Latest Odisha News

‘ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ଜଳଧାରା-ପୋଖରୀ ଖନନ କରାଯିବ’

ଭୁବନେଶ୍ୱର: ଜଳକ୍ଲିଷ୍ଟ ଅଞ୍ଚଳରେ ଫସଲହାନି ରୋକିବା ପାଇଁ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନସ୍ଥିତ ବୋର୍ଡରୁମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୂତନ ଜଳଧାରା-କ୍ଷେତ ପୋଖରୀ ନିର୍ମାଣ ନିମନ୍ତେ ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ରହିଥିବା ଏବଂ ନୂତନ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।

ଜଳକ୍ଳୀଷ୍ଟ ଅଞ୍ଚଳରେ ସୁଗମ ଭାବେ ଜଳସେଚନ ଓ ଫସଲହାନିକୁ ରୋକିବା ପାଇଁ ଜଳଧାରା ବା କ୍ଷେତ ପୋଖରୀ ଖନନ କରାଯିବ । ଅଣଜଳସେଚିତ ଚାଷଜମି ଗୁଡ଼ିକୁ ଚିହ୍ନଟ କରାଯାଇ ଏହି ପ୍ରକ୍ରିୟାରେ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଓ କଳାହାଣ୍ଡିରେ ଏହା କାର୍ଯ୍ୟକ୍ଷମ ହେବ । ଏଥିପାଇଁ ତିନି ବର୍ଷ ସମୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ।

ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ସଂପୃକ୍ତ ଚାଷୀ ଗୋ-ସୁଗମ ପୋର୍ଟାଲରେ ଆବେଦନ କରିପାରିବେ ଏବଂ ସମୟାନୁକ୍ରମେ ରାଜ୍ୟ ସରକାର ଏହାର ସମୀକ୍ଷା କରିବେ । ଏହା ବ୍ୟତୀତ ୧୫ ଏକର ଜମିରେ ବଜ୍ରପାତ ନିରୋଧୀ ତାଳଗଛ ଲଗାଯିବା ନେଇ ନିଷ୍ପତ୍ତି ହୋଇଛି ।

ସେହିପରି କଣ୍ଟାନଥିବା କାକ୍‌ଟସ୍‌ ରୋପଣ କରି ପତିତ ଜମିର ପୁନରୁଦ୍ଧାର କରାଯିବ । ରିୱାର୍ଡ ସ୍କିମ୍‌ ଅଧୀନରେ ବିଭିନ୍ନ ଜଳଛାୟା ପ୍ରକଳ୍ପର ନବୀକରଣ ନେଇ ସମୀକ୍ଷା ହୋଇଥିଲା । ଏହା ଦ୍ୱାରା ମୃତ୍ତିକା ସଂରକ୍ଷଣ ହେବା ସହ ପରିବେଶ ସୁରକ୍ଷା ଓ ବଜ୍ରପାତ ଭଳି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇହେବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଥିଲେ ।

ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ନିଖିଲ ପୱନ୍‌ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.