Latest Odisha News

BREAKING NEWS

କୋଲକାତା ଅଭୟା କାଣ୍ଡ: ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ସିବିଆଇ

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ଆଜି ମାସେ ପୂରିଛି । କିନ୍ତୁ ଆଜି ମଧ୍ୟ ରାସ୍ତାରେ ପ୍ରତିବାଦର ବହ୍ନି ଜଳୁଛି l ନ୍ୟାୟ ଅପେକ୍ଷାରେ ଅଛନ୍ତି ପୀଡ଼ିତାଙ୍କ ପରିବାର l ସେପଟେ ଉକ୍ତ ଘଟଣାର ଷ୍ଟାଟସ୍‌ ରିପୋର୍ଟ ଆଜି ସୁପ୍ରିମକୋର୍ଟରେ ଦାଖଲ କରିଛି ସିବିଆଇ।

ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି କହିଥିଲେ, ସିବିଆଇ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ତଦନ୍ତ ଚାଲିଥିବା ନେଇ ରିପୋର୍ଟରେ କୁହାଯାଇଛି। କିନ୍ତୁ ସିବିଆଇ ଏକ ନୂଆ ଷ୍ଟାଟସ ରିପୋର୍ଟ ଦାଖଲ କରୁ। ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଏହାର ସମୀକ୍ଷା କରାଯିବ। ସିବିଆଇ ମାମଲା ହାତକୁ ନେଇଥିବାରୁ ସେଥିରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ତେବେ ଘଟଣା ପରେ ଏତଲା ରୁଜୁ ହେବାରେ ୧୪ ଘଣ୍ଟା ବିଳମ୍ବ ହୋଇଥିବା ନେଇ ସୁପ୍ରିମକୋର୍ଟ ଅବଗତ ହୋଇଥିଲେ।

ଏଥିସହିତ ହସ୍ପିଟାଲ ପରିସରରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ଙ୍କୁ ରହିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ପଶ୍ଚିମବଙ୍ଗ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୀଡ଼ିତାଙ୍କ ସମସ୍ତ ଫଟୋ ସୋସିଆଲ ମିଡିଆରୁ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଗଷ୍ଟ ୨୨ରେ ସୁପ୍ରିମକୋର୍ଟ ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କ ଅସ୍ବାଭାବିକ ମୃତ୍ୟୁ ପଞ୍ଜୀକରଣ କରିବାରେ କୋଲକାତା ପୋଲିସର ବିଳମ୍ବକୁ ଅତ୍ୟନ୍ତ ବିବ୍ରତ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ, ଅଗଷ୍ଟ ୯ରେ କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହି ଅପରାଧ ପାଇଁ ପୋଲିସ ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

Comments are closed.