Latest Odisha News

ବାର୍ଡ ଫ୍ଲୁ ଭୟ; ଆସନ୍ତା ୪ ଓ ୫ରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବାର୍ଡ ଫ୍ଲୁ ଦମନ ନେଇ ସୋମବାର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଓଡ଼ିଶା, ମନୋଜ ଅହୁଜା, ଭାରତ ସରକାରଙ୍କ ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ସୁଶ୍ରୀ ଅଳକା ଉପାଧ୍ୟାୟ, ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ପୁରୀ, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଯୋଗ ଦେଇଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡା ଏବଂ ଡେଲାଙ୍ଗ ବ୍ଲକର ଚାରିଟି ଗ୍ରାମରେ ବାର୍ଡ ଫ୍ଲୁ ରୋଗ ଚିହ୍ନଟ କରାଯାଇଛି।
ଭାରତ ସରକାରଙ୍କ ନିର୍ଦ୍ଦେଶିତ କାର୍ଯ୍ୟ ଯୋଜନା ଅନୁଯାୟୀ ଏହି ରୋଗର ନିୟନ୍ତ୍ରଣ ଏବଂ ନିରାକରଣ କାର୍ଯ୍ୟକ୍ରମ ଚାଲୁଅଛି। ପିପିଲି ଏବଂ ସତ୍ୟବାଦୀ ବ୍ଲକରେ ସଂକ୍ରମିତ କୁକୁଡ଼ା ଗୁଡିକୁ ମରାଯାଇ ସାରିଥିବା ସ୍ଥଳେ ଡେଲାଙ୍ଗ ଏବଂ ନିମାପଡା ବ୍ଲକରେ ଏହି ପ୍ରକ୍ରିୟା ଜାରି ରହିଛି।

ରୋଗ ସଂକ୍ରମଣ ରୋକିବା ପାଇଁ ୫୧ଟି ରାପିଡ୍ ରେସପନ୍ସ ଟିମ୍ (ଆରଆରଟି) ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ଫାର୍ମଗୁଡ଼ିକର ବିଶୋଧନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୩୫,୩୨୯ଟି କୁକୁଡ଼ା ମରାଯାଇଛି, ୮୪ ଗୋଟି ଅଣ୍ଡା ଏବଂ ୧୫,୩୮୦ କିଲୋଗ୍ରାମ କୁକୁଡ଼ା ଦାନା ନଷ୍ଟ କରାଯାଇଅଛି। ଏ ପର୍ଯ୍ୟନ୍ତ ୧୦,୯୪,୫୭୨ ଟଙ୍କା କ୍ଷତିପୂରଣ ଅର୍ଥ ଭାବରେ କୃଷକମାନଙ୍କୁ ପ୍ରଦାନ କରାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଥିବା ପ୍ରମୁଖ ଜଳ ଉତ୍ସ ଏବଂ ପୂର୍ବରୁ ବାର୍ଡ ଫ୍ଲୁ ହୋଇଥିବା ଜିଲ୍ଲାମାନଙ୍କରେ ନମୁନା ସଂଗ୍ରହ ପ୍ରକ୍ରିୟା ତଥା ରୋଗର ଅନୁସନ୍ଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହିତ ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ରୋଗ ଚିହ୍ନଟ ପାଇଁ ଅଧିକ ନମୁନା ପଠାଇବା ସହିତ କୁକୁଡ଼ା ତଥା କୁକୁଡ଼ା ଚାଷ ସହ ଜଡିତ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ, ସଂକ୍ରମିତ ଅଞ୍ଚଳକୁ ନେବା ଆଣିବାକୁ ନିୟନ୍ତ୍ରଣ କରାଯିବ । ଜନସାଧାରଣ ଏଥିପାଇଁ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ଏ ଦିଗରେ ସଚେତନତା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଭାରତ ସରକାରଙ୍କର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସଚିବ ଏହି ରୋଗର ନିୟନ୍ତ୍ରଣ ତଥା ନିରାକରଣ ପାଇଁ ରାଜ୍ୟକୁ ସମସ୍ତ ପ୍ରକାରର ସହାୟତା ପାଇଁ ନିଶ୍ଚିତ କରିଛନ୍ତି। ପରବର୍ତ୍ତୀ ତଦାରଖ ପାଇଁ ଏକ କେନ୍ଦ୍ରୀୟ ଦଳ ଖୁବଶୀଘ୍ର ରାଜ୍ୟକୁ ଆସନ୍ତା ୪ ଓ ୫ ତାରିଖ ସେପ୍ଟେମ୍ବରରେ ପରିଦର୍ଶନ କରିବେ।

ଅପରପକ୍ଷରେ ସମସ୍ତ ବ୍ୟବସାୟିକ ଭିତ୍ତିକ କୁକୁଡ଼ା ଫାର୍ମ ଗୁଡିକର ପଞ୍ଜୀକରଣ ଏବଂ ଅବସ୍ଥିତିର ସଠିକ ତଥ୍ୟ ସଂଗ୍ରହ କରାଯିବା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀମାନଙ୍କୁ ଦିଆଯାଉଥିବା ତତ୍କାଳ କ୍ଷତିପୂରଣ ପ୍ରକ୍ରିୟାକୁ ଭାରତ ସରକାରଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା ।

Comments are closed.