Latest Odisha News

ଆଜିଠୁ ‘ସୁଭଦ୍ରା’ ପଞ୍ଜିକରଣ, ଜାଣନ୍ତୁ କେମିତି କରିବେ ଆବେଦନ..

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ର ପଞ୍ଜିକରଣ । ଆଜିଠୁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟରେ ସୁଭଦ୍ରା ଫର୍ମ ମିଳିବ । ଏଥିସହ ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଏହି ଫର୍ମ ମିଳିବ । ସେଠାରୁ ଫର୍ମ ଆଣି ପୂରଣ କରିବା ପରେ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ । ସୁଭଦ୍ରା ସହାୟତା ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ  । ଏନେଇ ଗତକାଲି ସୋସିଆଲ ମିଡିଆରେ ଲାଇଭ ଆସି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ମାର୍ଗଦର୍ଶିକା ଜାରି ହୋଇଯାଇଛି । ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ପାଇଁ ଗତକାଲି ଠାରୁ ଫର୍ମ ଉପଲବ୍ଧ ହୋଇଥିବା ବେଳେ ଆଜିଠାରୁ ଏନିମନ୍ତେ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ । ଏହି ଯୋଜନାରେ ସହାୟତା ପାଇଁ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାଁରେ ଆଧାରକାର୍ଡ କିମ୍ବା ନମ୍ବର ଥିବା ଆବଶ୍ୟକ । ଏଥିସହିତ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ଆଧାରକାର୍ଡ ଲିଙ୍କ ଥିବା ଦରକାର । ହିତାଧିକାରୀଙ୍କ ମୋବାଇଲ ନମ୍ବର ମଧ୍ୟ ଆଧାରକାର୍ଡ ସହ ଲିଙ୍କ୍ ଥିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ତେବେ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ସହାୟତାର ପ୍ରଥମ କିସ୍ତି ମିଳିବ ।

Comments are closed.