Latest Odisha News

BREAKING NEWS

‘ପାରାସୁଟ ପ୍ରାର୍ଥୀ’ ନେଇ ବିଜେପିରେ ବୋବାଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଟିକେଟ ବଂଟନକୁ ନେଇ ବିଜେପିରେ ବୋବାଲ୍ । ପ୍ରଥମ ପ୍ରାର୍ଥୀ ତାଲିକା ନେଇ ଜୋରଦାର ବିରୋଧ ଜାମ୍ମୁ ଓ କାଶ୍ମୀର ବିଜେପିର କଳିକୁ ପଦାରେ ପକାଇ ଦେଇଛି । ବିଜେପି ଜାରି କରିଥିଲା ପ୍ରାର୍ଥୀଙ୍କ ପ୍ରଥମ ତାଲିକା । କିନ୍ତୁ ନାଟକୀୟ ପରିସ୍ଥିତିରେ ତାଲିକା ପ୍ରତ୍ୟାହାର କରାଯାଇ ଜାରି ହୋଇଥିଲା ସଂଶୋଧିତ ତାଲିକା । ପୁରୁଣା ପ୍ରାର୍ଥୀ ତାଲିକାରେ ଥିଲା ୪୪ ଜଣଙ୍କ ନାଁ । କିନ୍ତୁ ଏହି ତାଲିକା ଜାରି ହେବା ପରେ ବିରୋଧ ଓ ପ୍ରତିବାଦର ସ୍ୱର ଉଠାଇଥିଲେ ଟିକେଟ ପାଇନଥିବା କିଛି ନେତା । ଅସନ୍ତୋଷକୁ ଦେଖି ପଛକୁ ହଟିଥିଲା ବିଜେପି । ଦୁଇ ଘଂଟା ପରେ ଜାରି କରିଥିଲା ସଂଶୋଧିତ ପ୍ରାର୍ଥୀ ତାଲିକା । ସଂଶୋଧିତ ତାଲିକାରେ ୧୫ ଜଣଙ୍କ ନାଁ ରହିଛି । କିଛି ଘଂଟା ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରିଥିଲା ବିଜେପି । ଏଥିରେ ଜଣେ ପ୍ରାର୍ଥୀଙ୍କ ନାଁ ରହିଛି ।

ପାରାସୁଟ୍ ପ୍ରାର୍ଥୀଙ୍କୁ ଅସନ୍ତୁଷ୍ଟଙ୍କ ବିରୋଧ

ପ୍ରଥମେ ଜାରି ହୋଇଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକାରେ କିିଛି ଆଶାୟୀଙ୍କ ନାଁ ନଥିଲା । ଜାମ୍ମୁ ନର୍ଥ ସିଟରୁ ବରିଷ୍ଠ ନେତା ଓମି ଖଜୁରିଆଙ୍କୁ ଟିକେଟ ନମିଳିବାରୁ ସମର୍ଥକମାନେ ବିଜେପି ଅଫିସ ଆସି ହଙ୍ଗାମା କରିଥିଲେ । ବିଜେପି ରାଜ୍ୟ ଅଧ୍ୟକ୍ଷ ରବୀନ୍ଦ୍ର ରୈନାଙ୍କ ଅଫିସ ଘେରାଓ କରିଥିଲେ ଓମି ଖଜୁରିଆଙ୍କ ସମର୍ଥକ । ତୃଣମୂଳ ସ୍ତରରେ କାମ କରୁଥିବା ନେତାଙ୍କୁ ଅଣଦେଖା କରାଯାଉଥିବା ବେଳେ ପାରାସୁଟ ବା ଅନ୍ୟ ଦଳରୁ ନେତାଙ୍କୁ ଆଣି ପ୍ରାର୍ଥୀ କରାଯାଉଛି ବୋଲି ଅସନ୍ତୁଷ୍ଟ ବିଜେପି କର୍ମୀମାନେ କହିଛନ୍ତି ।

ପୁରୁଣା ତାଲିକାରେ ଥିଲା ଦଳଡିଆଙ୍କ ନାଁ

ପ୍ରତ୍ୟାହୃତ ୪୪ ଜଣିଆ ପୁରୁଣା ପ୍ରାର୍ଥୀ ତାଲିକାରେ ଥିଲା ଅନେକ ଦଳଡିଆଁ ବା ପାରାସୁଟ ନେତାଙ୍କ ନାଁ । ପାରାସୁଟ ନେତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ  ଜୋରଦାର ବିରୋଧ ହୋଇଥିଲା । ଅପନୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ପିଡିପି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନେତାଙ୍କ ନାଁ ପୁରୁଣା ତାଲିକାରେ ଥିଲା । ଏମାନଙ୍କ ମଧ୍ୟରୁ କିଛି ଆଗରୁ ମନ୍ତ୍ରୀ ରହିସାରିଛନ୍ତି । ପ୍ରତ୍ୟାହୃତ ପୁରୁଣା ତାଲିକାରେ ଜାମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରୈନା, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିର୍ମଲ ସିଂହ ଓ କବିନ୍ଦ୍ର ଗୁପ୍ତାଙ୍କ ନାଁ ମଧ୍ୟ ନଥିଲା ।

ନିର୍ବାଚନୀ ଉଷ୍ମତା ବୃଦ୍ଧି

୧୦ ବର୍ଷ ପରେ ଜାମ୍ମୁ ଓ କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥର କିନ୍ତୁ ସ୍ଥିତି ଅଲଗା । ଧାରା ୩୭୦ ହଟିଛି । ଜାମ୍ମୁ ଓ କାଶ୍ମୀର ଏବେ କେନ୍ଦ୍ର ଶାସିତ ଅଂଚଳ । ସେପଟେମ୍ବର ୧୯ ଓ ୨୫ ଓ ଅକ୍ଟୋବର ପହିଲାରେ ୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ନିଆଯିବ । ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ ପ୍ରାକ୍ ନିର୍ବାଚନୀ ମେଂଟ ହେବ । ଏଥିପାଇଁ ଆସନ ଭାଗବଂଟା ଆଲୋଚନା ଆରମ୍ଭ କରିଛନ୍ତି ଦୁଇ ଦଳ । କଂଗ୍ରେସ ନେତା କେ.ସି ବେଣୁଗୋପାଲ ଓ ସଲମନ ଖୁର୍ସିଦ ନ୍ୟାସନାଲ କନଫରେନସ୍ ସହ ଆସନ ଭାଗବଂଟା ପାଇଁ ଶ୍ରୀନଗର ଯାଇଛନ୍ତି । ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍‌ୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧି ଜାମ୍ମୁ ଓ କାଶ୍ମୀର ଗସ୍ତ କରିଥିଲେ । ତେବେ ନିର୍ବାଚନ ପୂର୍ବରୁ ଦଳୀୟ କନ୍ଦଳ ବିଜେପିକୁ ଅଡୁଆରେ ପକାଇଛି ।

 

Comments are closed.