Latest Odisha News

BREAKING NEWS

ପ୍ରସଙ୍ଗ ପ୍ରସ୍ତୁତ; କମ୍ପିବ ବିଧାନସଭା

ଭୁବନେଶ୍ୱର: ଅଗଷ୍ଟ ୨୦ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତଥର ଭଳି ଏଥର ବି କମ୍ପିବ ବିଧାନସଭା । ଶାସକ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ହାତରେ ପ୍ରସଙ୍ଗର ଲମ୍ବା ତାଲିକା । ଗତଥର ଓଡିଆ ଅସ୍ମିତା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗରେ ବିଜେପିକୁ ଆଟାକ୍ ପରେ ଆଟାକ୍ କରିଥିଲା ବିଜେଡି । କଂଗ୍ରେସ ବି କେନ୍ଦ୍ର ବଜେଟ୍ ଓ ପୋଲାଭରମ୍ ପ୍ରକଳ୍ପ କଥା ଉଠାଇ ମାରିଥିଲା ବାଣ । ଏଥର ବି ଉଭୟ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ । ବିଜେପିର ଭତ୍ତା ଭେଳିକି ହେଉ କି ଆଳୁ ସଂକଟ, ପୋଲାଭରମ ହେଉ କି କଳିଙ୍ଗ ପୁରସ୍କାର, ଏଥର ସରଗରମ ହେବ ବିଧାନସଭା ।

ପୋଲାଭରମ୍ ପ୍ରକଳ୍ପ ବଢିବ ତାତି

ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପକୁ ନେଇ ଏଥର ସରଗରମ ହୋଇପାରେ ବିଧାନସଭା । ପ୍ରକଳ୍ପକୁ ନେଇ ପ୍ରଥମେ ବିଜେଡି ଓ ପରେ କଂଗ୍ରେସ ଟିମ୍ ବିରୋଧର ସ୍ୱର ଜୋରଦାର କରିଛି । ପୋଲାଭରମ ପାଇଁ କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳ ବୁଲି ବିଜେଡି ଟିମ୍ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛିା ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଏକ ଟିମ୍ ସୀମାନ୍ତ ମୋଟୁ ଅଞ୍ଚଳ ଗସ୍ତ କରିଥିଲେ । ପ୍ରକଳ୍ପ ପାଇଁ କେତେ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ସେନେଇ ଅନୁଧ୍ୟାନ କରିଛି ଟିମ୍ । ତେଣୁ ଉଭୟ ଦଳ ନିଶ୍ଚୟ ପ୍ରସଙ୍ଗ ଉଠାଇ ତଥ୍ୟ ପ୍ରମାଣ ସହ ସରକାରଙ୍କୁ ଗୃହରେ ଘେରିବେ ।

ଆଳୁ ସଂକଟ; ଗର୍ଜିବେ ବିରୋଧୀ

ପ୍ରାୟ ମାସେ ଧରି ରାଜ୍ୟରେ ଲାଗି ରହିଲା ଆଳୁ ସଂକଟ । ନା ଦର କମିଲା ନା ଚାହିଦା ମେଣ୍ଟିଲା । ବର୍ଷ ବର୍ଷ ଧରି ଓଡିଶାକୁ ଆଳୁ ଯୋଗାଉଥିବା ପଶ୍ଚିମବଙ୍ଗ ସରକାର ବି ରାଜନୈତିକ ସ୍ଥିତି ପାଇଁ ମୁହଁ ମୋଡିଦେଲେ । ୟୁପି, ପଞ୍ଜାବରୁ ଆଳୁ ଆଣି ରାଜ୍ୟରେ ପହଞ୍ଚାଇବାକୁ ବିଜେପି ସରକାର ଯେତେ କହିଲେ ବି ବଜାରରେ ଆଳୁ ପହଞ୍ଚିପାରିଲାନି । ଅଧିକ ଦରରେ ଆଳୁ କିଣି ଲୋକେ ହଇରାଣ ହେଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ସଂକଟ ବେଳେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଲେ । ଶେଷରେ ମୁଖ୍ୟମନ୍ତ୍ରୀ ଦିଦିଙ୍କ ସହ କଥା ହେବା ପରେ ଆପାତତଃ ସଂକଟ ଟଳିଛି । ହେଲେ ଦରଦାମ୍ ବୃଦ୍ଧିକୁ ନେଇ ବିରୋଧୀ ବିଜେପି ସରକାରକୁ କାଠଗଡାକୁ ଟାଣିପାରନ୍ତି।

