ୍ୟରୁ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଧାନଫସଲ ନଷ୍ଟ ହୋଇଛି । ସେହିପରି ଭାବେ ୫,୫୦୦ଟି ଗୃହ ଆଂଶିକ ଭାବେ ଭାଙ୍ଗିଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିଥିବା ଘର କମ୍ ରହିଛି,” ବୋଲି ସ୍ୱତନ୍ତ୍ର ରିଲିଫ କମିନଶନର୍ (ଏସଆରସି) ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।

“ଏହି ବାତ୍ୟାରେ ଅଧିକମାତ୍ରାରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଯୋଗୁଁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସରବରାହ ଚ୍ଛିନ୍ନ ହୋଇଛି । ବଡ଼ ବଡ଼ ଗଛ ରାସ୍ତା ଉପରେ ପଡ଼ିଥିବା ଯୋଗୁଁ ରାସ୍ତା ଅବରୋଧ ହୋଇ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତେବେ ଓଡ୍ରାଫ ଏବଂ ଏନଡ଼ିଆରଏଫ ଟିମର ଉଦ୍ଧାରକାରୀ ଦଳଙ୍କ ଉଦ୍ୟମ ଯୋଗୁଁ ଏହା ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି,” ବୋଲି ଏସଆରସି କହିଛନ୍ତି ।

ତେବେ ଧାମରା, ବାସୁଦେବପୁର, ରାଜକନିକା ଏବଂ ରାଜନଗରରେ ଅନେକ ଚାଷଜମି ଜଳମଗ୍ନ ରହିଛି । “କେତେକ ଅଞ୍ଚଳ ଜଳମଗ୍ନ ରହିଥିବା ଯୋଗୁଁ ବିଦ୍ୟୁତ ଖୁଣ୍ଟ ସଜଡ଼ା ହୋଇପାରିନାହିଁ, ତେବେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଏହିସବୁ ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ସ୍ୱାଭାବିକ ଭାବେ ଫେରିଆସିବ,” ବୋଲି ଶ୍ରୀ ଜେନା କହିଛନ୍ତି ।

ତେବେ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଫଳରେ ରବିବାର ସନ୍ଧ୍ୟା ସୁଦ୍ଧା ୯୫ ପ୍ରତିଶତ ବିଦ୍ୟୁତ ସରବରାହ ସମାଧାନ ହୋଇପାରିଛି ବୋଲି ସେ କହିଛନ୍ତି ।

“ବିଦ୍ୟୁତ ଚ୍ଛିନ୍ନ ହୋଇଥିବାରୁ କେତେକ ସ୍ଥାନରେ ଏହି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାଘାତ ଘଟିଛି । ତେଣୁ ବିଦ୍ୟୁତ ସରବରାହ ଚାଲିବା ପରେ ସେହିସବୁ ସ୍ଥାନରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଛି,” ଏହା କହିଛନ୍ତି ଶ୍ରୀ ଜେନା ।

Comments are closed.