Latest Odisha News

୩୦ ବର୍ଷୀୟ ପୁଅ ପାଇଁ ଇଚ୍ଛାମୃତ୍ୟୁ ମାଗିଲେ ମା’; କୋର୍ଟ ଦେଲେ ଆଦେଶ… 

ଗାଜିଆବାଦ: ଗାଜିଆବାଦର ୩୦ ବର୍ଷିୟ ହରିଶ ରାଣା ୧୦ବର୍ଷରୁ ଅଧିକ ସମୟ ଧରି ଶଯ୍ୟାଶାୟୀ ଅଛନ୍ତି। ତାଙ୍କ ମା’ ନିର୍ମଳା ଦେବୀ ଏବଂ ପିତା ଅଶୋକ ରାଣା ତାଙ୍କ ପାଇଁ ସୁପ୍ରିମକୋର୍ଟରେ ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଛନ୍ତି।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ଆଦେଶରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନିଜଣିଆ ବେଞ୍ଚ ହରିଶଙ୍କ ଚିକିତ୍ସା ପାଇଁ କୌଣସି ସରକାରୀ ସହାୟତା ଅଛି କି ନାହିଁ ତାହା ସରକାରଙ୍କ ସହ ଆଲୋଚନା କରି ଜଣାଇବାକୁ ଅତିରିକ୍ତ ସଲିସିଟରଙ୍କୁ କହିଛନ୍ତି।

କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହରିଶଙ୍କ ଖାଦ୍ୟ ପାଇପ୍ କାଢିବାକୁ ଅନୁମତି ଦିଆଯାଇପାରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଖାଦ୍ୟ ପାଇପ୍ ହଟାଇବା ପରେ ସେ ଭୋକରେ ଛଟପଟ ହୋଇ ମରିଯିବେ ଏବଂ ନିୟମ ଅନୁଯାୟୀ ଏପରି ଆଦେଶ ଦିଆଯାଇ ପାରିବ ନାହିଁ। ହରିଶଙ୍କ ଯତ୍ନ ଓ ଚିକିତ୍ସା ପାଇଁ କିଛି ବିକଳ୍ପ ଉପାୟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ୧୦ ବର୍ଷ ପୂର୍ବେ ହରିଶ ଚଣ୍ଡିଗଡ଼ରେ ଥିବା ତାଙ୍କ ପିଜିର ଚତୁର୍ଥ ମହଲାରୁ ତଳେ ପଡ଼ିଯାଇଥିଲେ। ସେ ଚଣ୍ଡିଗଡ଼ର ଏକ କଲେଜରେ ଇଞ୍ଜିନିୟରିଂ ପଢୁଥିଲା ବେଳେ ଅଘଟଣ ଘଟିଛି। ପଡିଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଫଳରେ ତାଙ୍କର ମସ୍ତିଷ୍କ ଏବଂ ଶରୀରକୁ ପକ୍ଷାଘାତ ହୋଇଯାଇଥିଲା। ବର୍ତ୍ତମାନ ସେ ଗତ ଦଶ ବର୍ଷ ଧରି ଶଯ୍ୟାଶାୟୀ ରହିଛନ୍ତି। ତାଙ୍କର ଖାଇବା ଏବଂ ମଳତ୍ୟାଗ ପାଇଁ ଶରୀରରେ ଦୁଇଟି ପାଇପ୍ ଭର୍ତ୍ତି କରାଯାଇଛି।

ହରିଶଙ୍କ ଚିକିତ୍ସା ପାଇଁ ପିତାମାତା ସେମାନଙ୍କ ଜମି ବିକ୍ରି କରିସାରିଛନ୍ତି ଏବଂ ସେମାନଙ୍କର ସମସ୍ତ ସଞ୍ଚୟ ମଧ୍ଯ ଲଗାଇ ସାରିଲେଣି ବୋଲି ଆବେଦନରେ ଉଲ୍ଲେଖ ରହିଛି।

Comments are closed.