ଭତ୍ତା ଭରସା ପ୍ରତାରଣା ରାଜନୀତି

ନିର୍ବାଚନ ବେଳେ ବିଜେପି ସମସ୍ତଙ୍କୁ ୩ହଜାର ଟଙ୍କା ଭତ୍ତା ଦେବାକୁ କହିଥିବା ବେଳେ ଏବେ ୮୦ବର୍ଷରୁ ଅଧିକଙ୍କୁ ଦେବାକୁ ଘୋଷଣା କରିଛନ୍ତି ସରକାର । ଏହାକୁ ନେଇ ବିଜେଡି ଗାଁ ଗାଁରେ ଲୋକଙ୍କୁ ସରକାରଙ୍କ ପ୍ରତାରଣା କଥା କହୁଛି । ଲୋକେ ବି ଅସନ୍ତୋଷ ଜାହିର କରୁଛନ୍ତି । ତେଣୁ ବିଧାନସଭାରେ ବି ଭତ୍ତାକୁ ପ୍ରସଙ୍ଗ କରିପାରେ ବିଜେଡି । ଲୋକଙ୍କ ଅସନ୍ତୋଷକୁ ନିଜ ସପକ୍ଷରେ ଭୋଟରେ ପରିଣତ କରିବାକୁ ଗୋଟି ଚଳାଇପାରେ । ଆଉ ଏହି ପ୍ରସଙ୍ଗରେ କଂଗ୍ରେସ ବି ବିଜେଡି ସହ ସ୍ୱର ମିଳାଇପାରେ ।

ପ୍ରସଙ୍ଗର ନାଁ କଳିଙ୍ଗ ପୁରସ୍କାର 

କଳିଙ୍ଗ ପୁରସ୍କାର ଅନୁଦାନ ବନ୍ଦ କରିବାକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ନବୀନ । ପୁରସ୍କାରକୁ ଓଡିଆ ସ୍ୱାଭିମାନ ଓ ଅସ୍ମିତା ସହ ଯୋଡି କେନ୍ଦ୍ର ବିଜେପି ସରକାର ସହ ରାଜ୍ୟ ସରକାରଙ୍କୁ ଏକା ସାଙ୍ଗରେ କାଠଗଡାକୁ ଟାଣିଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ପୁରସ୍କାର ଆରମ୍ଭ କରିଥିଲେ । ତେଣୁ ପୁରସ୍କାର ପ୍ରସଙ୍ଗ ବିଧାନସଭାରେ ଉଠାଇପାରେ ବିଜେଡି ।

ଗେମଚେଞ୍ଜର ବନାମ ନେମଚେଞ୍ଜର

ପୂର୍ବ ବିଜେଡି ସରକାରର ବିଭିନ୍ନ ବିକାଶମୂଳକ ଯୋଜନାକୁ ନାଁ ବଦଳାଇ ଲାଗୁ କରୁଛନ୍ତି ବିଜେପି ସରକାର । ବିଏସକେୱାଇ ହୋଇଛି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ତ ଆହାର ହୋଇଛି ଶ୍ରୀଅନ୍ନ। ତେଣୁ ବିଜେପି ସରକାରକୁ ନେମଚେଞ୍ଜର ସରକାର କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନକୁ ନେଇ ଏଥର ଗୃହ ହୁଲସ୍ତୁଲ ହୋଇପାରେ।

Comments are closed.