Latest Odisha News

ମୟୂରଭଞ୍ଜର ସଫଳ ଚାଷୀ କାର୍ତ୍ତିକେଶ୍ୱର ନାୟକ

କପ୍ତିପଦା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନହୁସାହି ଗାଁର ଚାଷୀ କାର୍ତ୍ତିକେଶ୍ୱର ନାୟକ। ନିରନ୍ତର ପ୍ରୟାସ ମାଧ୍ଯମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେ। ଏପରିକି ଆଖପାଖର ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇ ସ୍ଵାବଲମ୍ବୀ କରିପାରିଛନ୍ତି । ଓଡ଼ିଶାର ୪୧ ବର୍ଷ ବୟସ୍କ କୃତୀ କୃଷକ କାର୍ତ୍ତିକେଶ୍ୱର ନାୟକଙ୍କୁ ସ୍ଵାଧୀନତା ଦିବସ ୨୦୨୪ ଅବସରରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ‘ଆଟ୍-ହୋମ୍’ ରିସେପ୍‌ସନରେ ଯୋଗଦେବା ପାଇଁ ରାଷ୍ଟ୍ରପତି ନିମନ୍ତ୍ରଣ କରିବା ସହ ସମ୍ମାନିତ ମଧ୍ଯ କରିଥିଲେ ।

ସାଧାରଣ କୃଷି ପରିବାରରେ ଜନ୍ମଗ୍ରହଣ କରିଥିବା କାର୍ତ୍ତିକେଶ୍ଵର ନାୟକ ଦୁଇ ଦଶନ୍ଧି ପୂର୍ବରୁ କୃଷି ଯାତ୍ରା ଆରମ୍ଭ କରିଥିଲେ । ନିଜର ୪ ହେକ୍ଟର ଜମିରେ ଧାନ ଚାଷ କରିବା ଠାରୁ ଆରମ୍ଭ କରି ଆଜି ତାଙ୍କର କୃଷି ଉଦ୍ୟୋଗକୁ ୨୦ ହେକ୍ଟର ଜମି ପର୍ଯ୍ୟନ୍ତ ବିସ୍ତୃତ କରିପାରିଛନ୍ତି । ସେଥ‌ିରେ ସେ ଧାନ, ଚିନା ବାଦାମ, ମୁଗ ଡାଲି ତଥା ବିଭିନ୍ନ ପନିପରିବା ଚାଷ କରନ୍ତି । ସେ କାଳ ଜଳସେଚନ ଏବଂ ଉଠା ଜଳସେଚନ ପ୍ରକଳ୍ପକୁ ବ୍ୟବହାର କରି ବର୍ଷକୁ ଦୁଇଥର ଫସଲ ଉତ୍ପାଦନ କରିପାରୁଛନ୍ତି । ଗତ ଦଶନ୍ଧି ମଧ୍ୟରେ ବିହନ ଉତ୍ପାଦନରେ ତାଙ୍କର ଯୋଗଦାନ ପାଇଁ ସେ ଓଡ଼ିଶା ରାଜ୍ୟ ବିହନ ନିଗମ (ଓଏସଏସସି) ଦ୍ଵାରା ସାର୍ଟିଫାଏଡ୍ ବିହନ ଉତ୍ପାଦକ ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ଉଚ୍ଚ ମାନର ଫସଲ ଉତ୍ପାଦକୁ ସିଧାସଳଖ ଏଜେନ୍ସିକୁ ବିକ୍ରି କରି ଏକ ସ୍ଥାୟୀ ବଜାର ସହ ଆୟକୁ ସୁନିଶ୍ଚିତ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦–୩୦ ଯୁବଚାଷୀ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ କୃଷିକୁ ନିଜର କର୍ମକ୍ଷେତ୍ର ରୂପେ ଆପଣେଇ ନେଇଛନ୍ତି ।

କୃଷିକାର୍ଯ୍ୟ ବ୍ୟତୀତ କାର୍ତ୍ତିକେଶ୍ଵର ଚାଷ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ନିଜର ଆୟକୁ ବହୁଗୁଣ କରିପାରିଛନ୍ତି । ସେ ସମ୍ମିଳିତ ଅମଳକାରୀ, ଟ୍ରାକ୍ଟର, ବିହନ ଡ୍ରିଲ, ପାୱାର ଟିଲର, ରୋଟାଭେଟର, ୱାଟର ପମ୍ପ ଭଳି ଯନ୍ତ୍ରାଂଶର ବ୍ୟବହାର କରି ବିହନ ଉତ୍ପାଦନ ଓ କୃଷି କ୍ଷେତ୍ରରୁ ବାର୍ଷିକ ୫ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ସେ କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ଏଜେନ୍ସି (ଆତ୍ମା) ଅଧୀନରେ ଥିବା ବ୍ଲକ କୃଷକ ପରାମର୍ଶଦାତା କମିଟି (ବିଏଫଏସି) ଓ ଜିଲ୍ଲା କୃଷକ ପରାମର୍ଶଦାତା କମିଟି (ଡିଏଫଏସି) ମାଧ୍ୟମରେ ଅଂଶଗ୍ରହଣ କରି ତାଙ୍କ ଅଞ୍ଚଳରେ ଶତାଧୂକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ତାଙ୍କର ଏହି ପ୍ରୟାସ କେବଳ ତାଙ୍କ ସାମାଜିକ ସ୍ଥିତିକୁ ବଦଳାଇ ନାହିଁ ବରଂ ଅଭାବ ଅନଟନର ଜୀବନଜୀବିକାରୁ ବାହାରି କଚ୍ଚା ଘରକୁ ପକ୍କାରେ ପରିଣତ କରିଛନ୍ତି, କାର କିଣିବା ସହ ଉତ୍ପାଦିତ ଫସଲର ସରଂକ୍ଷଣ ପାଇଁ ଗୋଦାମ ଘର ନିର୍ମାଣ କରି ଆର୍ଥିକ ରୂପେ ସଶକ୍ତ ହୋଇପାରିଛନ୍ତି । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାଜ୍ୟ ସ୍ତରୀୟ କୃଷି ମେଳାରେ (କୃଷି ଓଡିଶା -୨୦୨୧) ସରକାରଙ୍କ ତରଫରୁ ପୁରସ୍କୃତ ହୋଇଛନ୍ତି । ତାଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ।

Comments are closed.