Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ ମାମଲାରେ ତଦନ୍ତ କରିବେ ଆରଡିସି, ୨ ମାସ ମଧ୍ୟରେ ଆସିବ ରିପୋର୍ଟ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ଚିକିଟି ମଦ ମୃତ୍ୟୁକୁ ନେଇ ଆସିଲା ବଡ଼ ସୂଚନା। ଏହି ମାମଲାରେ ଆରଡିସି ସ୍ତରୀୟ ତଦନ୍ତ ହେବ। ୨ ମାସ ମଧ୍ୟରେ ରିପୋର୍ଟ ଆସିବ। ଚୋରା ମଦ ବନ୍ଦ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଅବକାରୀ ମନ୍ତ୍ରୀ କହିଛନ୍ତି, ବେଆଇନ ମଦ କାରବାରକୁ ଭାଙ୍ଗିକି ଚୁରମାର କରିଦିଆଯିବ। ୨୧୭ଟି ଚିହ୍ନଟ ହୋଇଥିବା ବେଆଇନ ଭାଟି ଭଙ୍ଗାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟବାସୀଙ୍କୁ ଆଶ୍ଵସନା ଦିଆଯାଉଛି କୌଣସି ବେଆଇନ ମଦ ଭାଟି ରହିବ ନାହିଁ। ଅବକାରୀ ଇନ୍ସପେକ୍ଟର, ଜଣେ ଅଧିକାରୀଙ୍କୁ ଏହି ଘଟଣାରେ ନିଲମ୍ବନ କରାଯାଇଛି। ଅବକାରୀ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି ମଧ୍ୟ କରାଯାଇଛି।

ଗତ ୨୦ ତାରିଖରୁ ରାଜ୍ୟସାରା ବିଷାକ୍ତ ମଦ ଭାଟି ରେଡ କରାଯାଉଛି। ଯେଉଁଠି ମଦ ଭାଟି ରହିଛି, ସେଠାରେ ବୁଲଡୋଜର ମାଧ୍ୟମରେ ସେଗୁଡିକ ନଷ୍ଟ କରାଯାଉଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ। ଏହି ଘଟଣା ପରେ ଅବକାରୀ ବିଭାଗ ବିକ୍ରି ମଦର ଗୁଣାବତ୍ତା ପରଖିବା ପାଇଁ ଗତ ମଙ୍ଗଳବାର ଠାରୁ ରାଜ୍ୟବ୍ୟାପୀ ୭ ଦିନିଆ ଚଢାଉ ଜାରି କରିଛି । ଏଯାବତ ଏଥିରେ ୨୦୩ଟି ମାମଲା ରୁଜୁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ୧୧୭ ଜଣଙ୍କୁ ଗିରଫ କରିଛି ପୋଲିସ୍ ତଥା ଅବକାରୀ ବିଭାଗ । ଏଥିସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦ ହଜାର ୩୮୦ ଲିଟର ମଦ ଜବତ କରିଛି ।

ସୂଚନା ଥାଉକି, ଆଜି ବିଧାନସଭା ଆରମ୍ଭରୁ ମଦମୃତ୍ୟୁ ପ୍ରସଙ୍ଗରେ ବିଜେଡି ଗୃହରେ ପ୍ରତିବାଦ ପ୍ରଦର୍ଶନ କରିଥିଲା। ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଏଭଳି ଦାବି କରି ଗୃହକୁ ଅଚଳ କରିଥିଲା ବିଜେଡି। ବିଜେଡି ସଦସ୍ୟମାନେ ଆଜି ଚିକିଟି ମଦମୃତ୍ୟୁ ଘଟଣାରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ। ଗତକାଲି ପରି ଆଜି ମଧ୍ୟ ଗୃହକୁ ଅପରାହ୍ନ ୪ଟା ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

ସେପଟେ ଚିକିଟି ମଦମୃତ୍ୟୁ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ମୋଟ ଦୁଇ ଜଣ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ୧୪ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତ ।

Comments are closed.